ଗଙ୍ଗୁଆ ପ୍ରଦୂଷିତ ଜଳକୁ ଦୟାନଦୀରେ ନଛାଡିବା ପାଇଁ ଦାବୀ
ସୁରକ୍ଷା ନଦେଲେ ଅସ୍ତିତ୍ୱ ହରାଇବ ଦୟା
କୃଷିକାର୍ଯ୍ୟରେ ଲାଗୁପାରୁନୀ ଦୟାନଦୀ ଜଳ
ଡେଲାଙ୍ଗ, ୨୧ା୯ : ଡେଲାଙ୍ଗ ଓ କଣାସ ବ୍ଲକର ଜୀବନଧାରା ଦୟା ନଦୀର ପାଣି ଏବେ ପ୍ରଦୂଷିତ ହୋଇ ବିଷାକ୍ତ ପାଣି ପାଲଟିଯାଇଛି ।ନଦୀଜଳକୁ ବ୍ୟବହାର କରିବାତ ଦୂରର କଥା କୃଷି କାର୍ଯ୍ୟରେ ବ୍ୟବହାର କଲେ ମାଟିର ଉର୍ବରତା ହ୍ରାସ କରି ଫସଲ କ୍ଷେତ ଉଜାଡି ଦେଉଥିବା ନଦୀ ଅବବାହିକା ଚାଷୀମାନେ ଅଭିଯୋଗ କରିଛନ୍ତି । ତେଣୁ ଦୟାକୁ ପ୍ରବେଶ କରୁଥିବା ଭୂବନେଶ୍ୱରର ବିଷାକ୍ତ ଜଳ ,ଗଙ୍ଗୁଆ କବଳରୁ ତୁରନ୍ତ ସୁରକ୍ଷା ଦିଆନଗଲେ ଦୟା ନିଜର ଅସ୍ତିତ୍ୱ ହରାଇବା ଅଭିଯୋଗ କରି ରବିବାର ଦାୟା ସୁରକ୍ଷା ଅଭିଯାନ ପକ୍ଷରୁ କୃଷକ ନେତା ଅଶୋକ ପ୍ରଧାନଙ୍କ ନେତୃତ୍ୱରେ ଦୟା ସୁରକ୍ଷା ଅଭିଯାନର ସଚିକାନ୍ତ ପ୍ରଧାନ, ଅଭିମନ୍ୟୁ ସ୍ୱାଇଁ, ଭଗବାନ ପରିଡା, ପୂର୍ବତନ ସରପଞ୍ଚ ପ୍ରସନ୍ନ ମହାରଥି, ବୁଲା ବେହେରା, ତ୍ରିଲୋଚନ ବେହେରା ପ୍ରଦୀପ ଖଟେଇ ପ୍ରମୁଖଙ୍କ ସହିତ ଶତାଧିକ ଜନସାଧାରଣ ବଡକଣ୍ଟି ଠାରେ ପ୍ରତିବାଦ କରିଥିଲେ ।ବଡକଣ୍ଟି ସ୍ଥିତ ଦୟା ଓ ଗଙ୍ଗୁଆ ସଙ୍ଗମ ସ୍ଥଳରେ ଆୟୋଜିତ ଏହି ପ୍ରତିବାଦ ସମାବେଶରେ ପ୍ରଦୂଷିତ ପାଣି ମଧ୍ୟରେ ଛିଡା ହୋଇ ଗଙ୍ଗୁଆ ପାଣିକୁ ଦୟାକୁ ନଛାଡିବା, ଚିଲିକାକୁ ପ୍ରଦୂଷଣ ମୁକ୍ତ କରିବା, ପ୍ରଦୂଷଣ ଜଳରୁ ମତ୍ସଜିବୀଙ୍କୁ ସୁରକ୍ଷା ଦେବା, ଦୟାନଦୀକୁ ପ୍ରଦୂଷଣ ମୁକ୍ତ କରିବା ନେଇ ହାତରେ ବିଭିନ୍ନ ଫ୍ଲଗକାର୍ଡ ଧରୀ ଅଭିନବ ଭାବେ ପ୍ରଦିବାଦ କରିଥିଲେ । ଏନେଇ ବାରମ୍ବାର ବିଭିନ୍ନ ସରକାରୀ ଅଫିସରମାନଙ୍କୁ ଅଭିଯୋଗ କରାଗଲେ ମଧ୍ୟ କୌଣସୁ ସୁଫଳ ମିଳିନଥିବା ବେଳେ ଆଗାମୀ ଦିନରେ ସମସ୍ୟା ସମାଧାନ ନହେଲେ ଗଙ୍ଗୁଆ ନାଳକୁ ଶତାଧିକ ଜନସାଧାରଣ ଏକତ୍ର ହୋଇ ବନ୍ଧ ପକାଇବେ ବୋଲି କୃଷକ ନେତା ଶ୍ରୀ ପ୍ରଧାନ ଚେତାବନୀ ଦେଇଛନ୍ତି । ଆଗାମୀ ଦିନରେ ସମସ୍ୟା ସମାଧାନ ନହଲେ ଭୂବନେଶ୍ୱରେ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ଅଭିଯାନ ପକ୍ଷରୁ କଡାଚେତାବନି ଦିଆଯାଇଛି । ସୂଚନା ଥାଉକି ଚନ୍ଦକା ସଂରକ୍ଷିତ ଜଙ୍ଗଲରୁ ବାହାରିଥିବା ଗଙ୍ଗୁଆ ନାଳ ନନ୍ଦନକାନନ, ପଟିଆ, କଳାରାହାଙ୍ଗ, ମଂଚେଶ୍ୱର, ରସୁଲଗଡ ପ୍ରଭୃତି ଅଂଚଳ ଦେଇ ପଳାଶୁଣି ଠାରେ ଗୋଟିଏ ଭାଗ କୁଆଖାଇ ନଦୀରେ ମିଶିଥିବା ବେଳେ ଅନ୍ୟ ଏକ ଭାଗ ପାଣ୍ଡରା, ବଡଗଡ, ଶିଶୁପାଳଗଡ, ନୁଆଗାଁ, ଗୋବର୍ଦ୍ଧନପୁର, ପଳାସପୁର ଶାସନ, ପଥପଡା, ପାଂଚଗାଁ, ବେଣାବିଲି ଦେଇ ପିପିଲି ବ୍ଲକ କଂଟି-ବାରିମୂଳ ଠାରେ ଦୟା ନଦୀରେ ମିଶିଛି । ଭୂବନେଶ୍ୱର ସହରର ୧୬ରୁ ଅଧିକ ନାଳ ନର୍ଦ୍ଦମା ସହିତ ଶିଳ୍ପାଂଚଳର ବର୍ଯ୍ୟବସ୍ତୁ ଓ ପ୍ରଦୂଷିତ ଜଳ ଗଙ୍ଗୁଆ ନାଳ ଦେଇ ଦୟାରେ ପ୍ରବାହିତ ହେଉଛି । ଅନ୍ୟପଟେ ଡେଲାଙ୍ଗ ବ୍ଲକ ତିରୁମଲ ଦୟା ନଦୀ ସେତୁ ନିକଟରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ବ୍ଲକର ୧୫ଟି ପଂଚାୟତକୁ ଏହା ପାନୀୟ ଜଳ ଯୋଗାଇବ ବୋଲି ଜଣାପଡିଛି । ମେଗା ପ୍ରକଳ୍ପ ମାଧ୍ୟମରେ ଗ୍ରାମାଂଚଳର ସାଧାରଣଙ୍କୁ ବିଶୁଦ୍ଧ ପାଣି ଯୋଗଇବା ଲକ୍ଷନେଇ ଗ୍ରାମ୍ୟ ପାନୀୟଜଳ ଓ ପରିମଳ ବିଭାଗ ପକ୍ଷରୁ ପ୍ରତି ଗାଁକୁ ପାଇପ ସଂଯୋଗ କରାଯାଉଛି । ବିନା ଟ୍ରିଟମେଂଟ ପ୍ଲାଂଟରେ କିପରି ମେଗା ପ୍ରକଳ୍ପ ଜରିଆରେ ପାନୀୟ ଜଳ ଯୋଗାଇଦିଆଯିବ ,ତାହା ଏବେ ଚିନ୍ତାର ବିଷୟ ପାଲଟିଛି ।
