*ଢ଼େଙ୍କାନାଳରେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ ।* ଢ଼େଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ) ଅକ୍ଟୋବର 2/26 ଆଜି ଢ଼େଙ୍କାନାଳରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତି ଦୂତ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ବସ୍ ଷ୍ଟାଣ୍ଡ ନିକଟସ୍ଥ ଗାନ୍ଧି ପାର୍କ ଠାରେ ଆୟୋଜିତ ଉତ୍ସବରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ପାଣି, ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ, ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ଵର ପାଟିଲ , ଆରକ୍ଷୀ ଅଧିକ୍ଷକ ଶ୍ରୀ ଆଜିଙ୍କ୍ୟ ବାବୁରାଓ ମାନେ, ଜିଲ୍ଲା ପରିଷଦର ମୁଖ୍ଯ ଉନ୍ନୟନ ଅଧିକାରୀ ଶ୍ରୀ ଦିପ୍ତୀ ରଂଜନ ସେଠୀ, ଉପ-ଜିଲ୍ଲାପାଳ ଶ୍ରୀ ପଦ୍ମ ଚରଣ ସାହୁ, ପୌର ନିର୍ବାହୀ ଅଧିକାରୀ ଶ୍ରୀ ଅଶ୍ୱିନୀ କୁମାର ଦାଶ ପ୍ରମୂଖ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଶାସ୍ତ୍ରୀଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହି ଅବସରରେ ଡକ୍ଟର ଅନୁପମା ମିଶ୍ର, ଶ୍ରୀ ନଜରୁଲ ଇସଲାମ୍ ଓ ଫାଦର ଶ୍ରୀ ନକୁଳ ନାୟକ ଗୀତା, କୋରାନ୍ ଓ ବାଇବେଲ ପାଠ କରିଥିଲେ । ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ଆୟୋଜିତ ଜିଲ୍ଲା ସ୍ତରୀୟ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି ଉତ୍ସବରେ ସହରର ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ବିଭାଗୀୟ ଅଧିକାରୀ, ବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଶ୍ରୀ ସତ୍ୟ ନାରାୟଣ କର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଜିଲ୍ଲା ସୂଚ଼ନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଶ୍ରୀନିବାସ ରାଉତ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଜି ପ୍ରତ୍ୟୁଷରେ ଜିଲ୍ଲା ସୂଚ଼ନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସହର ମଧ୍ୟରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ରାମ୍ ଧୂନ୍ ପରିବେଷଣ କରାଯାଇଥିଲା ।
