*ନୂଆପଡ଼ା ଜିଲ୍ଲା କାଦୋମେରୀ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ସଭା, ବର୍ତ୍ତନ ବ୍ୟାଙ୍କ ଉଦ୍ଘାଟନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ l*
ନୁଆପଡ଼ା,( ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ନୂଆପଡ଼ା ବ୍ଲକ୍ କାଦୋମେରୀ ପଞ୍ଚାୟତରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ବରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି l ଏଥିରେ , ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,ଉପଜିଲ୍ଲାପାଳ ସୁର୍ମି ସୋରେନ, ସି ଡି ଏମ୍ ଓ ଡଃ ଧନେଶ୍ୱର ସେଠୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ତାରେଶ୍ଵରୀ ସାହୁ,ବିଡ଼ିଓ ରୋହିତ ଭୋଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଙ୍ଗୀତା ପାତ୍ର, ସ୍ଥାନୀୟ ସରପଞ୍ଚ ମମତା ପୁଞ୍ଜି ପ୍ରମୁଖ ଅତିଥି ହିସାବରେ ଯୋଗଦେଇଥିଲେ l ନୂଆପଡ଼ା ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ସମସ୍ତ ଅତିଥି, ଅଧିକାରୀ ତଥା ଜନସାଧାରଣଙ୍କୁ ସ୍ବାଗତ କରି ସଭା ପରିଚାଳନା କରିଥିଲେ l ସଭାରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦେଇ ଶ୍ରମିକ ,କୃଷକ , ମହିଳା ତଥା ଜନସାଧାରଣଙ୍କ ପାଇଁ ଥିବା ବିଭାଗୀୟ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ l ନୂଆପଡା ଜିଲ୍ଲା ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଘୋଷିତ ହୋଇଥିବାରୁ କାଦୋମେରୀ ପଞ୍ଚାୟତରେ ମିଶନ ଶକ୍ତି ବିଭାଗ ତରଫରୁ ତିନିଶହ ବ୍ୟକ୍ତିଙ୍କ ପଙ୍କ୍ତି ଭୋଜନ ପାଇଁ ଷ୍ଟିଲର ବାସନ ବର୍ତ୍ତନ ର ବର୍ତ୍ତନ ବ୍ୟାଙ୍କ କୁ ଜିଲ୍ଲାପାଳ ଓ ଅତିଥି ମାନେ ଶୁଭ ଉଦ୍ଘାଟନ କରିଥିଲେ l ସଭାରେ ପ୍ରବାସୀ ଶ୍ରମିକରୁ ଫେରିଥିବା ରୋହିତ ସାହୁ ଯିଏ ଜଣେ ସଫଳ ଚାଷୀ ହୋଇଛନ୍ତି ଏବଂ ଅନ୍ୟ ଶ୍ରମିକ ଯେଉଁମାନେ ଫେରି ଆଉଥରେ ଏ କାମକୁ ଯାଇ ନାହାନ୍ତି ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଜିଲ୍ଲାପାଳ ସମସ୍ତଙ୍କୁ ସଂଵୋଧନ କରି କହିଲେଯେ ଘର ପାଖରେ ବିଭିନ୍ନ ଶ୍ରମଭିତ୍ତିକ କାମ ତଥା ବ୍ୟବସାୟ ଆରମ୍ଭ କରିବା ପାଇଁ ସହଜ ଋଣ ମିଳୁଥିବାରୁ ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ନ ଯିବା ପାଇଁ ସମସ୍ତେ ପଣ କରନ୍ତୁ l ଜିଲ୍ଲା ପ୍ରଶାସନ ସମସ୍ତ ଶ୍ରମିକ ମାନଙ୍କୁ ଖାଦ୍ୟ ,ଉତ୍ତମ ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, ଜଳସେଚନ ସୁବିଧା ସହିତ ଜୀବନ ଜୀବିକା ନିର୍ବାହ ପାଇଁ ବିଭିନ୍ନ ଯୋଜନାରେ ସାମିଲ କରିବା ପାଇଁ ପଦକ୍ଷେପ ନେଉଛନ୍ତି l ଯେଉମାନେ ଗତ ବର୍ଷ ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ଯାଇଥିଲେ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବ l ସମସ୍ତେ ମିଶି ନୂଆପଡ଼ାକୁ ପ୍ରବାସୀ ଶ୍ରମିକ ଏବଂ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲାରେ ପରିଣତ କରିବା ପାଇଁ ସେ ଆହ୍ଵାନ ଦେଇଥିଲେ l
ପ୍ରଥମେ ସମାରୋହରେ ଝିଅ ପାଇଁ ଗଛଟିଏ ଏବଂ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lଏଥିରେ ଜିଲ୍ଲାପାଳ ନବଜାତକ ଶିଶୁ କନ୍ୟା ବିନ୍ନୀ ସୁନାକୁ କୋଳରେ ଧରି ତାହାର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ । ଶିଶୁର ପିତାମାତାଙ୍କୁ ଉପହାର ସହିତ ନୂତନ ବୃକ୍ଷ ଚାରା ପ୍ରଦାନ କରିଥିଲେ l ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ଗର୍ଭବତୀ ମହିଳାଙ୍କୁ ଫଳମୂଳ, ପନିପରିବା, ପୃଷ୍ଟିକର ଖାଦ୍ୟ ଏବଂ ବିଭିନ୍ନ ଉପହାର ଅତିଥି ମାନେ ଭେଟି ଦେଇଥିଲେ l ଶେଷରେ ଜିଲ୍ଲାପାଳ ଏବଂ ସମସ୍ତ ଅତିଥି ଧାନ ମଣ୍ଡି ପରିସରରେ ବୃକ୍ଷରୋପଣ କରିଥିଲେ l ଆଜିର ଏହି ନିଆରା କାର୍ଯ୍ୟକ୍ରମ ପାଇଁ କାଦୋମେରୀ ଗାଁ ଆନନ୍ଦ ମୁଖର ହୋଇ ଉଠିଥିଲା l ଛାତ୍ରୀ ମାନେ ସୁନ୍ଦର ସାଂସ୍କୃତିକ ନୃତ୍ୟଗୀତ ପରିବେଷଣ କରିଥିଲେ l କାର୍ଯ୍ୟକ୍ରମକୁ ନୂଆପଡ଼ା ବିଡ଼ିଓ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ , ନୂଆପଡ଼ା ସିଡିପିଓ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆୟୋଜନ କରିଥିଲେ।
