ପ୍ରତିଶ୍ରୁତି ପାଣିର ଗାର: ବେତନଟୀ ବାଉଁଶ କ୍ଲଷ୍ଟର ଫାଇଲ୍ ତଳେ ଚାପି ହୋଇଗଲା, ମାଫିଆଙ୍କ ହାତରେ ମୟୂରଭଞ୍ଜର ବନ୍ୟଜାତ ସମ୍ପଦ
ବେତନଟୀ : ପ୍ରାକୃତିକ ସମ୍ପଦରେ ସମୃଦ୍ଧ ସୀମାନ୍ତ ଜିଲ୍ଲା ମୟୂରଭଞ୍ଜରେ ସରକାରୀ ଉଦାସୀନତା ଏବଂ ଦୂରଦୃଷ୍ଟିହୀନତାର ଏକ ଉଦ୍ବେଗଜନକ ଚିତ୍ର ପୁଣି ସାମ୍ନାକୁ ଆସିଛି। ବେତନଟୀରେ ପ୍ରସ୍ତାବିତ ‘ବାଉଁଶ କ୍ଲଷ୍ଟର’ କେବଳ ଏକ ରାଜନୈତିକ ଘୋଷଣା ଏବଂ ନିର୍ବାଚନୀ ପ୍ରତିଶ୍ରୁତିରେ ସୀମିତ ରହିଯାଇଛି। ସରକାରୀ ସ୍ତରରେ ସଂରକ୍ଷଣ, ପ୍ରକ୍ରିୟାକରଣ ତଥା ଦର ନିୟନ୍ତ୍ରଣର ଅଭାବ ଯୋଗୁଁ ସ୍ଥାନୀୟ ବାଉଁଶ ଓ ଅନ୍ୟାନ୍ୟ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହକାରୀମାନେ ନିଜ ପରିଶ୍ରମର ଉଚିତ ମୂଲ୍ୟରୁ ବଞ୍ଚିତ ହେଉଥିବା ବେଳେ ମଧ୍ୟସ୍ଥି ତଥା ମାଫିଆମାନେ ମାଲେମାଲ ହେଉଛନ୍ତି।
ମୟୂରଭଞ୍ଜ ଜିଲ୍ଲାର ବେତନଟୀ, ବଡ଼ସାହି, ମୋରଡ଼ା, ରାସଗୋବିନ୍ଦପୁର, ବାରିପଦା ଏବଂ ଶିମିଳିପାଳ ସଂଲଗ୍ନ ଅଞ୍ଚଳରେ ବିନା ସାର ଓ ଜଳସେଚନରେ ପ୍ରଚୁର ପରିମାଣରେ ଉନ୍ନତମାନର ବାଉଁଶ ଉତ୍ପାଦନ ହୋଇଥାଏ। ଏହି ବାଉଁଶ ପ୍ରତିଦିନ କଟକ, ଭୁବନେଶ୍ୱର, ପୁରୀ, ପାରାଦୀପ ସମେତ ପଡ଼ୋଶୀ ରାଜ୍ୟଗୁଡ଼ିକୁ ଚାଲାଣ ହେଉଛି। କିନ୍ତୁ ବନ ବିଭାଗ କିମ୍ବା ଶିଳ୍ପ ବିଭାଗର କୌଣସି ନିୟନ୍ତ୍ରଣ ନଥିବାରୁ ଚାଷୀ ଗୋଟିଏ ଭଲ ବାଉଁଶକୁ ମାତ୍ର ୫୦ ରୁ ୮୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।
ବିଗତ ୨୦୧୪ ରୁ ୨୦୧୯ ମଧ୍ୟରେ ତତ୍କାଳୀନ ସାଂସଦ ବେତନଟୀରେ ଏକ ବାଉଁଶ କ୍ଲଷ୍ଟର ପ୍ରତିଷ୍ଠା ନିମନ୍ତେ ଜମି ଚିହ୍ନଟ ସହ ପ୍ରତିଶ୍ରୁତି ଦେଇଥିଲେ ହେଁ ଦୀର୍ଘ ବର୍ଷ ବିତିଯିବା ପରେ ମଧ୍ୟ ପ୍ରକଳ୍ପଟି ଫାଇଲ୍ ତଳୁ ବାହାରି ପାରିନାହିଁ। ଏହି କ୍ଲଷ୍ଟର ପ୍ରତିଷ୍ଠା ହୋଇଥିଲେ ସ୍ଥାନୀୟ ବାଉଁଶ ଚାଷୀ ନ୍ୟାଯ୍ୟ ମୂଲ୍ୟ ପାଇବା ସହ ଶହ ଶହ ବେକାର ଯୁବକ-ଯୁବତୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହୋଇପାରିଥାନ୍ତା।
