ବ୍ରାଉନ ସୁଗାର ସହ ବାଇକ୍ ଜବତ: ଜଣେ ଗିରଫ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ସୋରରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ସହ ଜଣଙ୍କୁ ଗିରଫ କରିଛି ସୋର ଓ ଖଇରା ଅବକାରୀ ଥାନା। ସୂଚନାଯୋଗ୍ୟ ବାଲେଶ୍ୱର ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ସୋର ଆଦର୍ଶ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଅନିତା ସାହୁ ଓ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସୋର ଥାନା ଅନ୍ତର୍ଗତ ରାଇପୁର ଛକ ନିକଟରେ ଚଢ଼ାଉ କରାଯାଇ ୨୩୫ ଗ୍ରାମ ବ୍ରାଉନସୁଗାର ଏବଂ ଗୋଟିଏ ବାଜାଜ ଡିସ୍କୋଭର ମୋଟର ସାଇକେଲ (ଓଆର-୨୨ଡି-୩୨୮୮) ଜବତ କରିଛନ୍ତି । ଅଭିଯୁକ୍ତ ଜଣଙ୍କ ହେଲେ ସୋର ଥାନା ଅନ୍ତର୍ଗତ ଛତ୍ରପୁର ଗ୍ରାମର ଅଫତାର ସାହା । ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ବ୍ରାଉନସୁଗାର ଓ ମୋଟର ସାଇକେଲର ଆନୁମାନିକ ମୂଲ୍ୟ ୨୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ ସୋର ଆଦର୍ଶ ଅବକାରୀ ଥାନା ସହ ଉପ-ନିରୀକ୍ଷକ ବସନ୍ତ ବାରିକ ଓ କନେଷ୍ଟବଳ ଦେବାଶିଷ ମଲ୍ଲିକ ଶଶୀକାନ୍ତ ସାହୁ, ମିନତୀ ପରିଡ଼ା ପ୍ରଭୃତି ସାମିଲ ଥିଲେ । ଏନେଇ ସୋର ଆଦର୍ଶ ଅବକାରୀ ଥାନା ପକ୍ଷରୁ କେସ ନଂ: ୧୬୭/୨୦୨୬-୨୭ ମୂଳେ ମାମଲା ରୁଜ୍ଜୁ କରାଯାଇଛି l
