ସୀମାନ୍ତ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା
______________
ସାରସକଣା,(୧.୧୧.୨୬)(ନି.ପ୍ର):
ରାଜ୍ୟ ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱରଙ୍କ ନିର୍ଦ୍ଦେଶ କ୍ରମେ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ପରିସରରେ ଗତ ୩୦ ଓ ୩୧ ତାରିଖ ଶୁକ୍ରବାର ଏବଂ ଶନିବାର ଦୁଇ ଦିନ ଧରି +୨ ଛାତ୍ରୀ ଛାତ୍ର ଙ୍କୁ ନେଇ ଏକ ଦୁଇଦିନିଆ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା ମହାବିଦ୍ୟାଳୟର କ୍ରୀଡ଼ା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।
ଏହାକୁ ସୀମାନ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରହ୍ଲାଦ ଅଗସ୍ତି ଶୁଭ ଉଦ୍ଘାଟନ କରିଥିଲେ। ଏହି ପ୍ରତିଯୋଗିତାରେ ରାଜ୍ୟର ସର୍ବମୋଟ ୧୯ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଉଭୟ ମହିଳା ଓ ପୁରୁଷ ବିଭାଗରେ ମୋଟ ୪୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଲକ୍ଷ୍ମୀଧର ବେହେରା ତତ୍ତ୍ୱାବଧାରକ ଭାବେ ନିଯୁକ୍ତୀ ହୋଇ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଚୟନକର୍ତ୍ତା ଭାବେ ତାପସ କୁମାର ସାମଲ କାର୍ଯ୍ୟ ସମ୍ପାଦନ କରିଥିଲେ। ଛାତ୍ରୀଛାତ୍ରଙ୍କ କୃତିତ୍ୱକୁ ବିଚାର କରିବା ପାଇଁ ଉଦୟ ମାଝୀ, ଯଶୋବନ୍ତ ମହାନ୍ତ, ଧନେଶ୍ୱର ମୁର୍ମୁ ଓ ହୃଷୀକେଶ ମହାନ୍ତଙ୍କ ସହିତ ସ୍ଥାନୀୟ ଶରତପାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶିବ ପ୍ରସାଦ ମହାନ୍ତ ବୈଷୟିକ ସହାୟକ ଭାବେ କାର୍ଯ୍ୟ ତଦାରଖ କରିଥିଲେ।
ପ୍ରତିଯୋଗିତାଗୁଡ଼ିକୁ ଅଧ୍ୟାପକ ପ୍ରୀତମ ପଣ୍ଡା, ନିହାର ରଞ୍ଜନ ମହାନ୍ତ, ଜଗନ୍ନାଥ ମାଝୀଙ୍କ ସହିତ ସୀମାନ୍ତ ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶ୍ରଦ୍ଧାନନ୍ଦ ସାହୁ ପରିଚାଳନା କରିଥିଲେ।
ତୀରନ୍ଦାଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ମୋଟ ୪୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ମହିଳା ବିଭାଗରେ ୧୨ ଜଣ ଓ ପୁରୁଷ ବିଭାଗରେ ୧୨ ଜଣଙ୍କୁ ଚୟନ କରାଯାଇ ଆଗାମୀ ଦିନରେ ମହାରାଷ୍ଟ୍ର ରାଜ୍ୟର ଅମରାବତୀଠାରେ ହେବାକୁ ଥିବା ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ମନୋନୀତ କରାଯାଇଛି।
ତୀରନ୍ଦାଜ ପ୍ରତିଯୋଗିତାର ଇଣ୍ଡିଆନ୍ ବିଭାଗର ମହିଳା ବିଭାଗରେ ଭାଗ୍ୟଶ୍ରୀ ହେମ୍ବ୍ରମ ପ୍ରଥମ ଏବଂ ପୁରୁଷ ବିଭାଗରେ ରୋହିତ ମହାନ୍ତ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
ରିକର୍ଭ ବିଭାଗର ମହିଳା ବିଭାଗରେ ସୁନୀତା ନାଏକ ପ୍ରଥମ ଓ ପୁରୁଷ ବିଭାଗରେ ରାଜକୁମାର ବାନାରା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି କମ୍ପାଉଣ୍ଡ ବିଭାଗର ମହିଳା ବିଭାଗରେ ସ୍ୱପ୍ନାରାଣୀ ବେହେରା ପ୍ରଥମ ଓ ପୁରୁଷ ବିଭାଗରେ ଡାଇନେଶ୍ୱର ବେହେରା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରହ୍ଲାଦ ଅଗସ୍ତି ସମ୍ମାନୀତ କରିଥିଲେ। ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
