*ପଞ୍ଚାୟତ ଉନ୍ନୟନ ଯୋଜନା ପ୍ରସ୍ତୁତିରେ ଅନିୟମିତତା: ଜନପ୍ରତିନିଧିଙ୍କ ପ୍ରସ୍ତାବ ଅଣଦେଖା, ପୁନଃ ପ୍ରସ୍ତୁତି ପାଇଁ ଜୋରଦାର ଦାବି*
ନୂଆପଡା( ମିଖାଏଲ ନନ୍ଦ)
ତା-୦୨/୧୦:
ସିନାପାଲି ବ୍ଲକର ୨୦୨୬-୨୭ ବର୍ଷର ପଞ୍ଚାୟତ ଉନ୍ନୟନ ଯୋଜନା ପ୍ରସ୍ତୁତି ଓ ଅନୁମୋଦନ ପ୍ରକ୍ରିୟାକୁ ନେଇ ଅନିୟମିତତା, ପାତରଅନ୍ତର ଓ ପ୍ରିୟାପ୍ରୀତି ହୋଇଥିବା ଅଭିଯୋଗ ଉଠିଛି। ଏନେଇ ସିନାପାଲି ବିଡିଓଙ୍କ ଜରିଆରେ ନୂଆପଡ଼ା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି।
ଅଭିଯୋଗ ଅନୁଯାୟୀ, ସରକାରୀ ନିର୍ଦ୍ଦେଶକ୍ରମେ ପଞ୍ଚାୟତ ସମିତିର ସମସ୍ତ ସଭ୍ୟସଭ୍ୟାଙ୍କଠାରୁ ନିଜ ନିଜ ପଞ୍ଚାୟତର ଆବଶ୍ୟକୀୟ ଓ ଜନସାଧାରଣଙ୍କ ଉପଯୋଗୀ ପ୍ରକଳ୍ପର ତାଲିକା ଆହ୍ୱାନ କରାଯାଇଥିଲା। ଏହାପରେ ସମିତି ସଭ୍ୟସଭ୍ୟାମାନେ ନିଜ ଅଞ୍ଚଳର ବିଭିନ୍ନ ପ୍ରକଳ୍ପ ପ୍ରସ୍ତାବ ବ୍ଲକ ପ୍ରଶାସନ ନିକଟରେ ଦାଖଲ କରିଥିଲେ।
ତେବେ ନିର୍ବାଚିତ ଜନପ୍ରତିନିଧିଙ୍କ ପକ୍ଷରୁ ଦିଆଯାଇଥିବା କେତେକ ପ୍ରକଳ୍ପ ପ୍ରସ୍ତାବକୁ ଅଣଦେଖା କରାଯାଇ, ଅନ୍ୟ କେତେକ ପ୍ରକଳ୍ପକୁ ପ୍ରାଥମିକତା ଦିଆଯାଇଥିବା ଅଭିଯୋଗ ହୋଇଛି। ଏଥିରେ ଠିକାଦାର ଓ ମଧ୍ୟସ୍ଥିଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଇଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ତେବେ ଏହି ଅଭିଯୋଗଗୁଡ଼ିକର ସ୍ୱାଧୀନ ଯାଞ୍ଚ ହୋଇନଥିବାରୁ ଏହାର ସତ୍ୟତା ସ୍ପଷ୍ଟ ହେବା ବାକି ରହିଛି।
ଅଭିଯୋଗକାରୀଙ୍କ ଦାବି ଅନୁସାରେ, ବିଡିଓଙ୍କ କାର୍ଯ୍ୟାଳୟରେ ରୁଦ୍ଧଦ୍ୱାର ବୈଠକ ମାଧ୍ୟମରେ କେତେକ ବ୍ୟକ୍ତିଙ୍କ ସହଯୋଗରେ ଯୋଜନା ପ୍ରସ୍ତୁତ କରାଯାଇଥିବା ଅଭିଯୋଗ ରହିଛି। ଏହି ପ୍ରକ୍ରିୟାରେ ସମସ୍ତ ନିର୍ବାଚିତ ସଦସ୍ୟଙ୍କ ସମାନ ଭାଗିଦାରି ରହିଥିଲା କି ନାହିଁ, ତାହା ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ଅନ୍ୟପକ୍ଷରେ, ଜନସଂଖ୍ୟା ଅନୁପାତରେ ବଡ଼ ଗ୍ରାମପଞ୍ଚାୟତଗୁଡ଼ିକୁ ତୁଳନାତ୍ମକ ଭାବେ କମ୍ ଅର୍ଥ ଆବଣ୍ଟନ କରାଯାଇଥିବାବେଳେ କମ୍ ଜନସଂଖ୍ୟା ଥିବା କେତେକ ପଞ୍ଚାୟତକୁ ଅଧିକ ଅର୍ଥରାଶି ଆବଣ୍ଟନ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଆବଣ୍ଟନ କେଉଁ ମାନଦଣ୍ଡରେ କରାଯାଇଛି ଏବଂ ଜନସଂଖ୍ୟା, ଆବଶ୍ୟକତା ଓ ପ୍ରକଳ୍ପର ପ୍ରାଥମିକତାକୁ କେତେ ଗୁରୁତ୍ୱ ଦିଆଯାଇଛି—ତାହା ସ୍ପଷ୍ଟ କରିବାକୁ ଦାବି ହୋଇଛି।
