ଦଶହରାରେ ଭକ୍ତିରେ ଭିଜିବ ବୈଜଳଗର୍ଡ
୨୦ରେ ମାଁ ସମଲେଶ୍ୱରୀଙ୍କ ଛତର ଯାତ୍ରା, ୧୫ ପଞ୍ଚାୟତରୁ ହେବ ଭକ୍ତଙ୍କ ସମାଗମ
ସିନାପାଲି, ୫/୧୦(ଧର୍ମେନ୍ଦ୍ର କୁମାର ଗହିର)(ନିପ୍ର) ଦଶହରା ପର୍ବକୁ ନେଇ ଏବେଠାରୁ ଚଳଚଞ୍ଚଳ ହୋଇଉଠିଛି ବୈଜଳଗର୍ଡ। ମାଁ ସମଲେଶ୍ୱରୀଙ୍କ ଛତର ଯାତ୍ରାକୁ ନେଇ ଅଞ୍ଚଳରେ ଭକ୍ତି ଓ ଉତ୍ସାହର ପରିବେଶ ଦେଖାଦେଇଛି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗୋର୍ଲା ପଞ୍ଚାୟତ ଅନ୍ତର୍ଗତ ବୈଜଳଗର୍ଡସ୍ଥିତ ମାଁ ସମଲେଶ୍ୱରୀଙ୍କ ପୀଠରେ ଦଶହରା ପର୍ବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।
ଏ ନେଇ ଆଜି ମନ୍ଦିର ପରିସରରେ ୧୫ଟି ପଞ୍ଚାୟତର ପ୍ରତିନିଧି ଓ ଅଞ୍ଚଳବାସୀଙ୍କୁ ନେଇ ପ୍ରସ୍ତୁତି ବୈଠକ ହୋଇଥିଲା। ପୂଜାରୀ ଡିଙ୍ଗର ଚିନ୍ଦାଙ୍କ ସଭାପତିତ୍ୱରେ ହୋଇଥିବା ବୈଠକରେ ଛତର ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଯାତ୍ରାର ସୁଚାରୁ ପରିଚାଳନା ପାଇଁ ଡିଙ୍ଗର ମାଝୀଙ୍କୁ ସଭାପତି କରି ଏକ ପରିଚାଳନା କମିଟି ଗଠନ କରାଯାଇଛି। କମିଟିରେ ଶିରା ନରହରି, ନାରାୟଣ ସିଂ ବେହେରା, ଡମ୍ବରୁଧର ମାଝୀ, ଉଜ୍ୱଳ ହଂସ, ଡୋଳାମଣି ଘିଭେଲା, ତ୍ରିନାଥ ନାଗ, ନରହରି ଚିନ୍ଦା, କେଶବ ଚିନ୍ଦା, ଜୟପାଳ ନାଗ, ନକୁଳ ନିଆଲ, ଅଙ୍ଗଦ ପଟେଲ, ଭୁବନେ ମାଝୀ, ବୀରବଳ ଚିନ୍ଦା ଓ ଲୋକନାଥ ଚିନ୍ଦା ପ୍ରମୁଖ ସଭ୍ୟ ରହିଛନ୍ତି। ଆସନ୍ତା ୨୦ ତାରିଖ ବିଜୟା ଦଶମୀରେ ମାଁ ସମଲେଶ୍ୱରୀଙ୍କ ଭବ୍ୟ ଛତର ଯାତ୍ରା ଅନୁଷ୍ଠିତ ହେବ। ଏଥିରେ ୧୫ଟି ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳରୁ ଶହ ଶହ ଭକ୍ତଙ୍କ ସମାଗମ ହେବା ନେଇ ଆଶା କରାଯାଉଛି।
ଛତର ଯାତ୍ରା ସମୟରେ ଢୋଲ, ନିଶାନ ଓ ଭକ୍ତଙ୍କ ଜୟଧ୍ୱନିରେ ବୈଜଳଗର୍ଡ ପରିବେଶ ଭକ୍ତିମୟ ହୋଇଉଠିବ। ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ପାଇଁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ପହଞ୍ଚିବେ। ପରମ୍ପରା ଓ ଆସ୍ଥାର ଏହି ମହାମିଳନକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ପ୍ରକାଶ ପାଇଛି ।
