*ଓଡିଶା ଜନତା କଂଗ୍ରେସ ସଭାପତି ମହମ୍ମଦ ମୋକିମଙ୍କ ମୟୂରଭଞ୍ଜ ଗସ୍ତକୁ ନେଇ ସାମ୍ବାଦିକ ସମ୍ମିଳନୀ*
*ବାରିପଦା (ଶୁଭାଶିଷ ଚୌଧୁରୀ):* ନବ ନିର୍ମିତ ଓଡିଶା ଜନତା କଂଗ୍ରେସ (ଓଜେସି) ଦଳ ଅଳ୍ପ ଦିନ ମଧ୍ୟରେ ଓଡିଶାରେ ସର୍ବତ୍ର ବିଶ୍ୱାସ ଭାଜନ ହୋଇପାରିଛି। ଏ ନେଇ ବାରିପଦାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସମ୍ପାଦକ ତଥା ପ୍ରତିଷ୍ଠାତା ସଦସ୍ୟ ଅଂଶୁମାନ ଦାସ କହିଛନ୍ତି ଯେ, ଓଡିଶାର ବିଭିନ୍ନ ଜିଲ୍ଲାରେ ଦଳୀୟ କାର୍ଯ୍ୟକ୍ରମ ଗୁଡିକରେ ହଜାର ହଜାର ଲୋକଙ୍କ ସ୍ୱତଃପ୍ରବୃତ୍ତ ଯୋଗଦାନ ଆମ ଦଳ ପ୍ରତି ରାଜ୍ୟବାସୀଙ୍କ ବଢୁଥିବା ବିଶ୍ୱାସର ପ୍ରତୀକ ଅଟେ।
*ଅକ୍ଟୋବର ୬ରେ ବାରିପଦାରେ ବିଶାଳ କର୍ମୀ ସମାବେଶ:*
ସେହି କ୍ରମରେ ଆମ ଦଳର ପ୍ରତିଷ୍ଠାତା ସଭାପତି ତଥା ପୂର୍ବତନ କଟକ ବାରବାଟି ବିଧାୟକ, ଓଡିଶାର ସର୍ବମାନ୍ୟ ନେତା ଇଂ ମହମ୍ମଦ ମୋକିମ ଆସନ୍ତା ଅକ୍ଟୋବର ୬ ତାରିଖ ମଙ୍ଗଳବାର ଦିନ ବାରିପଦା ଗସ୍ତରେ ଆସୁଛନ୍ତି। ବାରିପଦାସ୍ଥିତ ଶହୀଦ ସ୍ମୃତି ଭବନ ପରିସରରେ ଆୟୋଜିତ ହେବାକୁ ଥିବା ଦଳୀୟ କର୍ମୀ ସମାବେଶ ତଥା ମିଶ୍ରଣ ପର୍ବରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।
*ମୟୂରଭଞ୍ଜ ପ୍ରତି ସ୍ୱତନ୍ତ୍ର ନଜର:*
ଅଂଶୁମାନ ଦାସ କହିଛନ୍ତି, ଆମ ଦଳ ତଥା ଦଳ ସଭାପତିଙ୍କର ମୟୂରଭଞ୍ଜ ଜିଲ୍ଲା ପ୍ରତି ବିଶେଷ ନଜର ରହିଛି। ଆୟତନ ଦୃଷ୍ଟିରୁ ଓଡିଶାର ସର୍ବବୃହତ ଜିଲ୍ଲା ମୟୂରଭଞ୍ଜରେ ପ୍ରାକୃତିକ ସମ୍ପଦ, ଖଣି ଖାଦାନ, ପର୍ଯ୍ୟଟନ ଶିଳ୍ପର ଅଜସ୍ର ସମ୍ଭାର ସତ୍ତ୍ୱେ ବିକାଶ ଦୌଡରେ ପଛରେ ପଡିଯାଇଛି। ଜିଲ୍ଲାରେ ଭରି ରହିଥିବା ଦୁର୍ନୀତି ତଥା ମାଫିଆରାଜ ବିରୋଧରେ ସ୍ୱରକୁ ତୀବ୍ରତର କରିବା ପାଇଁ ଏହି ସମାବେଶ ଆୟୋଜନ କରାଯାଉଛି।
ସେ ଆହୁରି କହିଛନ୍ତି ଯେ, ମୟୂରଭଞ୍ଜ ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବାରୁ ସରଳ ନିରୀହ ଆଦିବାସୀ ଭାଇ ଭଉଣୀମାନଙ୍କ ସରଳତାର ଫାଇଦା ନେଇ ଅନେକ ନେତା କେବଳ ପ୍ରତିଶ୍ରୁତି ନାଁରେ ପ୍ରତାରଣା ରାଜନୀତି କରୁଛନ୍ତି। ଏଠାରେ କୋଳି ଖାଇ ମଞ୍ଜି ପୋତିଲା ଭଳି କୌଣସି କାମ ନକରି ଦୁର୍ନୀତିର ସାମ୍ରାଜ୍ୟ ବିସ୍ତାର କରିଛନ୍ତି। ତେଣୁ ସାଧାରଣ ଖଟିଖିଆ ନିରୀହ ଆଦିବାସୀଙ୍କ ହାତମୁଠାକୁ ଟାଣ କରିବା ଏବଂ ତୃଣମୂଳ ସ୍ତରରୁ ଯୁବକମାନଙ୍କୁ ନୂତନ ନେତୃତ୍ୱ ନେବା ପାଇଁ ସୁଯୋଗ ସୃଷ୍ଟି କରିବା ଆମ ଦଳର ପ୍ରଧାନ ଲକ୍ଷ୍ୟ। ଏହା ଦ୍ୱାରା ସାଧାରଣ ଜନତାଙ୍କ ସ୍ୱର ରାଜରାସ୍ତାରୁ ବିଧାନସଭା ପର୍ଯ୍ୟନ୍ତ ପହଞ୍ଚି ପାରିବ।
*କାର୍ଯ୍ୟକ୍ରମ ସୂଚୀ:*
ଏହି କାର୍ଯ୍ୟକ୍ରମ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓ ଉଚ୍ଚ ବିଦ୍ୟାଳୟ ସମ୍ମୁଖରୁ ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଆରମ୍ଭ ହେବ ଏବଂ ସମସ୍ତେ ପଦଯାତ୍ରାରେ ଆସି ଶହୀଦ ସ୍ମୃତି ଭବନ ପ୍ରାଙ୍ଗଣରେ ପହଞ୍ଚିବେ। ସେଠାରେ ବିଶାଳ କର୍ମୀ ସମାବେଶରେ ଦଳର ସଭାପତି ତଥା ଅନ୍ୟ ସମସ୍ତ ରାଜ୍ୟ ନେତୃବୃନ୍ଦ ଉଦବୋଧନ ଦେବା ସହ ମିଶ୍ରଣ ପର୍ବ ଆୟୋଜିତ ହୋଇ କାର୍ଯ୍ୟକ୍ରମ ସମାପନ ହେବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାର ସମସ୍ତ କର୍ମୀଙ୍କ ସକ୍ରିୟ ସହଯୋଗ କାମନା କରାଯାଇଛି।
