ବୌଦ୍ଧରେ ଜନଗଣନା ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଦୁଇଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଯାପିତ l
ବୌଦ୍ଧ, ତା. ୩୧/୧୦: ଜନଗଣନା-୨୦୨୭ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକୁ ସୁଚାରୁ, ନିର୍ଭୁଲ ଓ ସଫଳତାର ସହ ସମ୍ପାଦନ କରିବା ଉଦ୍ଦେଶ୍ୟରେ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ସଦ୍ଭାବନା ସଭାଗୃହଠାରେ ଅକ୍ଟୋବର ୩୦ ଓ ୩୧ ତାରିଖ ଦୁଇଦିନ ଧରି ଆୟୋଜିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି।
ଜିଲ୍ଲାପାଳ ଶ୍ରୀ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ଜନଗଣନା କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ଶ୍ରୀ ପବିତ୍ର କୁମାର ମହଲା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅନିରୁଦ୍ଧ ପଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା ଏବଂ ଉପଜିଲ୍ଲାପାଳ ଶ୍ରୀ ବିନୟ କୁମାର ଭୋଇ ପ୍ରମୁଖ ଯୋଗଦେଇଥିଲେ।
ପ୍ରଶିକ୍ଷଣ ଶିବିରରେ ଜନଗଣନା କାର୍ଯ୍ୟାଳୟର ଅଧିକାରୀ ଶ୍ରୀ ଅମ୍ରିତେନ୍ଦୁ ସାଧୁଖାନ, ଶ୍ରୀ ସୁଭେନ୍ଦୁ ମଲ୍ଲିକ ଏବଂ ବୌଦ୍ଧର ଡେପୁଟି କଲେକ୍ଟର (ଜନଗଣନା) ନିରଞ୍ଜନ ବଘାର ପ୍ରଶିକ୍ଷଣ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ଜିଲ୍ଲାର ସମସ୍ତ ଚାର୍ଜ ଅଫିସର ଏବଂ ସମ୍ପୃକ୍ତ କାର୍ଯ୍ୟାଳୟର ଡିଲିଂ ଆସିଷ୍ଟାଣ୍ଟମାନେ ଯୋଗଦେଇ ଜନଗଣନା ସମ୍ବନ୍ଧୀୟ ଆବଶ୍ୟକୀୟ ପ୍ରଶିକ୍ଷଣ ଗ୍ରହଣ କରିଥିଲେ।
ଏହି ଦୁଇଦିନିଆ ପ୍ରଶିକ୍ଷଣରେ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପର୍କିତ ବିଭିନ୍ନ ନିୟମାବଳୀ, ନିର୍ଦ୍ଦେଶାବଳୀ, ବୈଷୟିକ ଦିଗ ଓ କାର୍ଯ୍ୟପଦ୍ଧତି ସମ୍ପର୍କରେ ବିସ୍ତୃତ ତାଲିମ ପ୍ରଦାନ କରାଯାଇଥିଲା। ବିଶେଷକରି CMMS ପୋର୍ଟାଲର ବ୍ୟବହାର ଓ ଏହାର ବିଭିନ୍ନ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ବିସ୍ତୃତ ଅବଗତ କରାଯାଇଥିଲା।
ଯେଉଁ ଅଞ୍ଚଳରେ ଜନସଂଖ୍ୟା ୮୦୦ରୁ ଅଧିକ ରହିଛି, ସେଠାରେ ଏନ୍ୟୁମେରେସନ୍ ବ୍ଲକ୍ (EB)କୁ କିପରି ସବ୍-ଏନ୍ୟୁମେରେସନ୍ ବ୍ଲକ୍ (Sub-EB)ରେ ବିଭକ୍ତ କରାଯିବ, ସେ ସମ୍ପର୍କରେ ପ୍ରାୟୋଗିକ ପ୍ରଶିକ୍ଷଣ ଦିଆଯାଇଥିଲା। ଏଥିସହ ସବ୍-ଏନ୍ୟୁମେରେସନ୍ ବ୍ଲକ୍ର ସୀମା ନିର୍ଦ୍ଧାରଣ ଏବଂ ସେଗୁଡ଼ିକର ମାନଚିତ୍ର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା।
ଜନଗଣନା-୨୦୨୭ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବା ଏବଂ ଏହି ଜାତୀୟ କାର୍ଯ୍ୟରେ ସକ୍ରିୟ ଜନସହଭାଗିତା ସୁନିଶ୍ଚିତ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ପ୍ରଶିକ୍ଷଣ ସମୟରେ ତଥ୍ୟ ସଂଗ୍ରହରେ ଶତପ୍ରତିଶତ ସଠିକତା, ତଥ୍ୟର ଗୋପନୀୟତା ରକ୍ଷା, ନିର୍ଦ୍ଧାରିତ ନିୟମ ଓ ପ୍ରକ୍ରିୟାର ଅନୁପାଳନ ଏବଂ ଧାର୍ଯ୍ୟ ସମୟସୀମା ମଧ୍ୟରେ କାର୍ଯ୍ୟ ସମାପନ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଥିଲା। ଜନଗଣନା କାର୍ଯ୍ୟରେ ନିୟୋଜିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିଜ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସ୍ପଷ୍ଟ ଭାବେ ଅବଗତ କରାଯାଇଥିଲା।
ଜନଗଣନା କେବଳ ଏକ ପ୍ରଶାସନିକ ପ୍ରକ୍ରିୟା ନୁହେଁ, ବରଂ ଦେଶର ଭବିଷ୍ୟତ ଯୋଜନା ଓ ବିକାଶର ମୂଳଦୁଆ। ଏକ ନିର୍ଭୁଲ, ସଠିକ୍ ଓ ବିଶ୍ୱସନୀୟ ଜନଗଣନା ଦେଶର ନୀତି ନିର୍ଦ୍ଧାରଣ ଓ ଉନ୍ନୟନମୂଳକ ଯୋଜନା ପ୍ରସ୍ତୁତିରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତି ଯୋଗାଇଥାଏ। ତେଣୁ ଏହି ଜାତୀୟ କାର୍ଯ୍ୟକୁ ସଫଳ କରିବା ପାଇଁ ସମସ୍ତ ଅଧିକାରୀ, କର୍ମଚାରୀ ଓ ଜନସାଧାରଣଙ୍କ ସକ୍ରିୟ ସହଯୋଗ ଓ ସହଭାଗିତା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି।
