*ତାରିଣୀ ମନ୍ଦିର ରୋଡ଼ର ପୁନଃନିର୍ମାଣ ଦାବି
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିବେକ ସେନାର ଦାବିପତ୍ର
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ଭବାନୀପାଟଣା ତା: ୧୮/୦୯/୨୦୨୬ ରିଖ ସହରର ୱାର୍ଡ ନଂ–୦୧ ଅନ୍ତର୍ଗତ ତାରିଣୀ ମନ୍ଦିର ରୋଡ଼ର ଦୟନୀୟ ଅବସ୍ଥାର ତୁରନ୍ତ ସୁଧାର ଓ ପୁନଃନିର୍ମାଣ ଦାବିରେ ବିବେକ ସେନା ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଏହି ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଥିବାବେଳେ ବର୍ଷା ସମୟରେ ରାସ୍ତା ଉପରେ ପାଣି ଜମି ରହୁଛି। ଫଳରେ ଏହି ରାସ୍ତାରେ ଯାତାୟାତ କରୁଥିବା ସାଧାରଣ ଲୋକ, ଛାତ୍ରଛାତ୍ରୀ, ଅଭିଭାବକ ଓ ବୃଦ୍ଧବୃଦ୍ଧାମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ରାସ୍ତା ନିକଟରେ ଦୁଇଟି ଘରୋଇ ବିଦ୍ୟାଳୟ ଥିବାରୁ ପ୍ରତିଦିନ ଶତାଧିକ ଛାତ୍ରଛାତ୍ରୀ ଏହି ରାସ୍ତା ଦେଇ ଯାତାୟାତ କରୁଛନ୍ତି। ଏଥିସହ ରାବଣଦୋର ପର୍ଯ୍ୟଟନସ୍ଥଳୀକୁ ଯାତାୟାତ ପାଇଁ ମଧ୍ୟ ଏହି ରାସ୍ତା ବ୍ୟବହୃତ ହେଉଥିବାରୁ ଏହାର ଗୁରୁତ୍ୱ ଅଧିକ। ରାସ୍ତାର ଦୁରବସ୍ଥା ଯୋଗୁଁ ଯାତାୟାତରେ ଅସୁବିଧା ସହ ଦୁର୍ଘଟଣାର ଆଶଙ୍କା ମଧ୍ୟ ରହିଛି।
ଦାବିପତ୍ରରେ ରାସ୍ତାର ସ୍ଥଳ ପରିଦର୍ଶନ କରି ତୁରନ୍ତ ତଦନ୍ତ କରାଇବା ସହ ରାସ୍ତାର ମରାମତି/ପୁନଃନିର୍ମାଣ ଏବଂ ଉପଯୁକ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ବିବେକ ସେନା ପକ୍ଷରୁ ଦାବି କରାଯାଇଛି।
ଦାବିପତ୍ର ପ୍ରଦାନ ସମୟରେ ବିବେକ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ଶିବରାମ ନାୟକ, ସମାଜସେବୀ ଇଂ. ଲକ୍ଷ୍ମୀନାରାୟଣ ପଣ୍ଡା, ବରିଷ୍ଠ ସଦସ୍ୟ ସାଇ କୁମାର ସିଂ ସାମନ୍ତ, ସୋମନାଥ ରାଉତ, ଋଷିକେଶ ସାହୁ, ରବୀନ୍ଦ୍ର ବେହେରା, ଧ୍ରୁବ ସାହୁଙ୍କ ସମେତ ବିବେକ ସେନାର ବହୁ ସଦସ୍ୟ ଉପସ୍ଥିତ ଥିଲେ। କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଦାବିପତ୍ର ଗ୍ରହଣ କରିଥିଲେ।
