ତହସିଲଦାରଙ୍କୁ ୫ ଦଫା ଦାବି ପତ୍ର ପ୍ରଦାନ: ବିଭିନ୍ନ ଦାବି ନେଇ ନବନିର୍ମାଣ କୃଷକ ସଙ୍ଗଠନର କ୍ଷୋଭ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ସୋର ଅଞ୍ଚଳର ବିଭିନ୍ନ ଦାବି ନେଇ ନବନିର୍ମାଣ କୃଷକ ସଙ୍ଗଠନର ତରଫରୁ କ୍ଷୋଭ ପ୍ରକାଶ ସହ ସୋର ତହସିଲଦାର ଏବଂ ସୋର ଥାନା ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ସୋର ଅଞ୍ଚଳରେ ବେଆଇନ ଖଣି ଖନନ, ରାଇସ୍ ମିଲ୍ ପ୍ରଦୂଷଣ, ଏବଂ ଡ୍ରେନେଜ୍ ଭଳି ଜ୍ୱଳନ୍ତ ସମସ୍ୟାକୁ ନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ପ୍ରଶାସନ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରାଯାଇଛି। ଆଜି ସଂଗଠନର ବହୁ ସଦସ୍ୟ ଏକାଠି ହୋଇ ସୋର ତହସିଲଦାରଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ସହ ତୁରନ୍ତ ସମସ୍ୟାର ସମାଧାନ ପାଇଁ ଏକ ୫ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ତହସିଲଦାର କୃଷ୍ଣମୋହନ ସିଂହଙ୍କୁ ପ୍ରଦାନ କରିଛନ୍ତି। ସେହିପରି ସୋର ଥାନାରେ ମଧ୍ୟ ଅନୁରୂପ ଦାବି ପତ୍ର ପ୍ରଦାନ କରାଯାଇଥିଲା। ସଂଗଠନ ପକ୍ଷରୁ ଉପସ୍ଥାପନ କରାଯାଇଥିବା ପ୍ରମୁଖ ୫ଟି ଦାବି ଗୁଡ଼ିକ ୧୬ ନମ୍ବର ଜାତୀୟ ରାଜପଥ ସ୍ଥିତ ଶ୍ରୀରାମ କଲେଜ ନିକଟରେ ଜମା ହୋଇଥିବା ବେଆଇନ ଆବର୍ଜନାକୁ ତୁରନ୍ତ ସଫା କରାଯାଉ। ଷ୍ଟାର୍ ହୋଟେଲ୍ ସମ୍ମୁଖରେ ତୁରନ୍ତ ଡ୍ରେନ୍ ନିର୍ମାଣ କରାଯିବା ସହ ରାସ୍ତା ଡାଇଭର୍ସନକୁ ବନ୍ଦ କରାଯାଉ। ଯଶୋଦା ରାଇସ୍ ମିଲ୍ରୁ ନିର୍ଗତ ଦୂଷିତ ପାଣି ଓ ଗୁଣ୍ଡ ଯୋଗୁଁ ତଳନଗର ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପ୍ରଦୂଷଣ ଉପରେ ତୁରନ୍ତ ରୋକ୍ ଲଗାଯାଉ। ବାଗୁଡ଼ି ଅଞ୍ଚଳରେ ବେଆଇନ୍ ଖଣି ବ୍ଲାଷ୍ଟିଂ କରାଯାଉଥିବାରୁ ସ୍ଥାନୀୟ ଲୋକଙ୍କ ଘର କାନ୍ଥ ଫାଟୁଛି। ଏହାକୁ ଅବିଳମ୍ବେ ବନ୍ଦ କରାଯାଉ। ତଳନଗର ନିକଟସ୍ଥ ବନ୍ଦ ପଡ଼ିଥିବା ନାଳକୁ ଖୋଲାଯାଇ ଚାଷୀମାନଙ୍କ ସୁବିଧା ପାଇଁ ଜଳ ଯୋଗାଣକୁ ସ୍ୱାଭାବିକ କରାଯାଉ। ଏହିସବୁ ସାଧାରଣ ଜନତାଙ୍କ ସମସ୍ୟାକୁ ପ୍ରଶାସନ ଗୁରୁତ୍ୱର ସହ ନେଇ ତୁରନ୍ତ ପଦକ୍ଷେପ ନନେଲେ, ଆଗାମୀ ଦିନରେ ସଂଗଠନ ପକ୍ଷରୁ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ପ୍ରଶାସନକୁ ଚେତାବନୀ ଦିଆଯାଇଛି। ଏହି ସମୟରେ ନବନିର୍ମାଣ କୃଷକ ସଙ୍ଗଠନର ସଭାପତି ରଣଜିତ ପଟ୍ଟନାୟକ, ଯୁବ ଛାତ୍ର ସଙ୍ଗଠନର ସଭାପତି ରାଜେଶ ନାୟକ, ଶରତ ନାୟକ, ରାଧାକାନ୍ତ ଜେନା, ଶଶିକାନ୍ତ ବାରିକ, ମହେଶ୍ବର ଲେଙ୍କା, ଶ୍ରୀଧର ନାୟକ ଓ ପରମାନନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
