*ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ତରଫରୁ ସୋର ବିଧାୟକଙ୍କୁ ସମ୍ବର୍ଦ୍ଧନା*
ସୋର: ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ବାଲେଶ୍ୱର ଜିଲ୍ଲା ସୋର ଖଣ୍ଡ ତରଫରୁ ସୋର ମାନ୍ୟବର ବିଧାୟକ ମାଧବ ଧଡ଼ା ଙ୍କୁ ସମ୍ବର୍ଦ୍ଧନା କରି ୨୦୦୮ ରୁ ୨୦୧୮ ମସିହା ପର୍ଯ୍ୟନ୍ତ ବେସରକାରୀ ଅନୁଦାନପ୍ରାପ୍ତ ଏବଂ ଅଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ତଥା ମହାବିଦ୍ୟାଳୟ ମାନଙ୍କରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ସରକାରୀ ଅନୁଦାନ ପ୍ରଦାନ ନିମନ୍ତେ ଦାବିପତ୍ର ପ୍ରଦାନ ସହ ଆଲୋଚନା ସମାହିତ ହୋଇଛି। ସୂଚନାଯୋଗ୍ୟ ସଂଘର ଏକମାତ୍ର ଦାବି ୨୦୦୮ ରୁ ୨୦୧୮ ମସିହା ପର୍ଯ୍ୟନ୍ତ ନିଯୁକ୍ତ ଅଧ୍ୟାପକ କର୍ମଚାରୀ ମାନଙ୍କୁ ସରକାରୀ ଅନୁଦାନ ପ୍ରଦାନ। ଦୁଃଖ ଏବଂ ପରିତାପର ବିଷୟ ଦୀର୍ଘ ୧୭ ବର୍ଷ ଧରି ସ୍ୱଳ୍ପ ଦରମାରେ ସରକାରଙ୍କର ସମସ୍ତ କାର୍ଯ୍ୟ କଲାପରେ ମଧ୍ୟ ସରକାର ଅନୁଦାନ ପ୍ରଦାନ କଲେ ନାହିଁ। ତେଣୁ ଶିକ୍ଷକ ଦାବି ଦିବସ ଅଗଷ୍ଟ ୧୬ ତାରିଖରୁ ଓଡ଼ିଶାର ସମସ୍ତ ବିଦ୍ୟାଳୟ ତଥା ମହାବିଦ୍ୟାଳୟ ମାନଙ୍କରେ କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା ଦିଆଯାଇ ପୁନର୍ବାର ସେପ୍ଟେମ୍ବର ୧୮ ତାରିଖରେ ଗାନ୍ଧୀ ମାର୍ଗରେ ମହାସମାବେଶ କରାଯାଇଥିଲା ମାତ୍ର ସରକାର ସଂଘ ସହିତ କୌଣସି ଆଲୋଚନା ନ କରିବାରୁ ୧୯ ତାରିଖରୁ ସଂଘର ସଭାପତି ବିଶ୍ୱରଂଜନ ଦାସ ଆମରଣ ଅନଶନରେ ବସିଥିଲେ। ୨୦ ତାରିଖ ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଏବଂ ତାଙ୍କର ପ୍ରତିନିଧି ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଏବଂ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କ ସହ ସଂଘର ଆଲୋଚନା ହୋଇ ଆସନ୍ତା ଅକ୍ଟୋବର ୧୦ ରୁ ୨୦ ମଧ୍ୟରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଂଘ ସହ ଆଲୋଚନା ହୋଇ ନିଷ୍ପତ୍ତି ନିଆଯିବ ବୋଲି ସ୍ଥିର ହୋଇଛି। ଏହି ସାକ୍ଷାତ ଆଲୋଚନା ରେ ସଂଘର ସଂପାଦକ ପ୍ରିୟବ୍ରତ ମହାପାତ୍ର, ଜିଲ୍ଲା ସଂଯୋଜକ ତାପସ କୁମାର ପାତ୍ର, ଖଣ୍ଡ ସଂଯୋଜକ ଭାଗିରଥି ଘଡ଼େଇ କଲେଜ ସଂଯୋଜକ ଅରୁଣ ରାମ, ସୁଶାନ୍ତ ଦିକ୍ଷୀତ ଙ୍କ ସହିତ ସୋର ଖଣ୍ଡ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀମାନେ ଯୋଗଦାନ କରିଥିଲେ।
