ତୃତୀୟ ଦିନରେ ବଢ଼ିଲା ବର୍ଷାର ପରିମାଣ
ଫୁଲୁଛି ବଡ଼ନଦୀ; ବିପଦ ସଂକେତ ନିକଟରେ ଜଳସ୍ତର, ଚିନ୍ତାରେ ଚାଷୀ
ବେଲଗୁଣ୍ଠା, ୨୪ା୯: -(ଶିବରାମ ଚୌଧୁରୀ )-ଅବପାତ ପ୍ରଭାବରେ ବେଲଗୁଣ୍ଠା ଅଞ୍ଚଳରେ ତିନି ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ପ୍ରଥମ ଦୁଇ ଦିନ ତୁଳନାରେ ତୃତୀୟ ଦିନରେ ବର୍ଷାର ପରିମାଣ ବୃଦ୍ଧି ପାଇଛି। ପ୍ରଥମ ଦୁଇ ଦିନରେ ମୋଟ ୬୦ ମିଲିମିଟର ବର୍ଷା ହୋଇଥିବାବେଳେ ଗୁରୁବାର ୩୫ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଫଳରେ ତିନି ଦିନରେ ମୋଟ ବର୍ଷା ପରିମାଣ ପାଖାପାଖି ୧୦୦ ମିଲିମିଟରରେ ପହଞ୍ଚିଛି।
ଲଗାଣ ବର୍ଷା ଯୋଗୁଁ ବଡ଼ନଦୀରେ ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି। ମାଧବରୀଡା ଅନିକଟର ସହକାରୀ ଯନ୍ତ୍ରୀ ସଞ୍ଜୀବ କୁମାର ସାହୁଙ୍କ ସୂଚନାନୁସାରେ, ଅନିକଟର ବିପଦ ସଂକେତ ୬୦.୬୬ ମିଟର ଥିବାବେଳେ ଗୁରୁବାର ଜଳସ୍ତର ୫୯.୪୨ ମିଟରରେ ପହଞ୍ଚିଛି। ନଦୀରେ ପ୍ରାୟ ୪୭୦ କ୍ୟୁମେକ୍ସ ଜଳ ପ୍ରବାହିତ ହେଉଛି। ବର୍ତ୍ତମାନ ଜଳସ୍ତର ବିପଦ ସଂକେତଠାରୁ ତଳେ ରହିଥିବାରୁ ଲୋକେ ଭୟଭୀତ ନହେବାକୁ ବିଭାଗୀୟ ଯନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନିକଟ ଓ ନଦୀଜଳ ସ୍ଥିତି ଉପରେ ବିଭାଗ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି। ଅନ୍ୟପକ୍ଷରେ ଲଗାଣ ବର୍ଷା ଧାନ ଫସଲକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ାଇଛି। ବର୍ତ୍ତମାନ ଧାନ ଗଛରେ ଫୁଲ ଧରିବା ସମୟ ହୋଇଥିବାରୁ ଜମିରେ ଦୀର୍ଘ ସମୟ ପାଣି ଜମି ରହିଲେ ଫସଲ ପ୍ରଭାବିତ ହେବାର ଆଶଙ୍କା ରହିଛି। ଆଗକୁ ବର୍ଷା ପରିମାଣ ବଢ଼ିଲେ ଜମିରୁ ବର୍ଷାଜଳ ନିଷ୍କାସନ କଷ୍ଟକର ହୋଇପାରେ ବୋଲି ଚାଷୀମାନେ ଆଶଙ୍କା କରିଛନ୍ତି। ଦୀର୍ଘ ସମୟ ଧରି ମୂଳରେ ପାଣି ଜମି ରହିଲେ ଧାନ ଗଛର ବୃଦ୍ଧି ଓ ଉତ୍ପାଦନ ପ୍ରଭାବିତ ହୋଇପାରେ।
