ସାରସକଣା,ଜାମଶଳା (ଅନିଲ କୁମାର ସାହୁ) : ରାଜ୍ୟରେ ମହିଳା ସୁରକ୍ଷା ସ୍ଥିତି ଏକ ପ୍ରକାର ସଙ୍ଗୀନ ହୋଇପଡ଼ିଲାଣି।ପ୍ରତିଦିନ ରାଜ୍ୟର କେଉଁଠି ନା କେଉଁଠି ଦୁଷ୍କର୍ମ ,ହିଂସା,ଉତ୍ପୀଡନର ଶିକାର ହେଉଛନ୍ତି ମହିଳା।ଯାହାକୁ ନେଇ ରାଜ୍ୟ ସରକାର ଦୁର୍ନାମ ମୁଣ୍ଡାଉ ଥିବା ବେଳେ ଏହାକୁ କିନ୍ତୁ ନିୟନ୍ତ୍ରଣକୁ ଆଣି ପାରୁନାହାନ୍ତି।ରାଜ୍ୟରେ ଦୌନିକ ୧୫ ମହିଳା ଦୁଷ୍କର୍ମ ର ଶିକାର ହେଉଥିବା ବେଳେ ମହିଳା ମାନେ ଘରୁ ବାହାରକୁ ଗୋଡ କାଢ଼ିବାକୁ ଭୟ କଲେଣି।ପ୍ରଥମେ ଗୋପାଳପୁର ବେଳାଭୂମିରେ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ହୋଇଥିଲା। ଗତ ୮ ଦିନ ମଧ୍ୟରେ ବାଲେଶ୍ଵର ଏଫ୍ ଏମ୍ କଲେଜରେ ଛାତ୍ରୀ ଆତ୍ତ୍ମଦାହ ଏବଂ ଶନିବାର ବଳଙ୍ଗାରେ ଜଣେ ଛାତ୍ରୀଙ୍କୁ ଦୁର୍ବୃତ୍ତ ମାନେ କିରାସିନି ଢାଳି ନିଆଁ ଲଗାଇ ଦେବା ରାଜ୍ୟରେ ଗୁରୁତର ଆଇନ ଶୃଙ୍ଖଳା ସ୍ଥିତି ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିଛି।ସରକାର କେଉଁଠି ବୋଲି ଲୋକେ ପ୍ରଶ୍ନ କରୁଥିବା ବେଳେ ରାଜ୍ୟ ସରକାର ଏକ ପ୍ରକାର ଉପାୟ ଶୂନ୍ୟ ହୋଇପଡ଼ିଛନ୍ତି। ରାଜ୍ୟରେ ବର୍ତ୍ତମାନ ଅପରାଧୀଙ୍କ ଶାସନ ଚାଲିଛି ବୋଲି ବିରୋଧୀ ସରକାରଙ୍କୁ ତାଛଲ୍ୟ କରୁଥିବା ବେଳେ ମହିଳା ସୁରକ୍ଷାକୁ ନେଇ ଜାତୀୟସ୍ତରରେ ଅପବାଦ ମୁଣ୍ଡାଇଛି ଓଡ଼ିଶା।ଗୋପାଳପୁର,ବାଲେଶ୍ଵର, ଏବଂ ପୁରୀ ବଳଙ୍ଗା ଘଟଣାକୁ ନେଇ ଓଡ଼ିଶା ଏବେ ଜାତୀୟସ୍ତରରେ ଦୁର୍ନାମ ମୁଣ୍ଡାଇଛି।କେବଳ ଜାତୀୟସ୍ତରରେ ନୁହେଁ , ଗତ ଜୁନ ଆମେରିକା ପରି ଦେଶ ମଧ୍ୟ ନିଜ ଦେଶର ନାଗରିକ ଓଡ଼ିଶା ଆସିବା ପୂର୍ବରୁ ଆବଶ୍ୟକ ଅନୁମତି ନେବାକୁ ପରାମର୍ଶ ଦେଇଥିଲେ।ଯାହା ମହିଳା ସୁରକ୍ଷାକୁ ନେଇ ରାଜ୍ୟର ଗୁରୁତର ସ୍ଥିତିକୁ ଦର୍ଶାଉଛି।ଏକଦା ସୁଦୃଢ଼ ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଜାତୀୟସ୍ତରରେ ସୁନାମ ଅର୍ଜିଥିବା ଓଡ଼ିଶା ଏବେ ପ୍ରତିଦିନ ନାରୀ ବିରୋଧୀ ହିଂସା ପାଇଁ ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଛି।