ସୋର ତହସିଲଦାରଙ୍କ ଦ୍ୱାରା ବେଆଇନ ବାଲି ଗାଡି ଜବତ
ସୋର(ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ) : ଆକ୍ସନ ମୋଡ଼ରେ ସୋର ତହସିଲଦାର ଦୈତାରି ମଲ୍ଲିକ। ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ କଲେଜ ଛକ ନିକଟରେ ଚଢ଼ାଉ କରି ଏକ ବେଆଇନ ବାଲି ବୋଝେଇ ହାଇୱାକୁ ଜବତ କଲେ ସୋର ତହସିଲଦାର। ସୂଚନା ଅନୁସାରେ ସୋର ତହସିଲଦାର ଦୈତାରୀ ମଲ୍ଲିକ ଆଜି ଭୋର ସମୟରେ କଲେଜ ଛକ ନିକଟରେ ଅଚାନକ ଚଢ଼ାଉ କରି ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଆସୁଥିବା ବାଲି ବୋଝେଇ ହାଇୱା ଗୁଡିକର କାଗଜପତ୍ର ଯାଞ୍ଚ କରିଥିଲେ। ଏହି ସମୟରେ ଓଡି ୦୧ ଏଯେ ୮୭୦୬ ନମ୍ବର ବିଶିଷ୍ଟ ହାଇୱାଟି ବେଆଇନ ଭାବେ ବାଲି ଚାଲାଣ କରୁଥିବା ଜାଣିପାରି ହାଇୱାଟିକୁ ଜବତ କରି ସୋର ଥାନାରେ ଜିମା ଦେଇଥିଲେ। ଚଢ଼ାଉ ହେଉଥିବା ଜାଣି ପାରି ଅନେକ ଗାଡି ରାସ୍ତା ବଦଳାଇ ପଳାଇଯାଇଥିଲେ।
