
ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟଙ୍କ ସମର୍ଥନରେ ଛାତ୍ରଛାତ୍ରୀଙ୍କ ପ୍ରତିନିଧିପତ୍ର; ଜିଲ୍ଲାପାଳଙ୍କୁ ଭେଟି ନିରପେକ୍ଷ ତଦନ୍ତ ସହ ତାଙ୍କୁ ପଦରେ ରଖିବାକୁ ଅନୁରୋଧ।
ଗଜପତି (ଟିକି ଲିମା)
ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ପ୍ରସଙ୍ଗ ଏବେ ଛାତ୍ରଛାତ୍ରୀଙ୍କ ସ୍ୱରକୁ ସାମ୍ନାକୁ ଆଣିଛି। ବିଭାଗୀୟ ମୁଖ୍ୟଙ୍କ ସମର୍ଥନରେ ବିଭାଗର ଛାତ୍ରଛାତ୍ରୀମାନେ ଗଜପତି ଜିଲ୍ଲାପାଳଙ୍କୁ ଏକ ପ୍ରତିନିଧିପତ୍ର ପ୍ରଦାନ କରି ମାମଲାଟିକୁ ନିରପେକ୍ଷ, ବସ୍ତୁନିଷ୍ଠ ଓ ସମସ୍ତ ପକ୍ଷର ମତାମତ ଶୁଣି ବିଚାର କରିବାକୁ ଅନୁରୋଧ କରିଛନ୍ତି। ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିବା ପ୍ରତିନିଧିପତ୍ରରେ ଛାତ୍ରଛାତ୍ରୀମାନେ ଉଲ୍ଲେଖ କରିଛନ୍ତି ଯେ, ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଜଣେ ଭଲ ମଣିଷ, ସହଯୋଗୀ ଶିକ୍ଷକ, ଶୃଙ୍ଖଳିତ ଶିକ୍ଷାବିତ୍ ଏବଂ ଦାୟିତ୍ୱବାନ ବ୍ୟକ୍ତି ଭାବେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଗତ ଓ ବିଭାଗୀୟ କାର୍ଯ୍ୟକ୍ଷେତ୍ରରେ ନିୟମିତ ମାର୍ଗଦର୍ଶନ ଦେଇଆସୁଛନ୍ତି। ଛାତ୍ରଛାତ୍ରୀମାନେ ତାଙ୍କଠାରୁ ଶିକ୍ଷାଗତ ମାର୍ଗଦର୍ଶନ ଓ ସହଯୋଗ ପାଇଥିବା ମଧ୍ୟ ଦର୍ଶାଇଛନ୍ତି। ପ୍ରତିନିଧିପତ୍ରରେ ଆହୁରି କୁହାଯାଇଛି ଯେ, ତାଙ୍କ ଉପସ୍ଥିତି ବିଭାଗର ଶୃଙ୍ଖଳା ଓ ଶିକ୍ଷାଗତ ପରିବେଶକୁ ସକାରାତ୍ମକ ଭାବେ ପ୍ରଭାବିତ କରିଛି ବୋଲି ଛାତ୍ରଛାତ୍ରୀ ମାନଙ୍କ ଅଭିଜ୍ଞତା। ତେଣୁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବିଭାଗୀୟ ମୁଖ୍ୟଙ୍କ ଶିକ୍ଷାଦାନ, ମାର୍ଗଦର୍ଶନ ଓ ପ୍ରଶାସନିକ କାର୍ଯ୍ୟକୁ ସିଧାସଳଖ ଅନୁଭବ କରିଥିବା ଛାତ୍ରଛାତ୍ରୀଙ୍କ ମତାମତକୁ ମଧ୍ୟ ବିଚାରକୁ ନିଆଯିବା ଆବଶ୍ୟକ ବୋଲି ସେମାନେ ଦାବି କରିଛନ୍ତି।
ଛାତ୍ରଛାତ୍ରୀମାନେ ମାମଲାଟିକୁ ନିରପେକ୍ଷ ଭାବେ ପରୀକ୍ଷା କରିବା ସହ ବିଭାଗର ଛାତ୍ରଛାତ୍ରୀଙ୍କ ମତାମତକୁ ବିଚାର କରିବା ପାଇଁ ସକ୍ଷମ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ବର୍ତ୍ତମାନର ଶିକ୍ଷାଗତ ବ୍ୟବସ୍ଥା ଜାରି ରଖିବା ସହ ବିଭାଗୀୟ ମୁଖ୍ୟ ପଦରୁ ବଦଳି କିମ୍ବା ପରିବର୍ତ୍ତନ ନକରିବାକୁ ସେମାନେ ଅନୁରୋଧ ଜଣାଇଛନ୍ତି। ତେବେ ଏହି ପ୍ରତିନିଧିପତ୍ର କୌଣସି ବ୍ୟକ୍ତିଙ୍କୁ ବିରୋଧ କିମ୍ବା ଅସମ୍ମାନ କରିବା ଉଦ୍ଦେଶ୍ୟରେ ନୁହେଁ ବୋଲି ଛାତ୍ରଛାତ୍ରୀମାନେ ସ୍ପଷ୍ଟ କରିଛନ୍ତି। ନିଜସ୍ୱ ଅଭିଜ୍ଞତା ଓ ମତାମତକୁ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ରଖି ମାମଲାଟି ନ୍ୟାୟସଙ୍ଗତ ଓ ବସ୍ତୁନିଷ୍ଠ ଭାବେ ବିଚାର ହେଉ ବୋଲି ସେମାନେ ଚାହୁଁଥିବା ପ୍ରତିନିଧିପତ୍ରରେ ଦର୍ଶାଇଛନ୍ତି।
ଶେଷରେ ରାଜନୀତି ବିଜ୍ଞାନ ବିଭାଗର ଶିକ୍ଷାଗତ ସ୍ଥିରତା, ଶୃଙ୍ଖଳା ଓ ଶାନ୍ତିପୂର୍ଣ୍ଣ ପରିବେଶ ଅକ୍ଷୁଣ୍ଣ ରଖିବା ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବାକୁ ଛାତ୍ରଛାତ୍ରୀମାନେ ନିବେଦନ କରିଛନ୍ତି। ୨୩ ସେପ୍ଟେମ୍ବର ୨୦୨୬ ତାରିଖରେ ପାରଳାଖେମୁଣ୍ଡିରୁ ଦିଆଯାଇଥିବା ଏହି ପ୍ରତିନିଧି ପତ୍ରରେ ରାଜନୀତି ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ସ୍ୱାକ୍ଷର କରିଛନ୍ତି।
