ଦଶରଥ ପୁର(ଉତ୍ତମ କୁମାର ଦାସ) : ପହିଲି ରଜ ଠାରୁ ଆଜିଯାଏଁ ପାଞ୍ଚ ସାତ ଦିନ ଶୁଖିଲା ପାଗକୁ ଛାଡିଦେଲେ ଦଶରଥପୁର, ବିଞ୍ଝାରପୁର ଅଞ୍ଚଳରେ ପ୍ରତ୍ୟକ ଦିନ ପ୍ରାୟତଃ ଅଳ୍ପ ବହୁତ ବର୍ଷା ହୋଇଛି। ଫଳରେ ଚାଷୀ ଭାଇମାନେ ଚଳିତ ବର୍ଷ ଶୁଖିଲା ତଳି ପକାଇବାରୁ ବଞ୍ଚିତ ହୋଇଛନ୍ତି। ତେଣୁ ଖରିଫ ଧାନ ଚାଷ ପାଇଁ କାଦୁଅ ତଳି ଚାଷୀ ମାନଙ୍କ ପାଇଁ ଏକମାତ୍ର ଭରସା ପାଲଟିଥିବା ବେଳେ ଲଗାଣ ବର୍ଷା ସେଥିରେ ବାଧା ସୃଷ୍ଟି କରିଛି। ଏକ ସପ୍ତାହ ଧରି ଲଘୁଚାପ ଜନିତ ବର୍ଷା ଯୋଗୁ ଚାଷୀ ମାନେ ଏବେ ହନ୍ତସନ୍ତ ହେଉଛନ୍ତି। କେତେକ ସ୍ଥାନରେ କାଦୁଅ ତଳି ପଡ଼ିଥିବା ବେଳେ ବର୍ଷା ଯୋଗୁ ସେଗୁଡିକ ପ୍ରାୟତଃ ପଚି ଯାଇଛି। ଗତ ଶୁକ୍ରବାର ଓ ଶନିବାର ଦିନ ବ୍ଲକ ଅଞ୍ଚଳରେ ମୂଷଳ ଧାରାରେ ବର୍ଷା ହୋଇଥିବା କାରଣରୁ ଗଛ ହୋଇଥିବା କିଛି ତଳି କିଆରି ମଧ୍ୟ ବୁଡ଼ିଯାଇଛି। ଆଗକୁ ଏଭଳି ବର୍ଷା ଲାଗି ରହିଲେ ଏହା ଧାନ ଚାଷପାଇଁ କ୍ଷତି ପହଞ୍ଚାଇବା ବୋଲି ଚାଷୀ ମାନେ ମତ ଦେଇଛନ୍ତି। ଦଶରଥପୁର, ଏବଂ, ବିଞ୍ଝାରପୁର ବ୍ଲକ ଅଞ୍ଚଳରେ ମାତ୍ରାଧିକ ବର୍ଷା ହୋଇଥିବାରୁ ଖାଲ ଜମି ସହିତ ଢିପ ଜମି ଗୁଡିକ ଜଳ ମଗ୍ନ ହୋଇଥିବା ଦେଖିବାକୁ ମିଳିଛି। ଏହାଛଡା କେତେକ ସ୍ଥାନରେ ଡ୍ରେନେଜ ବ୍ୟବସ୍ଥା ଠିକ ନଥିବାରୁ ଚାଷ ଜମି ଗୁଡ଼ିକରୁ ଜଳ ନିଷ୍କାସନ ହୋଇପାରୁନାହିଁ। ଯେଉଁଥି ପାଇଁ ଦିନ ଦିନ ଧରି ଜମି ଗୁଡିକ ବର୍ଷା ପାଣିରେ ବୁଡି ରହୁଛି। ତେଣୁ ଚାଷ ଜମି ପାର୍ଶ୍ଵବର୍ତ୍ତି ଡ୍ରେନେଜ ବ୍ୟବସ୍ଥା ଉପରେ ଜଳସମ୍ପଦ ଓ ଡ୍ରେନେଜ ବିଭାଗ ପକ୍ଷରୁ ଦୃଷ୍ଟି ଦେବାକୁ ଦାବି ହୋଇଛି।