ସମିତି ସଂଘ ସଭାପତି ମନୀଷ କୁମାର ପଟେଲଙ୍କ କହିବା ଅନୁଯାୟୀ, ପୂର୍ବବର୍ଷଗୁଡ଼ିକରେ ମଧ୍ୟ ଏପରି ଅଭିଯୋଗ ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ଅଣାଯାଇଥିଲା। ଭବିଷ୍ୟତରେ ଏପରି ତ୍ରୁଟିର ପୁନରାବୃତ୍ତି ନହେବା ପାଇଁ ଆଶ୍ୱାସନ ଦିଆଯାଇଥିଲେ ମଧ୍ୟ ଚଳିତ ବର୍ଷର ଯୋଜନା ପ୍ରସ୍ତୁତିରେ ପୁଣି ସମାନ ପ୍ରଶ୍ନ ଉଠିଥିବା ସେ ଅଭିଯୋଗ କରିଛନ୍ତି।
କେତେକ ନିର୍ଦ୍ଦିଷ୍ଟ ଗ୍ରାମପଞ୍ଚାୟତକୁ କ୍ରମାଗତ ଭାବେ ଅବହେଳା କରାଯାଉଥିବା ନେଇ ମଧ୍ୟ ସେ କ୍ଷୋଭ ପ୍ରକାଶ କରିଛନ୍ତି। ତେବେ ଏହି ଅଭିଯୋଗ ଉପରେ ବ୍ଲକ ପ୍ରଶାସନର ପକ୍ଷ ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ମିଳିନାହିଁ।
ଅଭିଯୋଗକାରୀଙ୍କ ପକ୍ଷରୁ ୨୦୨୬-୨୭ ବର୍ଷର ବ୍ଲକ ପଞ୍ଚାୟତ ଉନ୍ନୟନ ଯୋଜନାକୁ ପୁନଃ ସମୀକ୍ଷା କରିବା ସହ ସମସ୍ତ ସମିତି ସଭ୍ୟସଭ୍ୟାଙ୍କ ପ୍ରତ୍ୟକ୍ଷ ସହଭାଗିତା ଓ ସହମତିରେ ଯୋଜନା ପୁନର୍ବାର ପ୍ରସ୍ତୁତ ଓ ଅନୁମୋଦନ କରିବାକୁ ଦାବି କରାଯାଇଛି।
ଏହା ସହ ଅଭିଯୋଗଗୁଡ଼ିକର ନିରପେକ୍ଷ ତଦନ୍ତ କରି ପ୍ରକଳ୍ପ ଚୟନ ଓ ଅର୍ଥ ଆବଣ୍ଟନରେ କେଉଁ ମାନଦଣ୍ଡ ଅନୁସରଣ କରାଯାଇଛି, ତାହା ସାର୍ବଜନୀନ କରିବାକୁ ମଧ୍ୟ ଦାବି ହୋଇଛି। ଦାବି ଉପରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନନେଲେ ଆଇନର ଆଶ୍ରୟ ନେବାକୁ ପଡ଼ିବ ବୋଲି ମନୀଷ କୁମାର ପଟେଲ ସୂଚନା ଦେଇଛନ୍ତି।
ଏବେ ଏହି ଅଭିଯୋଗ ଉପରେ ଜିଲ୍ଲାପାଳ ଓ ବ୍ଲକ ପ୍ରଶାସନ କି ପଦକ୍ଷେପ ନେଉଛନ୍ତି ଏବଂ ଯୋଜନା ପ୍ରସ୍ତୁତିରେ ପ୍ରକୃତରେ ନିୟମ ଓ ନିର୍ଦ୍ଦେଶାବଳୀ ପାଳନ ହୋଇଛି କି ନାହିଁ, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।ଏନେଇ ସିନାପାଲି ବିଡ଼ିଓ କର୍ମୀ ଓରାମ ଙ୍କୁ ପଚାରିବା ରୁ ପ୍ରକଳ୍ପ ର ଗୁଡିକର ଚୂଡାନ୍ତ ନିଷ୍ପତି ଇଣ୍ଟର୍ଣ୍ଣାଲ କମିଟି କରିଥାନ୍ତି ବୋଲି ପ୍ରତିକ୍ରିୟା ଦେଇଥିଲେ
