
ଯାଜପୁର: ନିପ୍ର) ଜୟନ୍ତ କୁମାର ପଣ୍ଡା ରିପୋର୍ଟର ଭଂଜଦୂତ:- ମଣିନାଥପୁର ମଶାଣିରୁ ପୁଣି ୪ ଶବ ଗାଏବ ହୋଇଛି। କିଛି ମାସର ବ୍ୟବଧାନ ପରେ ଏହି ଘଟଣା ଏବେ ଚର୍ଚ୍ଚାକୁ ଫେରିଥିବା ବେଳେ ପୁଲିସ କୌଣସି ସୁରାକ ନ ପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଘଟଣା ଏବେ ବି ସୁଦ୍ଧା ରହସ୍ୟ ଜନକ ହୋଇ ରହିଛି।ଶବକୁ ଖୋଳୁଛି କିଏ ନେଉଛି କିଏ ତାହା ଏଯାଏଁ ଜଣାପଡ଼ୁନାହିଁ। ଶବ ଚୋରି ପଛରେ କୌଣସି ରାକେଟ କାମ କରୁଥିବା ଅଭିଯୋଗ ହେଉଥିବା ବେଳେ ଏହା ଚୋରି ହୋଇ କଲିକତା ବାଟେ ଜଳପଥରେ ବାଂଲାଦେଶକୁ ଚାଲାଣ ହେଉଥିବା ଆଲୋଚନା ହେଉଛି। ସୂଚନା ଅନୁସାରେ, ଭଣ୍ତାରିପୋଖରୀ ଥାନା ବୈତରଣୀ ନଦୀକୂଳ ମଣିନାଥପୁର ମଶାଣିରୁ ୪ଟି ଶବ ଗାଏବ ହୋଇଥିବା ଗ୍ରାମବାସୀ ଜାଣିବାକୁ ପାଇଥିଲେ। ଗତ କିଛି ମାସ ମଧ୍ୟରେ ଗ୍ରାମର ଲକ୍ଷ୍ମୀପ୍ରିୟା ବେହେରା, ସତ୍ୟଭାମା ପରିଡ଼ା, ଶତ୍ରୁଘ୍ନ ଦାସ, ପ୍ରମିଳା ଦାସଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କର ଶବକୁ ପରିବାର ପକ୍ଷରୁ ମଣିନାଥପୁର ମଶାଣିରେ ପୋତି ସତ୍କାର କରାଯାଇଥିଲା। ସତ୍କାର କରାଯାଇଥିବା ସ୍ଥାନରେ ଗାତ ଖୋଳି ୪ଟି ଶବକୁ କେହି କାଢ଼ି ନେଇଥିବା ଗୁରୁବାର ସକାଳେ ଗାଁ ଲୋକେ ଦେଖିଥିଲେ। ତେବେ ଶବ କିଏ କାଢ଼ିଲା ଓ କାହିଁକି କାଢ଼ିଲା ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୭ ମସିହାରୁ ଅଦ୍ୟାବଧି ଏହି ମଶାଣିରୁ ୧୫ରୁ ଊର୍ଦ୍ଧ୍ବ ଶବ ଗାଏବ ହେଲାଣି। ଶବ ଚୋରି ପଛରେ ଆନ୍ତର୍ଜାତିକ ରାକେଟ୍ର ହାତ ଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି। ଏ ନେଇ ପୂର୍ବରୁ ଥାନାରେ ଅଭିଯୋଗ ହୋଇଥିଲେ ବି ପୁଲିସ ଆଜି ପର୍ଯ୍ୟନ୍ତ ଏହାର ରହସ୍ୟ ଭେଦ କରିପାରିନାହିଁ। ଗତ ୨୦୨୩ମସିହାରେ ଉକ୍ତ ଶ୍ମଶାନରୁ ୩ଗୋଟି ଶବ ଚୋରିହୋଇଥିଲା। ପରବର୍ତ୍ତୀ ସମୟରେ ଚଳିତ ବର୍ଷ ଏପ୍ରିଲ ମାସରେ ଜଣେ ମହିଳାଙ୍କ ଶବ ଚୋରି ହୋଇଥିଲା। ଗ୍ରାମର ଶ୍ରୀମନ୍ତ ସାମଲଙ୍କ ପତ୍ନୀ ରୁକ୍ମଣୀ ସାମଲ(୫୨)ଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା । ପରିବାର ଲୋକେ ମୃତଦେହକୁ ଗାଁ ପାଖ ବୈତରଣୀ ନଦୀ ନିକଟରେ ଥିବା ସ୍ଵର୍ଗଦ୍ଵାର ଶ୍ମଶାନରେ ପାରମ୍ପରିକ ରୀତି ଅନୁଯାୟୀ ଗାତ ଖୋଳି ପୋତି ଦିଆଯାଇଥିଲା । ତେବେ ଦଶାହ କର୍ମ ପାଇଁ ଆବଶ୍ୟକୀୟ ଦଶାହ କର୍ମ ଦୀପ ନେଇ ମାଆଙ୍କ ଶବ ପୋତିଥିବା ବୈତରଣୀ ନଦୀ ନିକଟ ସ୍ଵର୍ଗଦ୍ଵାର ଶ୍ମଶାନକୁ ଯାଇଥିଲେ ପୁଅ ତାପସ ଓ ସମ୍ପର୍କୀୟ । ତେବେ ତାପସ ପହଞ୍ଚି ଦେଖିଲେ ମାଆଙ୍କ ଶବ ପୋତା ସ୍ଥାନ ଖୋଳା ଯାଇଛି । ସମ୍ପର୍କୀୟ ଓ ଗାଁ ଲୋକ ଅନେକ ଖୋଜାଖୋଜି କଲେ କିନ୍ତୁ ଶବ ମିଳିଲା ନାହିଁ । ଶବ ପୋତା ସ୍ଥାନରେ ମଦ ବୋତଲ ପାଣି ବୋତଲ ପଡ଼ିଥିବା ବେଳେ ଗାତ ପାଖରୁ ଶବ ଟିକୁ ଘୋଷାରି ଘୋଷାରି ନେଇଥିବା ଚିହ୍ନ ଦେଖା ଯାଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ଏନେଇ ଥାନାରେ ଅଭିଯୋଗ ହୋଇଥିଲେ ସୁଦ୍ଧା ପୁଲିସକୁ କୌଣସି ସୁରାକ ମିଳିପାରିନାହିଁ। ପୁଣି ଏବେ ଚାରି ଗୋଟି ଶବ ଚୋରିହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।