ସାହିତ୍ୟିକ ଜନ୍ମେଜୟ ପାତ୍ରଙ୍କ ଅବର୍ତ୍ତମାନରେ ଲେଖକ କଳା ପରିଷଦ ପକ୍ଷରୁ ଶୋକସଭା
ଭବାନୀପାଟଣା, (କିଶନ ଶର୍ମା)-୦୩।୦୧ ବର୍ଷିୟାନ ସାହିତ୍ୟିକ, ବରିଷ୍ଠ କଳାକାର, ନାଟ୍ୟକାର ତଥା ଛାତ୍ର ବତ୍ସଳ ଶିକ୍ଷକ ଏବଂ କଳାହାଣ୍ଡି ଲେଖକ କଳା ପରିଷଦ ଜନ୍ମବେଦୀର ସାକ୍ଷୀ ଜନ୍ମେଜୟ ପାତ୍ରଙ୍କ(୮୬) ଗତ ୨ ତାରିଖ ରାତ୍ରି ୧୨ ଘଣ୍ଟା ସମୟରେ ତାଙ୍କ ଧର୍ମଗଡ଼ ସ୍ଥିତ ବାସଭବନରେ ଦେହାବସାନ ହୋଇଛି। ସେ ୧୯୬୩ ମସିହାରେ ଧର୍ମଗଡ ହାଇସ୍କୁଲରେ ଶିକ୍ଷକ ରୂପେ ଚାକିରୀ ଆରମ୍ଭ କରି ସେହି ସ୍କୁଲ ର ପ୍ରଧାନ ଶିକ୍ଷକ,ଭବାନୀପାଟଣା ଡି ଆଇ ଟି ରେ ବରିଷ୍ଠ ପ୍ରଶିକ୍ଷକ ତଥା ଧର୍ମଗଡ ଶିକ୍ଷା ଜିଲ୍ଲାର ଶିକ୍ଷା ଅଧିକାରୀ ରୂପେ ଅବସ୍ଥାପିତ ରହି ଅବସର ଗ୍ରହଣ କରିଥିଲେ। ଜଣେ ପ୍ରବୀଣ ଶିକ୍ଷକ, ଭାଷା ସାହିତ୍ୟ ରେ ଗଭୀର ପ୍ରବେଶ ଥିବା ଜଣେ ସୁସାହିତ୍ୟିକ ତଥା ଜଣେ ସ୍ନେହୀ, ମିଷ୍ଟ ଭାଷୀ, ଅମାୟିକ ବ୍ୟକ୍ତିତ୍ଵ ରୂପେ ଅଞ୍ଚଳରେ ସେ ନିଜସ୍ଵ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ତାଙ୍କ ଅବର୍ତ୍ତମାନରେ ପବିତ୍ର ଅମର ଆତ୍ମାଙ୍କ ଈଶ୍ୱର ଶରଣ ପ୍ରାପ୍ତି ଉଦ୍ଦେଶ୍ୟରେ ସ୍ଥାନୀୟ ଲେଖକ କଳା ପରିଷଦ ସଭାଗୃହରେ ଏକ ଶୋକସଭା ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଉମେଶ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗୁରୁ ପ୍ରଭାସ ଚନ୍ଦ୍ର ମିଶ୍ର, ଡ଼. ତପନ କୁମାର ରଥ, ପୂର୍ବତନ ସଙ୍ଗୀତ ନାଟକ ଏକାଡେ଼ମୀ ସଚିବ ପ୍ରବୋଧ ରଥ, ଆଶୁତୋଷ ପୁରୋହିତ, ତାପସ ପଟେଲ, ସୌରଭ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ତାଙ୍କର ସ୍ମୃତି ଚାରଣ କରିଥିଲେ।
