*ଶିଶୁଶ୍ରମିକ ମୁକ୍ତ ଢେଙ୍କାନାଳ ଗଠନ ନିମନ୍ତେ ୪୪ ଦିନିଆ ସଚେତନତା ଅଭିଯାନର ଶୁଭାରମ୍ଭ* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତଖବର )୨.୧୦.୨୦୨୬ଗାନ୍ଧୀ ଜୟନ୍ତୀ ଅବସରରେ ଢେଙ୍କାନାଳ ଜିଲ୍ଲା ଶ୍ରମ ବିଭାଗ, ଜିଲ୍ଲା ପ୍ରଶାସନ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ପଞ୍ଚାୟତିରାଜ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାର ବିଭିନ୍ନ ଗ୍ରାମପଞ୍ଚାୟତକୁ ଶିଶୁଶ୍ରମିକ ମୁକ୍ତ ଅଞ୍ଚଳ ଭାବେ ଗଢ଼ିତୋଳିବା ନିମନ୍ତେ ୪୪ ଦିନିଆ ସ୍ୱତନ୍ତ୍ର ସଚେତନତା ଅଭିଯାନର ଶୁଭାରମ୍ଭ ହୋଇଛି। ଏହି ଅଭିଯାନ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇ ନଭେମ୍ବର ୧୪ ତାରିଖ ଶିଶୁ ଦିବସ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବ୍ଲକ୍ ଓ ଗ୍ରାମପଞ୍ଚାୟତ ସ୍ତରରେ ନିରନ୍ତର ଭାବେ ଚାଲୁରହିବ। ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର, ନାଡିଆଳି ଓ ଭାପୁର; ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ କୁଆଲୋ, କାଲାଡା ଓ ପିଟିରି; କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ବାଇସିଙ୍ଗା ଓ କାନପୁରା; ଓଡ଼ାପଡ଼ା ବ୍ଲକ୍ ଅନ୍ତର୍ଗତ ଓଡ଼ାପଡ଼ା, ବାଙ୍ଗୁରସିଙ୍ଘା ଓ ବଳରାମପ୍ରସାଦ; ଏବଂ ଗନ୍ଦିଆ ବ୍ଲକ୍ ଅନ୍ତର୍ଗତ ଦେଓଗାଁ, ବିଧାରପୁର ଓ ସନ୍ଥାପୁର ଗ୍ରାମପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ କରାଯାଇ ଶିଶୁଶ୍ରମିକ ପ୍ରଥାର ମୂଳୋତ୍ପାଟନ ନିମନ୍ତେ ସଚେତନତା ସୃଷ୍ଟି କରାଯାଇଛି।ଏହି ସ୍ୱତନ୍ତ୍ର ଗ୍ରାମସଭାଗୁଡ଼ିକରେ ସ୍କୁଲ୍ ଛାଡ଼ିଥିବା କିମ୍ବା କୌଣସି କାର୍ଯ୍ୟରେ ନିୟୋଜିତ ଥିବା ଶିଶୁମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ପୁନର୍ବାର ବିଦ୍ୟାଳୟରେ ନାମଲେଖା କରାଇବା, ଶିଶୁଶ୍ରମିକ ପ୍ରଥାର ଅବସାନ ଘଟାଇବା ଏବଂ ଗ୍ରାମପଞ୍ଚାୟତଗୁଡ଼ିକୁ ଶିଶୁଶ୍ରମିକ ମୁକ୍ତ ଅଞ୍ଚଳ ଭାବେ ଗଢ଼ିତୋଳିବା ନିମନ୍ତେ ସଂକଳ୍ପ ଗ୍ରହଣ କରାଯିବା ସହ ଶପଥ ପାଠ କରାଯାଇଛି। ଏଥିସହ ସାଧାରଣ ଲୋକଙ୍କ ମଧ୍ୟରେ ଶିଶୁଶ୍ରମିକ ପ୍ରଥାର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଏହି ପ୍ରଥାର ସମ୍ପୂର୍ଣ୍ଣ ବିଲୋପ ଦିଗରେ ସାମୂହିକ ପ୍ରୟାସକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ଅବସରରେ ଜନସାଧାରଣଙ୍କ ମଧ୍ୟରେ ସଚେତନତାମୂଳକ ପତ୍ରିକା ବଣ୍ଟନ କରାଯିବା ସହ ଶିଶୁଶ୍ରମକୁ ସମ୍ପୂର୍ଣ୍ଣ ଭାବେ ନିରାକରଣ କରି ଶିଶୁମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରିବା ନିମନ୍ତେ ବିସ୍ତୃତ ଆଲୋଚନା କରାଯାଇଛି। ଏହି ସ୍ୱତନ୍ତ୍ର ଗ୍ରାମସଭାଗୁଡ଼ିକରେ ବ୍ଲକ୍ ଅଧ୍ୟକ୍ଷ, ସମ୍ପୃକ୍ତ ଗ୍ରାମପଞ୍ଚାୟତର ସରପଞ୍ଚ, ନାଏବ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସମିତି ସଭ୍ୟ/ସଭ୍ୟା, ୱାର୍ଡ ସଭ୍ୟ/ସଭ୍ୟା, ଏଏନଏମ୍, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ।
