ବନ୍ୟା ପ୍ରଭାବିତ କୋଟପାଡ଼ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ଆଶ୍ରୟ ସ୍ଥଳୀରେ ବନ୍ୟା ପୀଡ଼ିତଙ୍କ ସହ ଆଲୋଚନା କରି ସ୍ଥିତି ବୁଝିଲେ
କୋଟପାଡ଼, ୨୭ ସେପ୍ଟେମ୍ବର ୨୦୨୬:
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କୋରାପୁଟ ଜିଲ୍ଲାର ବନ୍ୟା ପ୍ରଭାବିତ କୋଟପାଡ଼ ବ୍ଲକ୍ର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ସେ ପିରିଞ୍ଜି ଓ ଚାନ୍ଦିଲି ଅଞ୍ଚଳ ପରିଦର୍ଶନ କରି ବନ୍ୟା ଯୋଗୁଁ ହୋଇଥିବା ପ୍ରଭାବ ସମ୍ପର୍କରେ ଅବଗତ ହୋଇଥିଲେ।
ଏହାପରେ ମୁଖ୍ୟମନ୍ତ୍ରୀ ଚାନ୍ଦିଲି ହାଇସ୍କୁଲ୍ରେ ଥିବା ଆଶ୍ରୟ ସ୍ଥଳୀ ପରିଦର୍ଶନ କରି ବନ୍ୟା ପ୍ରଭାବିତ ପରିବାରଗୁଡ଼ିକ ସହ ସିଧାସଳଖ ଆଲୋଚନା କରିଥିଲେ। ସେମାନଙ୍କ ସମସ୍ୟା, ଆବଶ୍ୟକତା ଏବଂ ଯୋଗାଇ ଦିଆଯାଉଥିବା ସହାୟତା ସମ୍ପର୍କରେ ପଚାରି ବୁଝିଥିଲେ। ଆଶ୍ରୟ ସ୍ଥଳୀରେ ଯୋଗାଇ ଦିଆଯାଉଥିବା ରନ୍ଧା ଖାଦ୍ୟ, ପାନୀୟ ଜଳ, ଶିଶୁ ଖାଦ୍ୟ ଓ ଔଷଧପତ୍ର ବ୍ୟବସ୍ଥା ମଧ୍ୟ ମୁଖ୍ୟମନ୍ତ୍ରୀ ଯାଞ୍ଚ କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, “କୋରାପୁଟ ଜିଲ୍ଲାର ପ୍ରତ୍ୟେକ ବନ୍ୟା ପୀଡ଼ିତଙ୍କ ସହ ସରକାର ଅଛନ୍ତି। କ୍ଷୟକ୍ଷତି ଆକଳନ ପରେ ନିୟମାନୁଯାୟୀ ଆବଶ୍ୟକ ସହାୟତା ପ୍ରଦାନ କରାଯିବ।”
କୋଟପାଡ଼ ଅଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ଜୟପୁର ବିମାନବନ୍ଦରରେ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ବନ୍ୟା ପରିସ୍ଥିତି ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ବନ୍ୟା ପରିସ୍ଥିତି, ପ୍ରଭାବିତ ଅଞ୍ଚଳ, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ, ଆଶ୍ରୟ ସ୍ଥଳୀରେ ବ୍ୟବସ୍ଥା ଏବଂ କ୍ଷୟକ୍ଷତି ଆକଳନ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।
ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କହିଥିଲେ ଯେ, ବର୍ତ୍ତମାନ ଆଶ୍ରୟ ସ୍ଥଳୀରେ ରହୁଥିବା ଲୋକମାନଙ୍କୁ ୧୫ ଦିନ ପାଇଁ ଖାଦ୍ୟ, ରାସନ, ପୋଷାକ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ। ସମସ୍ତ ବନ୍ୟା ପୀଡ଼ିତଙ୍କୁ ନିୟମାନୁଯାୟୀ ଅଗ୍ରିମ କ୍ଷତିପୂରଣ/ସହାୟତା ରାଶି ପ୍ରଦାନ କରାଯିବ। କୃଷି ଜମିରେ ଜମିଥିବା ପାଣି ନିଷ୍କାସନ ପାଇଁ ଏକ ବୈଷୟିକ ଦଳ ନିୟୋଜିତ କରାଯିବ ଏବଂ ପାଣି ନିଷ୍କାସନ ପରେ ସେହି ଜମିରେ କିପରି ପୁନର୍ବାର ଚାଷ କାର୍ଯ୍ୟ ଆରମ୍ଭ କରାଯାଇପାରିବ, ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦିଆଯିବ।
ଏହି ଅବସରରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମାନ୍ୟବର କୋଟପାଡ଼ ବିଧାୟକ ଶ୍ରୀ ରୂପୁ ଭତ୍ରା, ମାନ୍ୟବର କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛ, ମାନ୍ୟବର ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ, ସ୍ପେଶାଲ୍ ରିଲିଫ୍ କମିଶନର୍ ଶ୍ରୀ ରାଜେଶ ପ୍ରଭାକର ପାଟିଲ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ଶ୍ରୀ ଦିଗନ୍ତ ରାଉତରାୟ, କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ରୋହିତ ବର୍ମା, ମାଲକାନଗିରି ଜିଲ୍ଲାପାଳ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ, ନବରଙ୍ଗପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଡଃ. ମହେଶ୍ୱର ସ୍ୱାଇଁ, ଭା.ପ୍ର.ସେ.,ଜୟପୁର ଉପଜିଲ୍ଲାପାଳ ସୁଶ୍ରୀ ଶୁଭ୍ରା ପଣ୍ଡା, କୋରାପୁଟ ଉପଜିଲ୍ଲାପାଳ ସୁଶ୍ରୀ ଫାବି ରଶିଦ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀ ବେଣୁଧର ସବରଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
