
କଙ୍କଡ଼ାହାଡ଼ (ଗୋକୁଳାନନ୍ଦ ବେହେରା) – ଢେଙ୍କାନାଳ ଜିଲ୍ଳାରେ ବାଲ୍ୟ ବିବାହ ନିରାକରଣ ଓ ଶିଶୁ ଅଧିକାର ଉଲଂଘନ ଉପରେ ସଚେତନତା ସକାଶେ କଙ୍କଡ଼ାହାଡ଼ ବ୍ଲକର ତିଳେଇବେରେଣି ଗ୍ରାମ ଠାରେ ବିଶ୍ୱ ଯୁବକେନ୍ଦ୍ର ପକ୍ଷରୁ ପରିଚାଳିତ ପ୍ରକଳ୍ପ ଆକ୍ସେସ ଟୁ ଜଷ୍ଟିସ ଫର ଚିଲଡ୍ରେନ୍ସ ତରଫରୁ ଆଜି ୬ ଅଗଷ୍ଟ ୨୦୨୫ ତାରିଖ ଦିନ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି | ବୈଠକରେ ଏହି ଗ୍ରାମରେ ପ୍ରାୟ ୫୦ ଜଣ ମହିଳା ତଥା କିଶୋରୀ ବାଳିକା ଯୋଗଦେଇଥିଲେ | ଏହି କାର୍ଯ୍ୟକ୍ରମ ର ମୁଖ୍ୟ ବିଷୟବସ୍ତୁ ବାଲ୍ୟବିବାହ ନିଷେଧ ଆଇନ ୨୦୦୬ ବିଷୟରେ ସଚେତନତା, ବାଲ୍ୟବିବାହ ଯୋଗୁଁ ଝିଅ ଉପରେ ପଡ଼ୁଥିବା ଶାରୀରିକ, ପାରିବାରିକ, ମାନସିକ ତଥା ଆର୍ଥିକ ଚାପ, ଶିକ୍ଷା ତଥା ଆତ୍ମନିର୍ଭରଶୀଳତା ଅଭାବ, ସାମାଜିକ କୁପରିଣାମ, ବାଲ୍ୟବିବାହ କ୍ଷେତ୍ରରେ ଆୟୋଜନକାରି, ଯୋଗଦେଇଥିବା ଅତିଥି, ତଥା ବିଭିନ୍ନ ସହଯୋଗୀଙ୍କୁ ଦଣ୍ଡବିଧାନ ତଥା ନିରାକରଣ ଉପରେ ଆଲୋଚନା ହୋଇଥିଲା | ଏହାବ୍ୟତୀତ ବୈଠକରେ ଶିଶୁ ଶ୍ରମିକ, ଶିଶୁ ଚାଲାଣ ଓ ଶିଶୁମାନଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନା ଉପରେ ଆଲୋଚନା ହୋଇଥିଲା | ଏହି ଅବସରରେ କୌଣସି ଶିଶୁ ଅଧିକର ଉଲ୍ଲଙ୍ଘନ ଦେଖିଲେ ଚାଇଲ୍ଡ ହେଲ୍ପ ଲାଇନର ଦେୟମୁକ୍ତ ନମ୍ବର ୧୦୯୮କୁ ଫୋନ୍ କରି ଜଣାଇବାକୁ ପରାମର୍ଶ ଦିଅଯାଇଥିଲା | ଏହାବ୍ୟତୀତ କଙ୍କଡ଼ାହାଡ଼ ବ୍ଲକର ପ୍ରତ୍ୟେକ ପଂଚାୟତରେ କାର୍ଯ୍ୟକାରୀ ହେଉଥିବା ବିବାହ ରେଜିଷ୍ଟର ଓ ପଳାୟନ ରେଜିଷ୍ଟର ବିଷୟରେ ସୂଚନା ଦେଇ ତାକୁ କାର୍ଯ୍ୟକାରୀ କରିବା ନିମନ୍ତେ ସହଯୋଗ ପାଇଁ ଆହ୍ୱାନ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ୱାର୍ଡ଼ ମେମ୍ବର ଓ ଅଙ୍ଗନୱାଡି କର୍ମୀ ଉପସ୍ଥିତ ଥିଲେ| କାର୍ଯ୍ୟକ୍ରମର ଆୟୋଜନ ଓ ପରିଚାଳନା ପ୍ରକଳ୍ପ ସହଯୋଗୀ ପୂର୍ଣ୍ଣିମା ସାହୁ କରିଥିଲେ ।