*ନୂଆପଡ଼ା ବ୍ଲକର ବିଭିନ୍ନ ସ୍ଥାନରେ ବିପର୍ଯ୍ୟୟ ପରିଚାଳନା ସଚେତନତା କର୍ମଶାଳା*
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୨୯/୦୯:
ନୂଆପଡ଼ା ପଞ୍ଚାୟତ ସମିତି ଅନ୍ତର୍ଗତ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ, ନୂଆପଡ଼ା ଏବଂ ଏନ୍ଡିଆର୍ଏଫ୍ (NDRF), କଟକର ମିଳିତ ଆନୁକୂଲ୍ୟରେ ବିପର୍ଯ୍ୟୟ ପରିଚାଳନା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଧରମବନ୍ଧା ସରକାରୀ ଏସ୍.ଏସ୍.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଧରମବନ୍ଧା ସରକାରୀ ଏସ୍.ଏସ୍.ଡି. ଉଚ୍ଚ ବିଦ୍ୟାଳୟ, ସାଇପଲା ସରକାରୀ ଉଚ୍ଚ ବିଦ୍ୟାଳୟ ସମେତ କୋଟେଞ୍ଚୁଆଁ ଓ ବୋଇରଭାଡ଼ି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଏହି ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
କର୍ମଶାଳାରେ NDRF ଟିମ୍ର ଇନ୍ସପେକ୍ଟର ଶ୍ରୀ ପି.ଆର୍. ମହାନ୍ତିଙ୍କ ସମେତ ହାବିଲଦାର ମହମ୍ମଦ ଆରାଫାତ, କନଷ୍ଟେବଲ ବୈକୁଣ୍ଠ ରାଓ, କନଷ୍ଟେବଲ ସନ୍ୟାସୀ ରାଓ ଓ କନଷ୍ଟେବଲ କେ.ସି. ନାୟକ ଉପସ୍ଥିତ ରହି ବିପର୍ଯ୍ୟୟ ସମୟରେ ଆବଶ୍ୟକ ଜରୁରୀକାଳୀନ ପଦକ୍ଷେପ, ଉଦ୍ଧାର କୌଶଳ ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପ୍ରାୟୋଗିକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ବିଶେଷକରି ପ୍ରାଥମିକ ଚିକିତ୍ସା, ବନ୍ୟା, ଭୂମିକମ୍ପ, ସର୍ପାଘାତ, ଅଗ୍ନି ନିର୍ବାପନ ଏବଂ CPR ସମ୍ପର୍କରେ ଅଂଶଗ୍ରହଣକାରୀମାନଙ୍କୁ ପ୍ରାୟୋଗିକ ଭାବେ ବୁଝାଇ ଦିଆଯାଇଥିଲା। ବିପର୍ଯ୍ୟୟ ସମୟରେ ଆତଙ୍କିତ ନହୋଇ ନିଜର ସୁରକ୍ଷା ସହ ଅନ୍ୟମାନଙ୍କୁ କିପରି ଉଦ୍ଧାର ଓ ସୁରକ୍ଷିତ ରଖାଯାଇପାରିବ, ସେ ସମ୍ପର୍କରେ ମଧ୍ୟ NDRF ଟିମ୍ ପକ୍ଷରୁ ବିଭିନ୍ନ କୌଶଳ ପ୍ରଦର୍ଶନ କରାଯାଇଥିଲା।ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ନୂଆପଡ଼ାଙ୍କ ତତ୍ତ୍ୱାବଧାନରେ ଏହି କର୍ମଶାଳାଗୁଡ଼ିକର ଆୟୋଜନ କରାଯାଇଥିଲା। ନୂଆପଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମ୍ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମଗୁଡ଼ିକ ସଫଳତାର ସହ ସମ୍ପନ୍ନ ହୋଇଥିଲା।
କର୍ମଶାଳାରେ ବର୍ତ୍ତମାନର ପରିବର୍ତ୍ତିତ ପରିବେଶୀୟ ପରିସ୍ଥିତିରେ ବିପର୍ଯ୍ୟୟ ପ୍ରତିରୋଧ, ପ୍ରସ୍ତୁତି ଓ ପରିବେଶ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ପରିବେଶର ସନ୍ତୁଳନ ରକ୍ଷା ପାଇଁ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ସହ ପରିବାରର ଶୁଭ ଅବସରରେ ଅନ୍ତତଃ ଗୋଟିଏ ବୃକ୍ଷରୋପଣ କରିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ। ଏହି ଅବସରରେ “ଏକ ପେଡ୍ ମା’ କେ ନାମ୍” ଅଭିଯାନ ଅନ୍ତର୍ଗତ ସମୂହ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।
କର୍ମଶାଳାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ NDRF ଟିମ୍ର ଏଭଳି ଜନସଚେତନତାମୂଳକ ପଦକ୍ଷେପକୁ ପ୍ରଶଂସା କରିଥିଲେ।
ଏହି କର୍ମଶାଳା ମାଧ୍ୟମରେ ବିପର୍ଯ୍ୟୟ ସମୟରେ ସତର୍କତା, ପ୍ରସ୍ତୁତି, ଉଦ୍ଧାର, ପ୍ରାଥମିକ ଚିକିତ୍ସା ଓ ଜରୁରୀକାଳୀନ ପଦକ୍ଷେପ ସମ୍ପର୍କରେ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ଓ ଦକ୍ଷତା ବୃଦ୍ଧି ପାଇଥିବା ପ୍ରକାଶ।
