ଦୁର୍ଗାପୂଜା ଭସାଣିରେ ଡିଜେ ବାଜିବା ପଡ଼ିଲା ମହଙ୍ଗା : ପୁଲିସ ପକ୍ଷରୁ ଡିଜେ ଜବତ
ସୋର(ନିପ୍ର, ଭଞ୍ଜଦୂତ, ଜ୍ୟୋତିପ୍ରକାଶ): ଦୁର୍ଗାପୂଜା ଭସାଣିରେ ଡିଜେ ବଜାଇବା ପାଇଁ ପୋଲିସ ତରଫରୁ ସମୃକ୍ତ ଡିଜେକୁ ଜବତ କରାଯାଇଛି। ଏମିତି ଏକ ଘଟଣାରେ ସୋର ପୌର ପାଳିକା ଅନ୍ତର୍ଗତ ଛତ୍ରପୁର ନିକଟରୁ ମା ଦୁର୍ଗାଙ୍କ ଭସାଣିରେ ନିୟୋଜିତ ଥିବା ଏକ ଡିଜେକୁ ସୋର ପୁଲିସ ଜବତ କରିବା ସହିତ ଥାନାରେ ୩ ଜଣଙ୍କୁ ଅଟକ ରଖିଛି। ସୂଚନା ଅନୁସାରେ ଗତକାଲି ଦଶହରା ପର୍ବ ସହ ମାଆ ଦୁର୍ଗାଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହେଉଥିଲା। ପ୍ରଶାସନ ତରଫରୁ ଡିଜେକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ବେଳେ ଛତ୍ରପୁର ମାଆ କଞ୍ଚାଖାଇ ଦୁର୍ଗାଙ୍କ ମେଢ଼ ଭସାଣିରେ ଏକ ଡିଜେ ନିୟୋଜିତ ହୋଇଥିଲା। ପୁଲିସ ଏଥିରେ ହସ୍ତକ୍ଷେପ କରିଥିବା ବେଳେ ଶୋଭାଯାତ୍ରାରେ ଆସିଥିବା ଯୁବକମାନେ ବିରୋଧ କରିବାରୁ ପୁଲିସ ନିରବ ରହିଥିଲା। ପରେ ବିଳମ୍ବିତ ରାତି ୨. ୩୦ ମିନିଟରେ ଭସାଣି ସରିବା ପରେ ସୋର ଥାନାଧିକାରୀ ସୁଦୀପ୍ତ ସାହୁ ଉକ୍ତ ଡିଜେକୁ ଜବତ କରି ସୋର ଥାନାରେ ରଖିବା ସହିତ ଏହାର ଚାଳକ, ହେଲ୍ପର ଏବଂ ଡିଜେ ମାଲିକଙ୍କୁ ଥାନାରେ ଅଟକ ରଖିଥିଲେ। ଆଜି ଏ ବାବଦରେ ପୁଲିସ ସୋର ଥାନାରେ ୭୯୯/୨୫ରେ ଏକ ମାମଲା ରୁଜ୍ଜୁ କରି ଅଟକ ଥିବା ଡିଜେ ମାଲିକ ବାସୁଦେବପୁର ଅଞ୍ଚଳର ଅଶୋକ ପାତ୍ର, ଧନଞ୍ଜୟ ସେଠୀ, ଏସକେ ସିକନ୍ଦରଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡିଥିବା ଜଣାପଡିଛି। ଏଥିସହିତ କଞ୍ଚାଖାଇ ମେଢ଼ ସଭାପତି ମଧୁସୂଦନ ଦେଙ୍କ ନାମରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
