ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକ ପରିଦର୍ଶନ କଲେ ଉପଜିଲ୍ଲାପାଳ ସୁରକ୍ଷିତ ସ୍ଥାନାନ୍ତରଣ ଓ ଜରୁରୀ ସୁବିଧା ସୁନିଶ୍ଚିତ ଉପରେ ଗୁରୁତ୍ୱ।
ଭଞ୍ଜନଗର,ତା.୨୩/୦୯ (ପ୍ରଫୁଲ୍ଲ କୁମାର ମହାରଣା )
ଆସନ୍ନ ଅବପାତ ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ସହ ବିପର୍ଯ୍ୟୟ ମୁକାବିଲା ପାଇଁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ଆଜି ଆସିକା, ଶେରଗଡ଼ ଓ ଧରାକୋଟ ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତିର ସ୍ଥିତି ସମୀକ୍ଷା କରିଛନ୍ତି।
ଉପଜିଲ୍ଲାପାଳ ଶ୍ରୀ ବେହେରା ଆସିକା ବ୍ଲକ୍ ର ମହାରାଜପୁର ଓ ଜଗଦଲପୁର, ଶେରଗଡ଼ ବ୍ଲକ୍ ଟହଁର, କାଞ୍ଜିଆମା ଓ ଗୁଡିସର ଏବଂ ଧରାକୋଟ ବ୍ଲକ୍ ର ଭାଲିଆଗୁଡ଼ା ଅଞ୍ଚଳରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକ ପରିଦର୍ଶନ କରିଥିଲେ। ଏହି ସମୟରେ ଆଶ୍ରୟସ୍ଥଳୀ ଗୁଡ଼ିକରେ ଲୋକଙ୍କ ରହିବା ବ୍ୟବସ୍ଥା, ପାନୀୟ ଜଳ, ବିଦ୍ୟୁତ୍, ପରିମଳ, ଖାଦ୍ୟ, ଆଲୋକ ବ୍ୟବସ୍ଥା ସମେତ ଅନ୍ୟାନ୍ୟ ଆବଶ୍ୟକୀୟ ମୌଳିକ ସୁବିଧାର ସ୍ଥିତି ସମ୍ପର୍କରେ ସେ ଅଧିକାରୀମାନଙ୍କ ଠାରୁ ସୂଚନା ନେଇଥିଲେ।
ଆଶ୍ରୟସ୍ଥଳୀ ଗୁଡ଼ିକରେ ଆବଶ୍ୟକ ସମସ୍ତ ସୁବିଧା ଆଗୁଆ ସୁନିଶ୍ଚିତ କରିବା ସହ ଜରୁରୀ ପରିସ୍ଥିତି ଉପୁଜିଲେ ବିପଦପ୍ରବଣ ଅଞ୍ଚଳର ଲୋକମାନଙ୍କୁ ତୁରନ୍ତ ଓ ସୁରକ୍ଷିତ ଭାବେ ସ୍ଥାନାନ୍ତରଣ କରିବା ଉପରେ ଉପଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ବିଶେଷକରି ବୟସ୍କ, ଶିଶୁ, ମହିଳା, ଦିବ୍ୟାଙ୍ଗ ଓ ଅନ୍ୟାନ୍ୟ ଦୁର୍ବଳ ବର୍ଗଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବାକୁ ସେ ଅଧିକାରୀମାନଙ୍କୁ କହିଥିଲେ।
ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ପ୍ରଧାନ ଟୁଲିଆମା ଉପସ୍ଥିତ ଥିଲେ। ଏଥିସହ ସମ୍ପୃକ୍ତ ବ୍ଲକ୍ ର ବିଡିଓ, ତହସିଲଦାର ଏବଂ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଆଶ୍ରୟସ୍ଥଳୀ ଗୁଡ଼ିକର ପ୍ରସ୍ତୁତି, ସ୍ଥାନାନ୍ତରଣ ବ୍ୟବସ୍ଥା ଓ ବିପର୍ଯ୍ୟୟ ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଉପଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ।
ଘୂର୍ଣ୍ଣିଝଡ଼ ଓ ପ୍ରବଳ ବର୍ଷା ସମୟରେ ଜନସାଧାରଣଙ୍କ ଜୀବନରକ୍ଷା କୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସମସ୍ତ ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଉପଜିଲ୍ଲାପାଳ ଶ୍ରୀ ବେହେରା ନିର୍ଦ୍ଦେଶ ଦେଇଥିଲେ। ଆବଶ୍ୟକ ସ୍ଥଳେ ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ, ଜରୁରୀକାଳୀନ ସେବା ଯୋଗାଣ ଏବଂ ଯେକୌଣସି ଆପତ୍କାଳୀନ ପରିସ୍ଥିତିରେ ତ୍ୱରିତ ପଦକ୍ଷେପ ନେବା ପାଇଁ ସମସ୍ତେ ପ୍ରସ୍ତୁତ ଓ ସଜାଗ ରହିବାକୁ ସେ ପରାମର୍ଶ ଦେଇଥିଲେ।
ଉପଖଣ୍ଡ ପ୍ରଶାସନ ପକ୍ଷରୁ ବିପଦପ୍ରବଣ ଅଞ୍ଚଳର ଲୋକମାନଙ୍କୁ ଆବଶ୍ୟକ ସମୟରେ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ ସହ ଘୂର୍ଣ୍ଣିଝଡ଼ ଓ ପ୍ରବଳ ବର୍ଷାର ପ୍ରଭାବକୁ ସର୍ବନିମ୍ନ କରିବା ଏବଂ ଜନସାଧାରଣଙ୍କୁ ତ୍ୱରିତ ଆବଶ୍ୟକୀୟ ସହାୟତା ପ୍ରଦାନ ପାଇଁ ସମସ୍ତ ପ୍ରସ୍ତୁତି ଜାରି ରହିଛି।
