ସବକଲେକ୍ଟରଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ତିନୋଟି କ୍ରସରକୁ ବନ୍ଦ ନୋଟିସ ଜାରି କଲେ ତହସିଲଦାର
ସୋର(ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ):ବର୍ଷ ବର୍ଷ ହେବ ପ୍ରଶାସନିକ ଅବହେଳା ପାଇଁ ବାଗୁଡ଼ି ପାହାଡ଼ରୁ ବେଆଇନ ଭାବେ ପଥର ଚାଲାଣ ଅବ୍ୟାହତ ରହିଛି। ପାହାଡରୁ ପଥର ଲୁଟ କରିବାର ଏକ ନୂଆ ମାଧ୍ୟମ ପାଲଟିଛି ପାହାଡ ନିକଟରେ କ୍ରସର ବସାଇବା । ଦୀର୍ଘ ଚାରିବର୍ଷ ଧରି ବାଗୁଡି ପଥର ଖାଦାନ ବନ୍ଦଥିବା ବେଳେ କ୍ରସରକୁ ପଥର କେଉଁଠୁ ଆସୁଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖଞ୍ଜାମହାଲ ପଥର ଖାଦାନ ନିକଟରେ ଏକାଧିକ କ୍ରସର ବସାଯାଇ ଏହି ପଥର ଲୁଟ ଚାଲିଥିବା ବେଳେ ଉକ୍ତ ପଥରରୁ ହେଉଥିବା ଚିପ୍ସ,ମେଟାଲ ଆଦିକୁ ଜାତୀୟ ରାଜପଥ କଡରେ ବହୁ ପରିମାଣରେ ଗଚ୍ଛିତ ରଖାଯାଇ ଅହରହ ଚାଲାଣ କରାଯାଉଛି। ମାତ୍ର ଖଣି ଅଧିକାରୀଙ୍କ ନିରବତା ସମସ୍ତଙ୍କୁ ଚକିତ କରିଛି। ଏନେଇ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଗତ କିଛିଦିନ ତଳେ ବାଲେଶ୍ୱର ଉପ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ଗତ ତିନି ଦିନ ତଳେ ବାଲେଶ୍ୱର ଉପ ଜିଲ୍ଲାପାଳ ଅଚାନକ ଚଢାଉ କରିଥିଲେ। ଏହି ସମୟରେ ଖବର ପାଇ ମାଫିଆମାନେ ଶତାଧିକ ପଥର ବୋଝେଇ ଗାଡିରୁ ପଥର ଖାଲି କରି ଚମ୍ପଟ ମାରିଥିବା ବେଳେ ନିକଟରେ ଥିବା କ୍ରସରକୁ ବୁଲି ଦେଖିଥିଲେ। ପରେ କ୍ରସର ମାନଙ୍କରେ ଗଚ୍ଛିତ ଥିବା ପଥର ବାବଦରେ କାଗଜ ପତ୍ର ଯାଞ୍ଚ କରିବା ସହିତ ବେଆଇନଭାବେ ସରକାରୀ ଜାଗାରେ କ୍ରସର ବସିଥିବାରୁ ତାଗିଦ କରି ନୋଟିସ ଜାରି କରିବାକୁ ସୋର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜି ମଧ୍ୟାହ୍ନରେ ସୋର ତହସିଲଦାର ଦୈତାରୀ ମଲ୍ଲିକ ଉକ୍ତ କ୍ରସର ମାନଙ୍କ ମଧ୍ୟରୁ ମା କ୍ରସରର ଦୁଇଟି ୟୁନିଟ ଓ ୟୁଏମସିଏଲ କ୍ରସରକୁ ନୋଟିସ ଜାରି କରିବା ସହ କ୍ରସର ଚାଲୁ ନକରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।
