
ବିଞ୍ଝାରପୁର (ସରୋଜ କୁମାର ଧଳ) : ବିଂଝାରପୁର ବ୍ଲକର ମାଂସଡା ଠାରୁ ଦଶରଥପୁର ବ୍ଲକର ମଧୁପୁର ପର୍ଯନ୍ତ ପୂର୍ତ୍ତ ବିଭାଗ ଅଧିନସ୍ଥ ରାସ୍ତାର କପିଳା ଠାରୁ ଅଳକୁଣ୍ଡ ପର୍ଯ୍ୟନ୍ତ ପ୍ରାୟ ଏକ କି ମି ରାସ୍ତା ଗମନା ଗମନ ଓ ପରିବହନ ପାଇଁ ସମ୍ପୂର୍ଣ ଅନୁପଯୁକ୍ତ ହୋଇପଡିଛି।ରାସ୍ତାର ବହୁ ସ୍ଥାନରେ ଫୁଟେ, ଦୁଇ ଫୁଟ ଗଭୀରର ଖାଲ, ଖମାର ହୋଇଥିବାରୁ ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି।ଏହି ରାସ୍ତା ଦେଇ ସବୁ ସମୟରେ ହ୍ଵାଆଇ ଯୋଗେ ବାଲି ବୁହା ହେଉଥିବାରୁ ରାସ୍ତାର ଅବସ୍ଥା ଆହୁରି ଶୋଚନୀୟ ହୋଇପଡିଛି।ବାରମ୍ବାର ଅଂଚଳବାସୀଙ୍କ ପକ୍ଷରୁ ଏହି ରାସ୍ତାର ସ୍ଥାୟୀ ମରାମତି ତଥା ପୁନଃନିର୍ମାଣ ପାଇଁ ବିଭାଗୀୟ କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ ଅଧିକ୍ଷଣ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ ଅର୍ଥ ନଥିବା ଆଳରେ ଆଜକୁ ଏକ ବର୍ଷ ହେବ, ରାସ୍ତା ମରାମତି ହୋଇପାରିନାହିଁ।ଅପରନ୍ତୁ ପୂର୍ତ୍ତ ବିଭାଗ ଦ୍ଵାରା ଭଲ ଥିବା ରାସ୍ତାକୁ ମରାମତି ଓ ପୁନଃନିର୍ମାଣ ନାମରେ ଗୁପ୍ତ ଟେଣ୍ଡର କରାଯାଇ କୋଟି କୋଟି ଟଙ୍କା ଠିକାଦାର, ରାଜନେତା ଓ ଯନ୍ତ୍ରୀ ହରିଲୁଟ କରୁଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି।ଏଣୁ ରାସ୍ତାର ଦୂରବସ୍ଥାକୁ ଅଖି ଆଗରେ ରଖି ଏହାର ତୁରନ୍ତ ମରାମତି ଓ ପୁନଃନିର୍ମାଣ ପାଇଁ କିଛି ସମାଜସେବୀ, ବରିଷ୍ଠ ନାଗରିକ ଓ ଚିନ୍ତାଶୀଳ ବ୍ୟକ୍ତି ମିଳିତ ଭାବେ ବିଞ୍ଝାରପୁର ବ୍ଲକରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ଲିଖିତ ଅଭିଯୋଗ କରିଛନ୍ତି।ଜିଲ୍ଲାପାଳ ମହୋଦୟ ଅଭିଯୋଗର ଗୁରୁତ୍ୱକୁ ଅନୁଭବ କରି ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ରାସ୍ତା ମରାମତି କାର୍ଯ୍ୟ ସାରିବାକୁବିଭାଗୀୟ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ଲିଖିତ ନିର୍ଦ୍ଦେଶ ଦେଇଛନ୍ତି। ଲିଖିତ ଅଭିଯୋଗ ନେଇ ଆଜି ଜିଲ୍ଲାପାଳଙ୍କୁ ଭୁବନାନନ୍ଦ ସାମଲ, ବଳରାମ ବଳ, ସନାତନ ସାହୁ ,ଅମୁଲ୍ୟ ଦେବତା, ନିହାର ରଞ୍ଜନ ସାମଲ, ଧନେଶ୍ୱର ସାମଲ, ପଦୀପ ସାମଲ, ନବକିଶୋର ଜେନା, କୁଶ ମଳିକ ପ୍ରମୁଖ ଭେଟିଥିଲେ।
