*’ଚିକିଟି’ ନା ‘ଚିକିଟୀ’*-: ‘ଚିକିଟି’ ଲେଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ଚିକିଟି, (ଶ୍ରୀବତ୍ସ ସାହୁ) : ଚିକିଟି ଅଞ୍ଚଳର ନାମକୁ ରାଜସ୍ୱ ରେକର୍ଡ ଅନୁଯାୟୀ ସଠିକ୍ ଭାବେ ବ୍ୟବହାର କରିବା ଏବଂ ଅଞ୍ଚଳର ଐତିହାସିକ ଅସ୍ମିତାକୁ ସୁରକ୍ଷିତ ରଖିବା ଦାବି ଜୋରଦାର ହୋଇଛି। ସୋମବାର ଚିକିଟି ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ମିଳିତ ଜନ ଅଭିଯୋଗ ଶୁଣାଣିରେ ଏ ନେଇ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଥିଲା।
ଶିକ୍ଷାବିତ ତଥା ସାମ୍ବାଦିକ ନିଗମାନନ୍ଦ ପଣ୍ଡାଙ୍କ ନେତୃତ୍ୱରେ ଚିକିଟି ବ୍ଲକର କାର୍ଯ୍ୟରତ ସାମ୍ବାଦିକ ଓ ବୁଦ୍ଧିଜୀବୀମାନେ ଏହି ଅଭିଯୋଗପତ୍ର ଦାଖଲ କରିଥିଲେ। ଅଭିଯୋଗରେ କୁହାଯାଇଥିଲା ଯେ, ରାଜସ୍ୱ ରେକର୍ଡରେ ଅଞ୍ଚଳର ନାମ ‘ଚିକିଟି’ ଭାବେ ଲିପିବଦ୍ଧ ରହିଥିବା ସତ୍ତ୍ୱେ ବିଭିନ୍ନ ସରକାରୀ କାଗଜପତ୍ର, ଫଳକ ଓ ଅନ୍ୟାନ୍ୟ ସ୍ଥାନରେ ‘ଚିକିଟୀ’ ଲେଖାଯାଉଛି। ଏହା ଫଳରେ ରାଜସ୍ୱ ରେକର୍ଡରେ ପ୍ରଚଳିତ ନାମର ଅପଭ୍ରଂଶ ହେଉଥିବା ଅଭିଯୋଗ କରାଯାଇଥିଲା।
ଅଭିଯୋଗକାରୀମାନେ କହିଥିଲେ ଯେ, ଚିକିଟି ନାମର ଐତିହାସିକ ଓ ପ୍ରଶାସନିକ ପରିଚୟ ସହିତ ଏହା ଜଡ଼ିତ ଥିବାରୁ ସରକାରୀ ରେକର୍ଡରେ ଯେଉଁ ନାମ ପ୍ରଚଳିତ ରହିଛି, ସେହି ନାମକୁ ହିଁ ସମସ୍ତ ସରକାରୀ ବ୍ୟବହାରରେ ଅନୁସରଣ କରାଯିବା ଆବଶ୍ୟକ। ଚିକିଟିର ନାମକୁ ଅନ୍ୟ ଭାବେ ଲେଖିବା ଦ୍ୱାରା ଅଞ୍ଚଳର ପରିଚୟ ଓ ଅସ୍ମିତା ପ୍ରଭାବିତ ହେଉଥିବାରୁ ଏହାକୁ ତୁରନ୍ତ ସଂଶୋଧନ କରିବାକୁ ସେମାନେ ଦାବି ଜଣାଇଥିଲେ।
ଅଭିଯୋଗ ଉପରେ ଗଞ୍ଜାମ ଜିଲ୍ଲାପାଳ ତ୍ୱରିତ ପଦକ୍ଷେପ ନେଈ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ରାଜସ୍ୱ ରେକର୍ଡ ଅନୁଯାୟୀ ସମସ୍ତ ସ୍ଥାନରେ ‘ଚିକିଟୀ’ ପରିବର୍ତ୍ତେ ‘ଚିକିଟି’ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳଙ୍କ ଏହି ତ୍ୱରିତ ପଦକ୍ଷେପକୁ ଚିକିଟିର କାର୍ଯ୍ୟରତ ସାମ୍ବାଦିକ ଓ ବୁଦ୍ଧିଜୀବୀମାନେ ସ୍ୱାଗତ କରିବା ସହ ଗଞ୍ଜାମ ଜିଲ୍ଲାପାଳ, ଚିକିଟି ତହସିଲଦାର ଓ ବିଡିଓଙ୍କୁ ସାଧୁବାଦ ଜଣାଇଛନ୍ତି। ଚିକିଟିର ନାମ ଓ ଅସ୍ମିତା ସୁରକ୍ଷା ଦିଗରେ ପ୍ରଶାସନର ଏହି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟାନ୍ତ ବୋଲି ସେମାନେ କହିଛନ୍ତି।
