ରଘୁନାଥପୁର ପୋଲିସ ପକ୍ଷରୁ ରଘୁନାଥପୁରରେ ଗଣଦୌଡ଼ l
ରଘୁନାଥପୁର(ନି.ପ୍ର ): ଜାତୀୟ ଏକତା ଦିବସ ଅବସରରେ ରଘୁନାଥପୁର ପୋଲିସ ପକ୍ଷରୁ ଶନିବାର ସକାଳ ୭ଘଟିକା ସମୟରେ ଏକ ଗଣଦୌଡ଼ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି ଅବସରରେ ରଘୁନାଥପୁର ଗୋପବନ୍ଧୁ ଛକଠାରୁ ରଘୁନାଥପୁର ଥାନା ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରୁ ଆସିଥିବା ଯୁବ ଦୌଡ଼ାଳି ଓ ଅନ୍ୟ ଅଂଶଗ୍ରହଣ କାରୀମାନେ ଗଣଦୌଡ଼ରେ ସାମିଲ ହୋଇ ଜାତୀୟ ଏକତାର ବାର୍ତ୍ତା ପ୍ରସାର କରିଥିଲେ l ଗଣଦୌଡ଼ ଶେଷରେ ରଘୁନାଥପୁର ଥାନା ନିକଟରେ ଏକ ସଚେତନତା ସଭା ଆୟୋଜନ ହୋଇ ଏଥିରେ ମୁଖ୍ୟ ଅତିଥି ଭାବେ ଡାକ୍ତର ରାଜକିଶୋର ବରାଳ ଯୋଗ ଦେଇ ଦେଶ ସମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ରେ ଦଳମତ ନିର୍ବିଶେଷରେ ସମସ୍ତେ ଏକହୋଇ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ରଘୁନାଥପୁର ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରେମଜୀତ ଦାସ, ସମାଜସେବୀ ଶ୍ରୀ ସରିତ୍ ମହାପାତ୍ର ଏବଂ ଅବସରପ୍ରାପ୍ତ ଭାରତୀୟ ସେନା ଅଧିକାରୀ ଶ୍ରୀ ସଞ୍ଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଯୁବପିଢ଼ିଙ୍କୁ ଉଦ୍ବୋଧନ ଦେଇଥିଲେ। ବିଭିନ୍ନ ବକ୍ତାମାନେ ନିଜ ନିଜ ବକ୍ତବ୍ୟରେ ଜାତୀୟ ଏକତାର ମହତ୍ତ୍ୱ, ସାମାଜିକ ସଦ୍ଭାବନା ଓ ଦେଶର ଅଖଣ୍ଡତା ରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ। ଏକତା ହିଁ ଶକ୍ତି ଏବଂ ଏକତା କେବଳ ଦେଶର ସୀମା ସୁରକ୍ଷା ପାଇଁ ନୁହେଁ, ବରଂ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା, ଶାନ୍ତି, ସାମାଜିକ ସଂହତି ଓ ଭାଇଚାରା ବଜାୟ ରଖିବାରେ ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ସେମାନେ ମତପ୍ରକାଶ କରିଥିଲେ। ଯୁବପିଢ଼ିଙ୍କ ମଧ୍ୟରେ ଦେଶପ୍ରେମ, ଶୃଙ୍ଖଳା, ପରସ୍ପର ପ୍ରତି ସମ୍ମାନ ଓ ଜାତୀୟ ଦାୟିତ୍ୱବୋଧ ଜାଗ୍ରତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଶେଷରେ ଥାନା ଅଧିକାରୀ ପ୍ରେମଜୀତ ଦାସ ସମସ୍ତଙ୍କୁ ସତ୍ୟପାଠ କରାଇଥିଲେ ଯେ ଆମେ ଏକାଠି ରହିବା ଆମ ସମାଜ ପାଇଁ,ଦେଶ ପାଇଁ କାମ କରିବା । ରଘୁନାଥପୁର ପୋଲିସର ଏହି ଉଦ୍ୟମ ମାଧ୍ୟମରେ ଜାତୀୟ ଏକତା, ଅଖଣ୍ଡତା ଓ ସାମୂହିକ ଦାୟିତ୍ୱବୋଧର ଏକ ସୁନ୍ଦର ବାର୍ତ୍ତା ପ୍ରସାରିତ ହୋଇଥିଲା।
