ଜିଲ୍ଲାପାଳଙ୍କ ସୋର ଗସ୍ତ:ବାଗୁଡ଼ି ଖଞ୍ଜାମହାଲ ଖାଦାନରେ ଧାରା ୧୬୩ ଜାରି
ସୋର(ଭଞ୍ଜଦୂତ, ନିପ୍ର): ବାଲେଶ୍ୱର ଜିଲ୍ଲା ସୋର ସ୍ଥିତ ବାଗୁଡ଼ି ଖଞ୍ଜାମହଲା ଖାଦାନରେ ବିଏନଏସ ୧୬୩ ଧାରା ଅନିର୍ଦ୍ଧିଷ୍ଟ ସମୟ ପାଇଁ ଜାରି କରିଛନ୍ତି ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ। ଆଜି ବାଲେଶ୍ୱର ଜିଲ୍ଲାପାଳ ସୁର୍ଯ୍ୟବଂଶୀ ମୟୁର ବିକାଶ ସୋର ଗସ୍ତରେ ଆସିଥିବା ବେଳେ ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ବାଗୁଡି ସ୍ଥିତ ନବୋଦୟ ବିଦ୍ୟାଳୟକୁ ଓ ଖଞ୍ଜାମହାଲ ପଥର ଖାଦାନକୁ ଅଚାନକ ଗସ୍ତ କରିଛନ୍ତି । ପ୍ରଥମେ ବିଧାୟକ ମାଧବ ଧଡ଼ାଙ୍କ ଉପସ୍ଥିତିରେ ସୋର ପୌରାଞ୍ଚଳର ଦୁଇଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପରେ ସୋର ବ୍ଲକ ଓ ତହସିଲ ବୁଲି ବିଭିନ୍ନ ଉନ୍ନୟନ ମୁଳକ କାମ ବାବଦରେ ବିଡିଓ ଓ ତହସିଲଦାରଙ୍କ ସହ ଆଲୋଚନା କରିଥିଲେ। ପରେ ବାଗୁଡ଼ି ସ୍ଥିତ ଖଞ୍ଜାମାହାଲ ଖାଦାନକୁ ଯାଇ ପଥର ଚୋରି ରୋକିବାକୁ ଖାଦାନର ପ୍ରବେଶ ଓ ପ୍ରସ୍ଥାନରେ ପୁଲିସ କ୍ୟାମ୍ପ ବସାଇବା ସହ ୧୬୩ ଧାରା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଫେରିବା ବାଟରେ ବାଗୁଡି ସ୍ଥିତ ନବୋଦୟ ବିଦ୍ୟାଳୟରେ ବୁଲି ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରି ପିଲାମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ। ଏହି ସମୟରେ ଜିଲ୍ଲାପାଳଙ୍କ ସହ ଉପ ଜିଲ୍ଲାପାଳ ଶିଭ ମାଲବ୍ୟ ,ସୋର ତହସିଲଦାର ଦୈତାରି ମଲ୍ଲିକଙ୍କ ସମେତ ବିଦ୍ୟାଳୟର ଅଧକ୍ଷ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ସେଠାରେ ଜିଲ୍ଲାପାଳଙ୍କ ସହ ଅନ୍ୟ ଅଧିକାରୀ ମାନେ ପିଲା ମାନଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କରିଥିଲେ। ପ୍ରକାଶ ଥାଉ କି ଗତ ତିନି ଦିନ ତଳେ ନବୋଦୟ ବିଦ୍ୟାଳୟର ଉଦୟଗିରି ଛାତ୍ରାବାସରେ ଅଗ୍ନିକାଣ୍ଡ ଘଟି ପିଲାମାନଙ୍କ ବହି ଖାତା ସମେତ ଲୁଗା ପୋଡିଯାଇଥିଲା। ପୁର୍ବରୁ ମଧ୍ୟ ବିଦ୍ୟାଳୟରେ ଜଣେ ଛାତ୍ରଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଇଥିବା ଘଟଣା ସାମ୍ନାକୁ ମଧ୍ୟ ଆସିଥିଲା। ବାରମ୍ବାର ଏହି ବିଦ୍ୟାଳୟରେ ବିଭିନ୍ନ ବିବାଦୀୟ ଘଟଣା ସାମ୍ନାକୁ ଆସୁଥିବା ବେଳେ ଜିଲ୍ଲାପାଳଙ୍କ ଅଚାନକ ଗସ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କିଂକର୍ତ୍ତବ୍ୟମୂଢ଼ କରିଥିବାର ଦେଖା ଯାଇଥିଲା। ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଆଡିସିନାଲ ଏସପି ଦିବ୍ୟାଜ୍ୟୋତି,ସୋର ଥାନାଧିକାରୀ ମୁକୁନ୍ଦ ମୁରାରୀ ପାତ୍ର,ଖଣି ଅଧିକାରିଣୀ ସନ୍ତୋଷୀନୀ ସେଠୀ,କନିଷ୍ଠ ଖଣି ଅଧିକାରୀ ଜଗନ୍ନାଥ ଦାସ ସୋର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।