ଦିଲ୍ଲୀରେ କଂଗ୍ରେସ ପକ୍ଷରୁ ପ୍ରାୟ ପ୍ରତିଟି ଘଟଣାରେ ସାମ୍ବାଦିକ ସମ୍ମିଳନୀ କରାଯାଉଥିବା ବେଳେ ରାହୁଲ ଗାନ୍ଧୀ,ପ୍ରିୟଙ୍କା ଗାନ୍ଧୀ ପରି ନେତା ଓଡ଼ିଶା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରୁଛନ୍ତି।ଏପଟେ ରାଜ୍ୟରେ ପ୍ରମୁଖ ବିରୋଧୀ ବିଜେଡି ମଧ୍ୟ ପ୍ରତିଟି ଘଟଣାରେ ମୁଖର ହୋଇ ସରକାରଙ୍କୁ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଚାପ ସୃଷ୍ଟି କରୁଛି।ଏହା ସତ୍ତ୍ବେ ବି ସରକାର କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ ନ କରିବାକୁ ନେଇ ସାଧାରଣରେ ଆଶ୍ଚର୍ଯ୍ୟ ପ୍ରକାଶ ପାଇଲାଣି। ବୃଦ୍ଧିଜିବୀ ମହଲର ଯୁକ୍ତି ଅନୁଯାୟୀ ସରକାରରେ କୌଣସି ଉତ୍ତରଦାୟିତ୍ୱ ନ ରହିବା କାରଣରୁ ପରିସ୍ଥିତି ଦିନକୁ ଦିନ ଜଟିଳ ହେବାକୁ ଲାଗିଛି।ଶାସନତନ୍ତ୍ରରେ ଶୃଙ୍ଖଳା ନ ଥିବା ବେଳେ ସରକାର ନିଜସ୍ଵ ସ୍ତରରେ କୌଣସି ନିଷ୍ପତି ନେବାକୁ ସକ୍ଷମ ନୁହନ୍ତି।ପୁନଶ୍ଚ କୌଣସି ଗୁରୁତର ଘଟଣାରେ କେହି ଉତ୍ତରଦାୟିତ୍ଵ ମୁଣ୍ଡାଇ ନ ଥିବାରୁ ଶାସନ ବ୍ୟବସ୍ଥା ସମ୍ପୂର୍ଣ ଭାବେ ଲଗାମ ହିନ ହୋଇ ପଡ଼ିଲାଣି।ଯାହା ଫଳରେ ଅପରାଧୀଙ୍କ ମନୋବଳ ରାଜ୍ୟରେ ବର୍ତ୍ତମାନ ଉପର ମୁହାଁ ହେବାରେ ଲାଗିଛି।ପୁଲିସ ପ୍ରଶାସନ ଉପରୁ ଅପରାଧୀଙ୍କ ଭୟ ଛାଡ଼ିଗଲାଣି। ଗତ କିଛି ମାସ ମଧ୍ୟରେ ଯେତେ ଅଘଟଣ ଘଟିଛି ,ସରକାର କାହା ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି।ତାହାର ଫଳ ଏବେ ସରକାର ନିଜେ ଭୋଗୁଛନ୍ତି ବୋଲି ବିଶେଷଜ୍ଞ ମହଲ ମତ ରଖିଛନ୍ତି।ଏପଟେ ରାଜ୍ୟରେ ମହିଳା ସୁରକ୍ଷା ଦିନକୁ ଦିନ ସଙ୍ଗୀନ ହେଉ ଥିବା ବେଳେ ଏହା ରାଜ୍ୟର ସାମଗ୍ରୀକ ବିକାଶ ପ୍ରକ୍ରିୟାକୁ ମଧ୍ୟ ଗୁରୁତର ଭାବେ ପ୍ରଭାବିତ କରିବ।ତେଣୁ ରାଜ୍ୟ ସରକାର ତୁରନ୍ତ ଏପରି ଘଟଣାରେ କଡା ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି।
