*ସୀମାନ୍ତରେ ଆନ୍ତଃରାଜ୍ୟ ମାଫିଆଙ୍କ ଦବଦବା, ପ୍ରଶାସନ ନିରବ*
*ଖଣି ଅଧିକାରୀ ଓ ପୁଲିସକୁ ମାରିଦେବାକୁ ଉଦ୍ୟମ, ଦୁଇ ଦିନ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ୍ୟ*
*ବାରିପଦା, ୨୯/୧୦ ( ସାରସକଣା):* ଓଡ଼ିଶା ସୀମା ଭିତରେ ପଶି ଖୋଲାଖୋଲି ଭାବେ ପ୍ରାକୃତିକ ସମ୍ପଦ ଲୁଟୁଛନ୍ତି ପଡୋଶୀ ଝାଡ଼ଖଣ୍ଡର ଆନ୍ତଃରାଜ୍ୟ ମାଫିଆ। ଏହାକୁ ରୋକିବାକୁ ଯାଇଥିବା ଖଣି ଅଧିକାରୀ ଏବଂ ପୁଲିସ କର୍ମଚାରୀଙ୍କ ଉପରକୁ ଗାଡି ଚଢ଼ାଇ ମାରିଦେବାକୁ ଉଦ୍ୟମ କରାଯାଇଛି। ଏଭଳି ସାଂଘାତିକ ଘଟଣା ଘଟିବାର ଦୁଇ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ, ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
*କ’ଣ ଘଟିଥିଲା?*
ଗତ ୨୭ ତାରିଖ ମଧ୍ୟରାତ୍ରିରେ ଖଣି ବିଭାଗ ଏବଂ ପୁଲିସର ମିଳିତ ଟିମ୍ ବାରିପଦା ସୀମାନ୍ତ ଅଞ୍ଚଳରେ ପେଟ୍ରୋଲିଂ କରୁଥିଲା। ଏହି ସମୟରେ ବିନା ନମ୍ବର ଏବଂ ଜାଲ୍ ନମ୍ବର ଥିବା JH 05CP 9349 ଏବଂ BR 10GB 6308 ନମ୍ବରର ଦୁଇଟି ବିଶାଳକାୟ ହାଇୱା ବାଲି ବୋଝେଇ କରି ଓଡ଼ିଶାରୁ ଝାଡ଼ଖଣ୍ଡ ଅଭିମୁଖେ ଯାଉଥିବା ଦେଖିବାକୁ ମିଳିଥିଲା। ଖଣି ଅଧିକାରୀ ଗାଡି ଅଟକାଇବାକୁ ଚେଷ୍ଟା କରିବାରୁ ମାଫିଆ ମାନେ ସିଧା ତାଙ୍କ ଉପରକୁ ଗାଡି ମାଡ଼ିଦେବାକୁ ଉଦ୍ୟମ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
*ସାମ୍ବାଦିକଙ୍କ ନାମରେ ବଟି ଆଦାୟ:*
ଏହି ବାଲି ଚୋରା ଚାଲାଣ ପଛରେ ଏକ ବଡ଼ ରାକେଟ୍ କାମ କରୁଛି। ଅଭିଯୋଗ ଅନୁସାରେ, ପ୍ରତି ଟ୍ରିପ୍ ପିଛା ୫୦୦୦ ରୁ ୭୦୦୦ ଟଙ୍କା ବଟି ଆଦାୟ କରାଯାଉଛି। ଏହି ଟଙ୍କା କିଛି ଅସାଧୁ ବ୍ୟକ୍ତି ସମସ୍ତ ସାମ୍ବାଦିକ ଏବଂ ପୁଲିସ ନାମରେ ଆଦାୟ କରୁଥିବା ଚର୍ଚ୍ଚା ହେଉଛି। ଯାହା ଫଳରେ ପ୍ରକୃତ ସାମ୍ବାଦିକମାନଙ୍କ ବଦନାମ ହେଉଛି।
*ରାଜସ୍ୱ କ୍ଷତି:*
ପ୍ରତିଦିନ ଶହ ଶହ ଟ୍ରିପ୍ ବାଲି ଏଭଳି ଚୋରା ଚାଲାଣ ହେବା ଦ୍ୱାରା ଓଡ଼ିଶା ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଛନ୍ତି। ଓଡ଼ିଶାର ସମ୍ପଦ ଲୁଟି ଝାଡ଼ଖଣ୍ଡରେ ବିକ୍ରି ହେଉଛି।
*ପ୍ରଶାସନ ନିରବ କାହିଁକି?*
ଘଟଣାକୁ ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗାଡି ମାଲିକ କିମ୍ବା ମାଷ୍ଟରମାଇଣ୍ଡକୁ ଧରାଯାଇ ନାହିଁ। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଏହି ମାଫିଆ ରାକେଟ୍ ପଛରେ ବଡ଼ ବଡ଼ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ରହିଛି।
ଏବେ ପ୍ରଶ୍ନ ଉଠୁଛି, ଖଣି ବିଭାଗ ଏବଂ ପୁଲିସ ପ୍ରଶାସନ କେବେ ଚେତିବ? କିଏ ସେ ମାଷ୍ଟର ମାଇଣ୍ଡ ?
ମୟୂରଭଞ୍ଜରୁ ମୋନାଲୀ ସାହୁଙ୍କ ରିପୋର୍ଟ ଭଞ୍ଜଦୂତ ଖବର।
