ବସ୍ତା (ସେଖ ଆଜାରୁଦ୍ଦିନ) : ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ ର ଛାତ୍ରୀ ସୌମ୍ୟାଶ୍ରୀ ବିସି ଙ୍କ ଆତ୍ମାହୂତି ଘଟଣା ରେ ତାଙ୍କୁ ନ୍ଯାୟ ପ୍ରଦାନ ଏବଂ ରାଜ୍ଯରେ ଆଇନ ଶୃଙ୍ଖଳା ବିପର୍ଯ୍ଯସ୍ତ ପ୍ରସଙ୍ଗ ଉଠାଇ ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ଏହି ଅବସରରେ ଜଳେଶ୍ଵର, ବସ୍ତା, ବାଲିଆପାଳ, ଭୋଗରାଇ ଆଦି ଅଞ୍ଚଳର ବିଭିନ୍ନ ସରକାରୀ ଦପ୍ତର, ପେଟ୍ରୋଲ ପମ୍ପ, ବ୍ୟାଙ୍କ୍, ଦୋକାନ ବଜାର, ବନ୍ଦଥିବା ବେଳେ କେଉଁଠି କେମିତି ଔଷଧ ଦୋକାନ, ମେଡିକାଲ ଇତ୍ୟାଦି ଖୋଲା ରହିଥିଲା। ଏହି ସମୟରେ କଂଗ୍ରେସ ନେତା କର୍ମୀ ମାନେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଟାର୍ଗେଟ କରି ନାରା ବାଜି କରିବା ସହିତ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲେ। ଏହି ଅବସରରେ ୬୦ ନମ୍ୱର୍ ଜାତୀୟ ରାଜପଥ ର ଭେଲୋରା ଛକ ନିକଟରେ ରାସ୍ତା ବନ୍ଦ କରାଯାଇଥିଲା, ଉଭୟ ପଟେ ହଜାର ହଜାର ସଂଖ୍ୟାର ମାଲ ବୋଝେଇ ଟ୍ରକ ଅଟକି ରହିଥିଲା। ସେହିପରି ବସ୍ତା ବ୍ଲକ ଗାନ୍ଧୀଛକ ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଙ୍କ କୁଶ ପୁତ୍ତଳିକା ଦାହ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
