ଝାରପୋଖରିଆ ବମ୍ବେଛକରେ ନୂତନ ମା’ କାଳୀ ମନ୍ଦିର ପ୍ରତିଷ୍ଠା:
ବିଧାୟକ ଭାଦବ ହାଁସଦାଙ୍କ ଦ୍ୱାରା ଶୁଭ ଉଦ୍ଘାଟନ, ଯୋଗଦେଲେ ଶତାଧିକ ଶ୍ରଦ୍ଧାଳୁ
______________
ସାରସକଣା,(୩୦.୧୦.୨୬)(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଝାରପୋଖରିଆ ବମ୍ବେଛକଠାରେ ସାର୍ବଜନୀନ ମା’ କାଳୀ ମଣ୍ଡପର ନୂତନ ମନ୍ଦିର ଆଜି ଶୁଭ ପ୍ରତିଷ୍ଠା ହୋଇଯାଇଛି। ସାରସକଣା ନିର୍ବାଚନମଣ୍ଡଳୀର ବିଧାୟକ ଭାଦବ ହାଁସଦା ଯୋଗଦେଇ ନୂତନ ମା’ କାଳୀ ମଣ୍ଡପର ଶୁଭ ଉଦ୍ଘାଟନ କରିଥିଲେ।
ଏହି ପବିତ୍ର ପ୍ରତିଷ୍ଠା ଉତ୍ସବ ଅବସରରେ ପୂଜକ ଅଗଣୀ ମିଶ୍ରଙ୍କ ଦ୍ୱାରା ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା ସହ ଯଜ୍ଞକାର୍ଯ୍ୟ ସମାପନ କରାଯାଇଥିଲା । ଉଦ୍ୟୋକ୍ତା ଦୈତାରୀ ପ୍ରଧାନଙ୍କ ଆନୁକୂଲ୍ୟରେ ମନ୍ଦିର ପ୍ରତିଷ୍ଠା ସମ୍ପର୍କିତ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା । ଏହି ଧାର୍ମିକ ଉତ୍ସବରେ ନିମନ୍ତ୍ରିତ ଅତିଥି, ପୂଜା କମିଟିର ସମସ୍ତ ସଦସ୍ୟଙ୍କ ସମେତ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ପରେ ସମସ୍ତେ ପ୍ରସାଦ ସେବନ କରିଥିଲେ । ଏହି ପ୍ରତିଷ୍ଠା ଉତ୍ସବକୁ ନେଇ ଅଞ୍ଚଳରେ ଧାର୍ମିକ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଥିଲା । ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
