ବେଲଗୁଣ୍ଠାରେ ଅବସରପ୍ରାପ୍ତ କର୍ମଚାରୀଙ୍କ ୧୨ ଦଫା ଦାବି ;ବିଡିଓଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
ବେଲଗୁଣ୍ଠା, ୩୦/୦୯:-(ଶିବରାମ ଚୌଧୁରୀ )-ଅଖିଳ ଭାରତ ରାଜ୍ୟ ସରକାରୀ ପେନସନର୍ ମହାସଂଘର ଆହ୍ୱାନକ୍ରମେ ବୁଧବାର ବେଲଗୁଣ୍ଠା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ‘ସର୍ବଭାରତୀୟ ଦାବି ଦିବସ’ ପାଳନ କରାଯାଇଛି। ଏହି ଅବସରରେ ପେନସନର୍ଙ୍କ ବିଭିନ୍ନ ସମସ୍ୟା ଓ ଦାବି ନେଇ ୧୨ ଦଫା ସମ୍ବଳିତ ଏକ ଦାବିପତ୍ର ବେଲଗୁଣ୍ଠା ବ୍ଲକ୍ ଉନ୍ନୟନ ଅଧିକାରୀଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।ସଂଘ ପକ୍ଷରୁ ପେନସନର୍ଙ୍କ ପାଇଁ ଅଷ୍ଟମ ବେତନ କମିଶନର ପରିସରରେ ପେନସନ ସଂଶୋଧନ, ଅବସରପ୍ରାପ୍ତ କର୍ମଚାରୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଭତ୍ତା ପ୍ରଦାନ, ୫୦ ପ୍ରତିଶତ ମହଙ୍ଗା ଭତ୍ତାକୁ ମୂଳ ପେନସନରେ ମିଶ୍ରଣ, ପେନସନର୍ଙ୍କ ପାଇଁ କ୍ୟାଶ୍ଲେସ୍ ଚିକିତ୍ସା ସୁବିଧା ଏବଂ ପେନସନ୍ ସମ୍ବନ୍ଧୀୟ ଭେଦଭାବ ଦୂର କରିବା ଦାବି କରାଯାଇଛି।ସେହିପରି NPS ଓ UPS ବାତିଲ କରି ସମସ୍ତଙ୍କ ପାଇଁ ପୁରୁଣା ପେନସନ୍ ଯୋଜନା ଲାଗୁ, ବରିଷ୍ଠ ନାଗରିକଙ୍କ ରେଳ ଯାତ୍ରାରେ ୫୦ ପ୍ରତିଶତ ରିହାତି ପୁନଃପ୍ରଚଳନ, କୋଭିଡ୍ ସମୟର ୧୮ ମାସର ବକେୟା ମହଙ୍ଗା ଭତ୍ତା ପ୍ରଦାନ, ପେନସନ୍ କମ୍ୟୁଟେସନ୍ ପରିଶୋଧ ଅବଧି ହ୍ରାସ ଏବଂ ବରିଷ୍ଠ ପେନସନର୍ଙ୍କ ପେନସନ୍ ବୃଦ୍ଧି ଭଳି ଦାବି ରହିଛି। ପେନସନର୍ ଓ ବରିଷ୍ଠ ନାଗରିକଙ୍କ ଅଭିଯୋଗ ସମାଧାନ ପାଇଁ ସ୍ୱତନ୍ତ୍ର କମିଶନ୍ ଗଠନ ପାଇଁ ମଧ୍ୟ ଦାବି କରାଯାଇଛି।
ଏହି କାର୍ଯ୍ୟକ୍ରମରେ ସଂଘର ଉପସଭାପତିଙ୍କ ସମେତ ବହୁ କର୍ମକର୍ତ୍ତା ଓ ଅବସରପ୍ରାପ୍ତ କର୍ମଚାରୀ ଉପସ୍ଥିତ ରହି ଦାବିଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ। ଦାବିପତ୍ର ପ୍ରଦାନ ସମୟରେ ସଂଘ ପକ୍ଷରୁ ପେନସନର୍ଙ୍କ ସ୍ୱାର୍ଥ ସମ୍ବଳିତ ଦାବିଗୁଡ଼ିକର ଶୀଘ୍ର ବିଚାର ଓ ପଦକ୍ଷେପ ନିଆଯିବାକୁ ଅନୁରୋଧ କରାଯାଇଥିଲା।
