ରେଢ଼ାଖୋଲ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ: ଦେଶର ସୁରକ୍ଷା ଓ ଅଖଣ୍ଡତା ରକ୍ଷା ପାଇଁ ପୋଲିସ କର୍ମଚାରୀ ନେଲେ ଶପଥ ।
ରେଢ଼ାଖୋଲ, ୩୧/୧୦(ଭଂଜଦୂ)ତ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ପରିସରରେ ଆଜି ରାଷ୍ଟ୍ରୀୟ ଏକତା ଦିବସ ଅତ୍ୟନ୍ତ ଉତ୍ସାହ ଓ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି। ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଥାନାର ସମସ୍ତ ଅଧିକାରୀ ଓ ପୋଲିସ କର୍ମଚାରୀ ସାମିଲ ହୋଇଛନ୍ତି । ଏହି ଉପଲକ୍ଷେ ଥାନା ଅଧିକାରୀ ସଂନୟ କୁମାର ନାଏକ ଙ୍କ ନେତୃତ୍ୱରେ ଏକ ବିଶେଷ ସଭାର ଆୟୋଜନ ହୋଇଥିଲା । ଏଥିରେ ଦେଶର ଏକତା, ଅଖଣ୍ଡତା ଏବଂ ସୁରକ୍ଷା ବଜାୟ ରଖିବା ପାଇଁ ସମସ୍ତ କର୍ମଚାରୀ ଏକତ୍ରିତ ହୋଇଥିଲେ । ଏହାସହ ସର୍ଦ୍ଦାର ପଟେଲଙ୍କ ସ୍ମୃତି ଚାରଣ କରାଯାଇ ଦେଶ ଗଠନରେ ତାଙ୍କର ଅତୁଳନୀୟ ଅବଦାନ ବିଷୟରେ ଆଲୋଚନା କରାଯାଇଥିଲା। ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସୁଦୃଢ଼ କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ଶାନ୍ତି ଓ ସମ୍ପ୍ରୀତି ବଜାୟ ରଖିବା ପାଇଁ ପୋଲିସ ସଦାସର୍ବଦା ସଙ୍କଳ୍ପବଦ୍ଧ ବୋଲି ଏହି ଅବସରରେ ମତପ୍ରକାଶ ପାଇଛି। ଏହି କାର୍ଯ୍ୟକ୍ରମରେ ରେଢ଼ାଖୋଲ ଥାନାର ସମସ୍ତ ସବ୍-ଇନ୍ସପେକ୍ଟର, ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର, କନଷ୍ଟେବଳ ଏବଂ ଗୃହରକ୍ଷୀ ପ୍ରମୁଖ ଉପସ୍ଥିତ ରହି ସେବା ଓ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ବଦ୍ଧ ହୋଇଛନ୍ତି।
