*ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ କଳିଙ୍ଗନଗରରେ ‘ବିଶ୍ୱ ଦୃଷ୍ଟି ଦିବସ’ ପାଳିତ*
ଯାଜପୁର କଳିଙ୍ଗନଗର,ଭଞ୍ଜଦୁତ ବ୍ୟୁର ୦୯/୧୦: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସଏଫ୍) ପକ୍ଷରୁ ଏହାର ‘ଦୃଷ୍ଟି’ ପ୍ରକଳ୍ପ ଅଧୀନରେ କଳିଙ୍ଗନଗର ଅଞ୍ଚଳରେ ବିଶ୍ୱ ଦୃଷ୍ଟି ଦିବସ-୨୦୨୬ ପାଳିତ ହୋଇଯାଇଛି। ସ୍ଥାନୀୟ ଜନସାଧାରଣ ତଥା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ତମ ଦୃଷ୍ଟିଶକ୍ତି ବଜାୟ ରଖିବା ଏବଂ ନିୟମିତ ଚକ୍ଷୁ ପରୀକ୍ଷାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଫାଉଣ୍ଡେସନ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅଭିଯାନର ଏକ ଅଂଶ ଭାବରେ, ଟିଏସଏଫ୍ର ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ ‘ଦିଶା’ ଟିମ୍ ସହଯୋଗରେ ଗୋବରଘାଟି, ଶାଳିଜଙ୍ଗା, ସଂସାଇଲୋ ଏବଂ ତ୍ରିଜଙ୍ଗା ଗ୍ରାମର ୧୨୦ ଜଣ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ର ମହିଳା ସଦସ୍ୟାଙ୍କ ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ନିୟମିତ ଚକ୍ଷୁ ପରୀକ୍ଷାର ଗୁରୁତ୍ୱ, ପ୍ରାଥମିକ ଚକ୍ଷୁ ଯତ୍ନ, ଦୃଷ୍ଟି ସମ୍ବନ୍ଧୀୟ ସମସ୍ୟାର ଶୀଘ୍ର ଚିହ୍ନଟ ଏବଂ ଉପଯୁକ୍ତ ସମୟରେ ଉନ୍ନତ ଚିକିତ୍ସା ସେବା ଗ୍ରହଣ କରିବା ଉପରେ ଆଲୋଚନା କରାଯାଇଥିଲା।
ସେହିପରି ଦ୍ୱିତୀୟ କାର୍ଯ୍ୟକ୍ରମଟି ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଫୁଲଝର ଗ୍ରାମର ଫୁଲଝର ଆଶ୍ରମ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ପିଲାମାନଙ୍କୁ ଚକ୍ଷୁର ସୁରକ୍ଷା, ସ୍ୱାସ୍ଥ୍ୟକର ଅଭ୍ୟାସ ଗ୍ରହଣ ଏବଂ ସାମୟିକ ଚକ୍ଷୁ ପରୀକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ତଥା ଶିକ୍ଷଣୀୟ ପରିବେଶ ସୃଷ୍ଟି କରିବା ପାଇଁ ଚକ୍ଷୁ ସ୍ୱାସ୍ଥ୍ୟ ବିଷୟବସ୍ତୁ ଉପରେ କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
ସୂଚନାଯୋଗ୍ୟ ଯେ, ‘ଦୃଷ୍ଟି’ ହେଉଛି ଟାଟା ଷ୍ଟିଲ୍ ଫାଉଣ୍ଡେସନର ଏକ ବ୍ୟାପକ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଯାହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି, ନିରାକରଣ, ରୋଗ ଚିହ୍ନଟ ଏବଂ ଉପଯୁକ୍ତ ପରିଚାଳନା ଦିଗରେ କାର୍ଯ୍ୟ କରୁଛି। ସଚେତନତା, ସ୍କ୍ରିନିଂ, ରେଫରାଲ୍ ଏବଂ ଚିକିତ୍ସା ସହାୟତା ମାଧ୍ୟମରେ ଏହି ପ୍ରକଳ୍ପ ସମାଜରେ ଉନ୍ନତ ଦୃଷ୍ଟିଶକ୍ତି ଓ ଉତ୍ତମ ଜୀବନଶୈଳୀ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି।
ଏହି ସମସ୍ତ ପଦକ୍ଷେପ ମାଧ୍ୟମରେ ସମୟୋଚିତ ସ୍କ୍ରିନିଂ ଏବଂ ଚିକିତ୍ସା ଜରିଆରେ ନିବାରଣଯୋଗ୍ୟ ଅନ୍ଧତ୍ୱକୁ ରୋକିବା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ନିଜର ପ୍ରତିବଦ୍ଧତା ବଜାୟ ରଖିଛି । ଚକ୍ଷୁ ସମ୍ପର୍କିତ ଯେକୌଣସି ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରୀ ପରାମର୍ଶ ନେବାକୁ ସ୍ଥାନୀୟ ବାସିନ୍ଦା ଓ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା।
