ରାୟଗଡ଼ରେ ୧୮୫ ଶିକ୍ଷକଙ୍କ ସାର୍ଟିଫିକେଟ୍ ଯାଞ୍ଚ, ୧୪୯ ଆବାସିକ ବିଦ୍ୟାଳୟରେ ନିଯୁକ୍ତି ସୁଯୋଗ, ଖୁବ୍ଶୀଘ୍ର ମିଳିବ ନିଯୁକ୍ତିପତ୍ର
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ରାଜ୍ୟ ସରକାରଙ୍କ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ (ଏସ୍ଏସ୍ସି) ଦ୍ୱାରା ମନୋନୀତ ହୋଇଥିବା ୧୮୫ ଜଣ ଶିକ୍ଷକଙ୍କ ସାର୍ଟିଫିକେଟ୍ ଯାଞ୍ଚ ରାୟଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମ୍ପନ୍ନ ହୋଇଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ (ମଙ୍ଗଳ ବିଭାଗ) ଅଧୀନରେ ଜିଲ୍ଲାର ବିଭିନ୍ନ ଆବାସିକ ବିଦ୍ୟାଳୟରେ ଏହି ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯିବ।ସୂଚନା ଅନୁସାରେ, ମୋଟ ୧୮୫ ଜଣ ଶିକ୍ଷକଙ୍କ ମଧ୍ୟରୁ ୧୫୯ ଜଣ ମେଟ୍ରିକ୍ ସିଟି ଶିକ୍ଷକ, ୧୧ ଜଣ ସୌରା ଭାଷା ଶିକ୍ଷକ ଏବଂ ୧୫ ଜଣ କୁଇ (କନ୍ଧ) ଭାଷା ଶିକ୍ଷକ ଅଛନ୍ତି। ଏହି ଶିକ୍ଷକମାନେ ରାୟଗଡ଼ ଜିଲ୍ଲାର ୧୪୯ଟି ଆବାସିକ ବିଦ୍ୟାଳୟରେ ନିଯୁକ୍ତି ପାଇବେ। ସାର୍ଟିଫିକେଟ୍ ଯାଞ୍ଚ ପରେ ମାର୍କ ଭିତ୍ତିକ ମେରିଟ୍ ଅନୁସାରେ ଶିକ୍ଷକମାନଙ୍କୁ ସେମାନଙ୍କ ଇଚ୍ଛାନୁସାରେ ବିଦ୍ୟାଳୟ ଚୟନ କରିବାର ସୁଯୋଗ ଦିଆଯାଇଥିଲା। ଯାଞ୍ଚ ପ୍ରକ୍ରିୟା ସମ୍ପନ୍ନ ହେବା ପରେ ଯାଞ୍ଚ କମିଟି ପକ୍ଷରୁ ସମ୍ପୂର୍ଣ୍ଣ ରିପୋର୍ଟ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରାଯାଇଛି। ପରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଏହି ରିପୋର୍ଟ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗକୁ ପଠାଯାଇଛି।
ଚଳିତ ବର୍ଷ ଜୁନ୍ ମାସରେ ୨୨ ଜଣ ଏବଂ ଅଗଷ୍ଟ ମାସରେ ୧୬ ଜଣ ଶିକ୍ଷକଙ୍କୁ ନିଯୁକ୍ତି ମିଳିଥିବାବେଳେ, ବର୍ତ୍ତମାନର ଚୟନ ପ୍ରକ୍ରିୟାକୁ ମିଶାଇ ମୋଟ ୨୨୩ ଜଣ ଶିକ୍ଷକଙ୍କୁ ରାୟଗଡ଼ ଜିଲ୍ଲାରେ ନିଯୁକ୍ତି ସୁଯୋଗ ମିଳିବାକୁ ଯାଉଛି। ଏ ସମ୍ପର୍କରେ ଯାଞ୍ଚ କମିଟିର ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ କହିଛନ୍ତି ଯେ, ଶିକ୍ଷକମାନଙ୍କ ସାର୍ଟିଫିକେଟ୍ ଯାଞ୍ଚ, ବିଦ୍ୟାଳୟ ଚୟନ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଖୁବ୍ଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ମନୋନୀତ ଶିକ୍ଷକମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ। ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟାରେ ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଅତିରିକ୍ତ ମଙ୍ଗଳ ଅଧିକାରୀ, ଅତିରିକ୍ତ ସହକାରୀ ଜିଲ୍ଲାପାଳ, ସମସ୍ତ ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ସହଯୋଗ କରିଥିଲେ।
