
*ପୋଖରୀକୁ ଡେଇଁ ଖସିବାକୁ ଚେଷ୍ଟା, ୧୦ ହଜାର ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଏସ୍ଆଇ*
*ରେଷ୍ଟ ରୁମରୁ ମିଳିଲା ଆହୁରି ୧,୫୫,୭୦୦ ଟଙ୍କା, ଆୟ ବହିର୍ଭୂତ ସମ୍ପତ୍ତି ନେଇ ଚଢ଼ାଉ ଜାରି*
*ସମ୍ବଲପୁର, ୫/୧୧:* ଲାଞ୍ଚ ନେବା ବେଳେ ଧରା ନ ପଡ଼ିବା ପାଇଁ ଥାନା ଅଧିକାରୀ ପୋଖରୀକୁ ଡେଇଁ ପଡ଼ିଲେ, ଆଉ ଭିଜିଲାନ୍ସ ଅଧିକାରୀ ବି ପଛରେ ପହଁରି ଯାଇ ଧରି ପକାଇଲେ। ଏଭଳି ଫିଲ୍ମ ଷ୍ଟାଇଲ୍ ଘଟଣା ଘଟିଛି ସମ୍ବଲପୁର – ମହୁଲପାଲି ଥାନାରେ। ଥାନାର ସବ୍-ଇନ୍ସପେକ୍ଟର ସୁଜିତ କୁମାର ମହାନ୍ତ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏହି ଘଟଣା ପରେ ସାରା ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି।
*କଣ ଥିଲା କେସ୍ ?*
ଅଭିଯୋଗକାରୀଙ୍କ ବିରୋଧରେ ଥାନାରେ ରୁଜୁ ହୋଇଥିବା ଏକ ମିସଲିନିୟସ୍ କେସକୁ ଫାଇନାଲ କରିବା ପାଇଁ ଏସ୍ଆଇ ସୁଜିତ କୁମାର ମହାନ୍ତ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ବୋଲି ଅଭିଯୋଗ ହୋଇଥିଲା। ସେ ନିଜେ ଏହି କେସର ତଦନ୍ତକାରୀ ଅଧିକାରୀ ଥିଲେ। କେସ୍ ଫାଇନାଲ କରିବା ନାଁରେ ଟଙ୍କା ନ ଦେଲେ କେସ୍ ଅଟକି ରହିବ ବୋଲି ଅଭିଯୋଗକାରୀ ଚାପରେ ଥିଲେ। ଶେଷରେ ବାଧ୍ୟ ହୋଇ ସେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।
ଭିଜିଲାନ୍ସ ଟିମ୍ ପୂର୍ବରୁ ଯୋଜନା କରି ଜାଲ୍ ବିଛାଇଥିଲା। ଅଭିଯୋଗକାରୀଙ୍କୁ କୁହାଯାଇଥିଲା ଯେମିତି କହିବେ ସେମିତି କରିବାକୁ।
*ସନ୍ଧ୍ୟାରେ ଜାଲ୍ ପଡ଼ିଲା*
ଆଜି ସନ୍ଧ୍ୟାରେ ଏସ୍ଆଇ ଅଭିଯୋଗକାରୀଙ୍କୁ ଥାନା ବାହାରେ ଏକ ନିରୋଳା ସ୍ଥାନକୁ ଡାକିଥିଲେ। ଥାନା ଭିତରେ ଟଙ୍କା ନେଲେ ଧରା ପଡ଼ିଯିବେ ବୋଲି ସେ ବାହାରେ ଟଙ୍କା ନେବାକୁ ଯୋଜନା କରିଥିଲେ। ଅଭିଯୋଗକାରୀ ପହଞ୍ଚିବା ପରେ ସେ ଲାଞ୍ଚ ଟଙ୍କା ନେଲେ। ଠିକ୍ ସେହି ସମୟରେ ଆଖପାଖରେ ଛକି ରହିଥିବା ଭିଜିଲାନ୍ସ ଟିମ୍ ସାମ୍ନାକୁ ଆସିଗଲା।
