ଅବପାତ ପ୍ରଭାବରେ ଦୁଇ ଦିନ ଲଗାଣ ବର୍ଷା, ଚିନ୍ତାରେ ଚାଷୀ
ମାଧବରିଡ଼ା ଠାରେ ବଡ଼ ନଦୀ ବିପଦ ସଂକେତ ଦୁଇ ମିଟର ତଳେ,
ବେଲଗୁଣ୍ଠା, ୨୩/୦୯:-(ଶିବରାମ ଚୌଧୁରୀ )-ଅବପାତ ପ୍ରଭାବରେ ବେଲଗୁଣ୍ଠା ଅଞ୍ଚଳରେ ଦୁଇ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ନଦୀତଟବର୍ତ୍ତୀ ଅଞ୍ଚଳରେ ଲୋକଙ୍କ ମନରେ ଛନକା ପଶିଥିବାବେଳେ ଧାନ ଫସଲକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିଛି। ତେବେ ବର୍ତ୍ତମାନର ବର୍ଷାକୁ ନେଇ ଭୟଭୀତ ନହେବାକୁ ବିଭାଗୀୟ ଯନ୍ତ୍ରୀ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ବିଭାଗୀୟ ଯନ୍ତ୍ରୀଙ୍କ ସୂଚନାନୁଯାୟୀ, ଗଞ୍ଜାମ ଜିଲ୍ଲାର ଅନ୍ୟ ଅଞ୍ଚଳ ତୁଳନାରେ ବେଲଗୁଣ୍ଠାରେ ବର୍ଷାର ପରିମାଣ କମ୍ ରହିଛି। ମାଧବରିଡ଼ାରେ ବୁଧବାର ଅପରାହ୍ଣ ୬ଟା ସୁଦ୍ଧା ୧୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ଦୁଇ ଦିନରେ ମୋଟ ୬୩ ମିଲିମିଟର ବର୍ଷା ରେକର୍ଡ ହୋଇଛି।
ମାଧବରିଡ଼ା ଅନିକଟର ବିପଦ ସଂକେତ ୬୦.୬୬ ମିଟର ଥିବାବେଳେ ବୁଧବାର ଅପରାହ୍ଣ ୩ଟା ସୁଦ୍ଧା ଜଳସ୍ତର ୫୮.୬୭ ମିଟର ରହିଥିଲା। ନଦୀରେ ସର୍ବାଧିକ ୩୦୪.୬୯୫ କ୍ୟୁମେକ୍ସ ଜଳ ପ୍ରବାହ କ୍ଷମତା ଥିବାବେଳେ ବର୍ତ୍ତମାନ ୨୨୩.୯୪ କ୍ୟୁମେକ୍ସ ଜଳ ପ୍ରବାହିତ ହେଉଛି।ତେବେ ଲଗାଣ ବର୍ଷାକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିଛି। ବର୍ତ୍ତମାନ ଧାନ ଗଛରେ ଫୁଲ ଧରିବା ସମୟ। ଏହି ସମୟରେ ଲଗାଣ ବର୍ଷା ହେଲେ ଜମିରେ ପାଣି ଜମି ରହିବା ନେଇ ଚାଷୀ ଚିନ୍ତିତ। ବିଶେଷକରି ଆଗାମୀ ଦିନରେ ବର୍ଷାର ପରିମାଣ ଆହୁରି ବଢ଼ିଲେ ଜମିରୁ ବର୍ଷାଜଳ ନିଷ୍କାସନ କରିବା କଷ୍ଟକର ହୋଇପାରେ। ଦୀର୍ଘ ସମୟ ଧରି ଧାନ ଗଛର ମୂଳରେ ପାଣି ଜମି ରହିଲେ ଗଛର ସ୍ୱାଭାବିକ ବୃଦ୍ଧି ଓ ଫସଲ ଉତ୍ପାଦନ ପ୍ରଭାବିତ ହେବାର ଆଶଙ୍କା ରହିଛି।
ଏହା ସହ ଅର୍ଣ୍ଣବ ବାତ୍ୟା ପ୍ରଭାବରେ ପବନର ବେଗ ବଢ଼ିଲେ ଫୁଲ ଧରିଥିବା ଧାନ ଗଛ ନଇଁପଡ଼ିବା ନେଇ ମଧ୍ୟ ଚାଷୀଙ୍କ ଆଶଙ୍କା ରହିଛି। ବର୍ଷା ସହ ପବନ ଜାରି ରହିଲେ ଫସଲରେ କ୍ଷତି ହୋଇପାରେ ବୋଲି ଚାଷୀମାନେ ଆଶଙ୍କା କରୁଛନ୍ତି। ତେଣୁ ବର୍ଷା କମିବା ସହ ଜମିରୁ ଶୀଘ୍ର ପାଣି ନିଷ୍କାସନ ହେଉ ବୋଲି ଚାଷୀମାନେ ଆଶା ରଖିଛନ୍ତି।ଅନିକଟ ଓ ନଦୀଜଳ ସ୍ଥିତି ଉପରେ ବିଭାଗୀୟ କର୍ତ୍ତୃପକ୍ଷ ନଜର ରଖିଛନ୍ତି।
