ବେତନଟୀ ଆରଏଣ୍ଡବି ସବ-ଡିଭିଜନ ସହକାରୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ, ୧୦ ସ୍ଥାନରେ ମାରାଥନ ରେଡ୍
*ବାଲେଶ୍ୱର / ବାରିପଦା:* ନିଜକୁ ସାଧୁ ପରି ଦେଖାଉଥିଲେ, କହୁଥିଲେ “ମୁଁ ଜୀବନରେ କେବେ ଲାଞ୍ଚ ନେଇନି”। କିନ୍ତୁ ଭିତରେ ଚାଲିଥିଲା କୋଟି କୋଟି ଟଙ୍କାର କଳା ସାମ୍ରାଜ୍ୟ। ଶେଷରେ ପାପ ଧରା ପଡିଲା।
ନିର୍ମାଣ ବିଭାଗ ବେତନଟୀ ସବ-ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ *ଅରବିନ୍ଦ ମହାନ୍ତି ଓରଫ ଆରବିନ୍ଦ ମହାନ୍ତିଙ୍କ* ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭୋରୁ ଭିଜିଲାନ୍ସ ବିଭାଗ ବଡ ଧରଣର ଚଢାଉ କରିଛି।
ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ସର୍ଚ ୱାରେଣ୍ଟ ବଳରେ *୫ ଜଣ ଡିଏସପି ଓ ୮ ଜଣ ଇନ୍ସପେକ୍ଟରଙ୍କ* ନେତୃତ୍ୱରେ *ବାଲେଶ୍ୱର, ମୟୂରଭଞ୍ଜ ଓ ଖୋର୍ଦ୍ଧା* ଜିଲ୍ଲାର ପ୍ରାୟ *୧୦ଟି ସ୍ଥାନରେ* ଏକକାଳୀନ ଚଢାଉ ଜାରି ରହିଛି।
*କେଉଁଠି କେଉଁଠି ଚଢାଉ:*
ବାଲେଶ୍ୱର ଅଙ୍ଗରଗଡ଼ିଆରେ ତିନି ମହଲା କୋଠା, ବସନ୍ତପୁରରେ ୫ ଏକର ଫାର୍ମ ହାଉସ, ବାମପଦାରେ ଘର, ଜଳେଶ୍ୱର ରାୟନ-ରାମଚନ୍ଦ୍ରପୁରରେ ପୈତୃକ ଘର, ବେତନଟୀରେ ଅଫିସ ଓ ସରକାରୀ ବାସଭବନ, ବାଲିଅନ୍ତା ଖୋର୍ଦ୍ଧାରେ ଦୁଇ ମହଲା କୋଠା ଏବଂ ତାଙ୍କର ଦୁଇ ବିଶ୍ୱସ୍ତ ସହଯୋଗୀଙ୍କ ଘରେ ମଧ୍ୟ ଚଢାଉ ହେଉଛି।
ଚଢାଉ ବେଳେ ନୋଟ ବିଡ଼ା, ସୁନା ଅଳଙ୍କାର, ବ୍ୟାଙ୍କ ଲକର, ଜମି ଦଲିଲ, ୨୦ଟି ଦାମୀ ପ୍ଲଟ, ବ୍ରେଜା କାର, ବାଇକ ଏବଂ ବିପୁଳ ପରିମାଣର ବ୍ୟାଙ୍କ ପାସବୁକ୍ ଜବତ ହେଉଥିବା ସୂଚନା ମିଳିଛି। ପ୍ରାଥମିକ ଆକଳନ ଅନୁଯାୟୀ ୨.୭ ଲକ୍ଷରୁ ଅଧିକ ନଗଦ ଟଙ୍କା ମିଳିଛି, ଆହୁରି ବଢିବାର ସମ୍ଭାବନା ଅଛି।
ସରକାରୀ ଦରମାରେ ଏତେ ବଡ ସମ୍ପତ୍ତି କେମିତି ହେଲା, ତାର ହିସାବ ଏବେ ଭିଜିଲାନ୍ସ ଖୋଜୁଛି। ରାସ୍ତା ନିର୍ମାଣରେ ପିସି କାରବାର ଓ ଅନିୟମିତତାରୁ ଏହି ସମ୍ପତ୍ତି ହୋଇଥିବା ଅଭିଯୋଗ ହୋଇଛି।
ଭିଜିଲାନ୍ସ ଚଢାଉ ଶେଷ ହେଲା ପରେ ମୋଟ କେତେ କୋଟିର କଳା ଧନ ଜବତ ହେବ ଏବଂ କେଉଁ ବଡ ଚେହେରାଙ୍କ ସମ୍ପୃକ୍ତି ଅଛି, ସେନେଇ ସାରା ରାଜ୍ୟର ନଜର ଏବେ ଏହି ରେଡ୍ ଉପରେ।
ମୟୂରଭଞ୍ଜରୁ ଶୁଭାଶିଷ ଚୌଧୂରୀଙ୍କ ସହ ମୋନାଲୀ ସାହୁଙ୍କ ରିପୋର୍ଟ ଭଞ୍ଜଦୂତ ଖବର
