କେ.ଏଲ୍. ମେମୋରିଆଲ ହସ୍ପିଟାଲରେ ଷଷ୍ଠ ତମ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର
ସୋର, ୨/୧୧(ନିପ୍ର, ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ): ସୋର ସ୍ଥିତ କେ ଏଲ ଏମ୍ ହସ୍ପିଟାଲରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ । ମାନବ ସେବା ହିଁ ମାଧବ ସେବା। ରକ୍ତଦାନ ମାଧ୍ୟମରେ ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇବା ଭଳି ମହତ୍ କାର୍ଯ୍ୟ ଆଉ କିଛି ହୋଇନପାରେ । ଏହି ମହତ୍ ଉଦ୍ଦେଶ୍ୟକୁ ଆଧାର କରି ସ୍ୱର୍ଗତ ସଂଯୁକ୍ତା ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ସୋର ସ୍ଥିତ କେ.ଏଲ୍. ମେମୋରିଆଲ ହସ୍ପିଟାଲ ପରିସରରେ ଷଷ୍ଠ ବାର୍ଷିକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ।ଏହି ରକ୍ତଦାନ ଶିବିରରେ ଅବସରପ୍ରାପ୍ତ ବାଲେଶ୍ୱର ସିଡିଏମ୍ଓ ଶଶାଙ୍କ ଶେଖର ଆଚାର୍ଯ୍ୟ, ଅବସରପ୍ରାପ୍ତ ପ୍ରାଧ୍ୟାପକ ପଦ୍ମଲୋଚନ ଦ୍ୱିବେଦୀ, ଅବସରପ୍ରାପ୍ତ ସ୍ୱାସ୍ଥ୍ୟ ସୁପରଭାଇଜର ଭଗବାନ ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷକ କମଳାକାନ୍ତ ପତି, ସୁବେଦାର ମେଜର ଗିରିଶ କୁମାର ଷଡ଼ଙ୍ଗୀ, ଦାମୋଦର ଦାଶମହାପାତ୍ର, ଗଙ୍ଗାଧର ପାଢ଼ୀ ଏବଂ ମେଡିକାଲ ଅଫିସର ତାରାକାନ୍ତ ନନ୍ଦ ପ୍ରମୁଖ ଉପସ୍ଥିତ ରହି ଶିବିରର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଡାକ୍ତର ଧୀରେଶ କୁମାର ଷଡ଼ଙ୍ଗୀ ଉପସ୍ଥିତ ଅତିଥି ଓ ରକ୍ତଦାତା ମାନଙ୍କୁ ସ୍ୱାଗତ ଜଣାଇଥିଲେ। ରକ୍ତ ଦାନର ମହତ୍ତ୍ୱ ଓ ଏହାର ସାମାଜିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଭଳି ଶିବିରର ଆୟୋଜନ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା। ବାଲେଶ୍ୱର ରକ୍ତ ଭଣ୍ଡାରରୁ ଆସିଥିବା ଏକ ଡାକ୍ତରୀ ଟିମ ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିରରୁ ମୋଟ ୧୦୩ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ କେ.ଏଲ୍. ମେମୋରିଆଲ ହସ୍ପିଟାଲର ସମସ୍ତ ଡାକ୍ତର ଓ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।