*ପୋଖରୀକୁ ଡେଇଁଲେ ଏସ୍ଆଇ*
ଭିଜିଲାନ୍ସ ଟିମକୁ ଦେଖି ଏସ୍ଆଇ ପ୍ରଥମେ ଦୌଡ଼ି ପଳାଇବାକୁ ଚେଷ୍ଟା କଲେ। ଟିମ୍ ପିଛା କରିବାରୁ ସେ ନିକଟସ୍ଥ ପୋଖରୀକୁ ଡେଇଁ ପଡ଼ିଲେ। ଭାବିଥିଲେ ପୋଖରୀକୁ ଡେଇଁଲେ ଖସି ଯିବେ, କିମ୍ବା ଲାଞ୍ଚ ଟଙ୍କାକୁ ଲୁଚାଇ ଦେବେ। ହେଲେ ଭିଜିଲାନ୍ସ ଟିମର ଜଣେ ସଦସ୍ୟ ମଧ୍ୟ ପଛରେ ପୋଖରୀକୁ ଡେଇଁ ପହଁରି ଯାଇ ତାଙ୍କୁ ଧରି ପକାଇଲେ। ସେଠାରୁ ଲାଞ୍ଚ ଟଙ୍କା ଜବତ ହୋଇଛି। ଏହି ଦୃଶ୍ୟ ଦେଖି ସେଠାରେ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
*ରେଷ୍ଟ ରୁମରୁ ୧.୫୫ ଲକ୍ଷ ଜବତ*
ଏସ୍ଆଇଙ୍କୁ ଧରିବା ପରେ ଭିଜିଲାନ୍ସ ଟିମ୍ ଥାନା ପରିସରରେ ଥିବା ତାଙ୍କ ରେଷ୍ଟ ରୁମରେ ଚଢ଼ାଉ କରିଥିଲା। ସେଠାରୁ ଆହୁରି ୧,୫୫,୭୦୦ ଟଙ୍କା ଜବତ ହୋଇଛି। ଏହି ଟଙ୍କାର ହିସାବ ସେ ଦେଇ ପାରି ନଥିବା ଜଣାପଡ଼ିଛି। ଆୟ ବହିର୍ଭୂତ ସମ୍ପତ୍ତି ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।
*୨୦୨୧ ବ୍ୟାଚ୍ ଅଧିକାରୀ*
ସୁଜିତ କୁମାର ମହାନ୍ତ ୨୦୨୧ରେ ସିଧାସଳଖ ନିଯୁକ୍ତି ପାଇ ପୋଲିସ ସେବାରେ ଯୋଗ ଦେଇଥିଲେ। ମାତ୍ର କିଛି ବର୍ଷ ଭିତରେ ହିଁ ଲାଞ୍ଚ ମାମଲାରେ ଫସି ଯାଇଛନ୍ତି। ସମ୍ବଲପୁର ଭିଜିଲାନ୍ସ ଥାନା କେସ ନଂ ୨୧/୨୦୨୬ ରୁଜୁ ହୋଇଛି। ତଦନ୍ତ ପରେ ତାଙ୍କୁ ଗିରଫ କରାଯିବ ବୋଲି ଜଣାପଡ଼ିଛି।
ଏହି ଘଟଣା ପୁଣି ଥରେ ପ୍ରମାଣ କରିଛି ଯେ ସାଧାରଣ ଲୋକଙ୍କୁ ନ୍ୟାୟ ପାଇଁ କେତେ କଷ୍ଟ ସହିବାକୁ ପଡ଼ୁଛି। ଲୋକେ କହୁଛନ୍ତି, ଭିଜିଲାନ୍ସର ଏଭଳି କାର୍ଯ୍ୟାନୁଷ୍ଠାନ ଜାରି ରହିଲେ ଲାଞ୍ଚ ନେବା ଆଗରୁ ଅଧିକାରୀମାନେ ଥରେ ଭାବିବେ।
*ବ୍ୟୁରୋ ରିପୋର୍ଟଶୁଭାଶିଷ ଚୌଧୂରୀ, ଭଞ୍ଜଦୂତ ଖବର*
