୧୧ ଦିନର ଉତ୍ସବ ପରେ ବିଦାୟ ନେଲେ ବିଘ୍ନହର୍ତ୍ତା
ଆଲୋକମାଳାରେ ଝଲସୁଥିବା ତାଳଚେର ଏବେ ନିରବ, ଭାବବିହ୍ୱଳ ହୋଇ ପ୍ରଭୁ ଗଜାନନଙ୍କୁ ବିଦାୟ ଦେଲେ ଭକ୍ତ
ତାଳଚେର:(ମନୋଜ ରାଉତ)(ନିପ୍ର) ୧୧ ଦିନ ଧରି ଉତ୍ସବମୁଖର ହୋଇ ଉଠିଥିବା କୋଇଲା ନଗରୀ ତାଳଚେରରେ ଶେଷ ହୋଇଛି ଗଣେଶ ପୂଜାର ଭବ୍ୟ ଆୟୋଜନ। ଶତାଧିକ ପୂଜା ମଣ୍ଡପରେ ଧୁମଧାମରେ ପୂଜା ପାଉଥିବା ବିଘ୍ନହର୍ତ୍ତା ପ୍ରଭୁ ଗଜାନନଙ୍କୁ ଭାବବିହ୍ୱଳ ପରିବେଶରେ ଦିଆଯାଇଛି ବିଦାୟ।
୧୧ ଦିନ ଧରି ଆଲୋକମାଳା, ରଙ୍ଗୀନ ତୋରଣ, ଆକର୍ଷଣୀୟ ମଣ୍ଡପ ଓ ଭକ୍ତଙ୍କ ଭିଡ଼ରେ ଚଳଚଞ୍ଚଳ ହୋଇଥିଲା ସାରା ତାଳଚେର। ସହରର ଗଳିକନ୍ଦିଠାରୁ ପୂଜାମଣ୍ଡପ ପର୍ଯ୍ୟନ୍ତ ଶୁଭୁଥିଲା ଗଣପତିଙ୍କ ଜୟଧ୍ୱନି।
ତେବେ ଉତ୍ସବର ଶେଷ ଦିନରେ ଭକ୍ତି ଓ ଉତ୍ସାହରେ ବାହାରିଥିଲା ଭବ୍ୟ ଭସାଣି ଶୋଭାଯାତ୍ରା। ଢୋଲ, ମୃଦଙ୍ଗ ଓ ବିଭିନ୍ନ ବାଦ୍ୟର ତାଳେ ତାଳେ ଆଗେଇଥିଲା ଶୋଭାଯାତ୍ରା। ରାସ୍ତାରେ ଜମିଥିଲା ହଜାର ହଜାର ଭକ୍ତଙ୍କ ଭିଡ଼। ଚାରିଆଡ଼େ ଗୁଞ୍ଜି ଉଠିଥିଲା— “ଗଣପତି ବାପ୍ପା ମୋରିଆ, ଆଗଲେ ବର୍ଷ ତୁ ଜଲ୍ଦି ଆ!”
ଭସାଣି ଶୋଭାଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ମଧ୍ୟ କରାଯାଇଥିଲା ବ୍ୟାପକ ସୁରକ୍ଷା ବ୍ୟବସ୍ଥା। ପୋଲିସ, ପ୍ରଶାସନ, ପୂଜା କମିଟି ଓ ସାଧାରଣ ଲୋକଙ୍କ ସହଯୋଗରେ ସୁରୁଖୁରୁରେ ଶେଷ ହୋଇଥିଲା ତାଳଚେରର ଗଣେଶ ଭସାଣି।
୧୧ ଦିନର ଉତ୍ସବ ଶେଷ ହୋଇଛି, ଲିଭିଯାଇଛି ଆଲୋକମାଳା। ଖାଲି ହୋଇଛି ମଣ୍ଡପ। କିନ୍ତୁ ଭକ୍ତଙ୍କ ମନରେ ରହିଯାଇଛି ପ୍ରଭୁ ଗଜାନନଙ୍କ ଅସଂଖ୍ୟ ସ୍ମୃତି।
ଭାରି ମନରେ ଭକ୍ତମାନେ ବିଦାୟ ଦେଇଛନ୍ତି ବିଘ୍ନହର୍ତ୍ତାଙ୍କୁ। ଆସନ୍ତା ବର୍ଷ ପୁଣି ସେହି ଉତ୍ସାହ, ସେହି ଭକ୍ତି ଓ ସେହି ଆନନ୍ଦରେ ତାଳଚେରକୁ ଫେରିବେ ପ୍ରଭୁ ଗଜାନନ—ଏହି ଆଶା ଓ ବିଶ୍ୱାସରେ ଭକ୍ତଙ୍କ ଆଖିରେ ଲୁହ, ମନରେ ଭକ୍ତି।
ଗଣପତି ବାପ୍ପା ମୋରିଆ…
ଆଗଲେ ବର୍ଷ ତୁ ଜଲ୍ଦି ଆ!
