ବିରାଗୁଡା କୂଅ ଭିତରୁ ଗଳିତ ମୃତଦେହ ଉଦ୍ଧାର।
ବାଲିଗୁଡ଼ା, ୨୫/୧୦ (ନି.ପ୍ର.): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବିରାଗୁଡ଼ା ଗ୍ରାମର ଏକ କୂଅ ଭିତରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି ବାଲିଗୁଡ଼ା ପୋଲିସ। ମୃତକ ଜଣକ କାମପଦର ଗ୍ରାମର ଗୋବିନ୍ଦ ମଲିକ ବୋଲି ଜଣାପଡ଼ିଛି।ସୂଚନା ଅନୁଯାୟୀ, ବିରାଗୁଡ଼ା ଗ୍ରାମର ଏକ କୂଅରୁ ପାଣି କାଢ଼ିବାକୁ ଯାଇଥିବା ସମୟରେ ଲୋକେ କୂଅ ଭିତରେ ଏକ ଗଳିତ ମୃତଦେହ ଦେଖିଥିଲେ। ଏନେଇ ବାଲିଗୁଡ଼ା ଥାନାକୁ ଖବର ଦେବା ପରେ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ।
ପରିବାର ସଦସ୍ୟଙ୍କ ସୂଚନା ଅନୁଯାୟୀ, ଗୋବିନ୍ଦ ମାନସିକ ଅସୁସ୍ଥତାରେ ପୀଡ଼ିତ ଥିଲେ ଏବଂ ଗତ ଚାରି ଦିନ ପୂର୍ବରୁ ଘରୁ କେଉଁଆଡ଼େ ଚାଲିଯାଇଥିଲେ। ତେବେ ତାଙ୍କ ମୃତଦେହ କୂଅ ଭିତରୁ ଉଦ୍ଧାର ହେବା ପରେ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି। ଘଟଣାଟି କେଉଁ ପରିସ୍ଥିତିରେ ଘଟିଛି ଏବଂ ମୃତ୍ୟୁର ପ୍ରକୃତ କାରଣ କ’ଣ, ସେନେଇ ବାଲିଗୁଡ଼ା ପୋଲିସ ତଦନ୍ତ ଜାରି ରଖିଛି।