ବାଉଁଶ ଭଳି ଜିଲ୍ଲାର ଅନ୍ୟତମ ପ୍ରମୁଖ ସମ୍ବଳ ସବାଇଘାସ ଓ ଶାଳପତ୍ରର ଅବସ୍ଥା ମଧ୍ୟ ସମାନ। ବେତନଟୀ ନିକଟସ୍ଥ ଦାନ୍ତିଆମୁହାଁଠାରେ ଏସିଆ ମହାଦେଶର ସର୍ବବୃହତ ସବାଇ ହାଟ ସପ୍ତାହରେ ଦୁଇଦିନ ବସି କୋଟି କୋଟି ଟଙ୍କାର କାରବାର କରୁଛି। ତଥାପି ସରକାରୀ ପ୍ରକ୍ରିୟାକରଣ କେନ୍ଦ୍ର ନଥିବାରୁ ଚାଷୀମାନେ ନିଜ ଉତ୍ପାଦିତ ସାମଗ୍ରୀ ବାହାର ରାଜ୍ୟର ବେପାରୀଙ୍କୁ ଶାଗ ମାଛ ଦରରେ ଟେକି ଦେଉଛନ୍ତି। ସେହିପରି ଶାଳପତ୍ର ଖଲି-ଦୋନା ତିଆରି କରି ଗୁଜୁରାଣ ମେଣ୍ଟାଉଥିବା ହଜାର ହଜାର ନିରୀହ ଆଦିବାସୀ ଓ ଅନଗ୍ରସର ପରିବାର ଆଜି ସରକାରୀ ପ୍ରୋତ୍ସାହନ ଅଭାବରୁ ଅନ୍ତହୀନ ଅଭାବ ଭିତରକୁ ଠେଲି ହୋଇଯାଇଛନ୍ତି।
କଂଗ୍ରେସ ଅମଳରୁ ଥିବା ପୁରୁଣା ଶିଳ୍ପସଂସ୍ଥାଗୁଡ଼ିକ କ୍ରମଶଃ ବନ୍ଦ ହୋଇଯିବା ପରେ ବିଗତ ଅଢ଼େଇ ଦଶନ୍ଧି ଧରି ଜିଲ୍ଲାରେ କୌଣସି ନୂତନ ଶିଳ୍ପ ଭିତ୍ତିଭୂମି ଗଢ଼ିଉଠି ନାହିଁ। ବର୍ତ୍ତମାନର ଶାସକ ଦଳ କେବଳ ଲୋକଙ୍କୁ ମାଗଣା ଚାଉଳ ଓ ନାମକୁ ମାତ୍ର କଲ୍ୟାଣକାରୀ ଯୋଜନାରେ ସୀମିତ ରଖି ଆତ୍ମନିର୍ଭରଶୀଳତାର ମୂଳ ଭିତ୍ତିକୁ ଦୁର୍ବଳ କରିଦେଇଛନ୍ତି; ଅପରପକ୍ଷରେ ବିରୋଧୀ ଦଳ ମଧ୍ୟ ଏହି ଗମ୍ଭୀର ସମସ୍ୟାକୁ ଶାଣିତ ରାଜନୈତିକ ମୁଦ୍ଦା କରିବାରେ ବିଫଳ ହୋଇଛନ୍ତି।
ସ୍ଥାନୀୟ ପ୍ରାକୃତିକ ସମ୍ପଦ ଉପରେ ଆଧାରିତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ନକରି କେବଳ ସାମୟିକ ଆଶ୍ୱାସନା ବାଣ୍ଟିବା ଜିଲ୍ଲାବାସୀଙ୍କ ପ୍ରତି ଏକ ବିଶ୍ୱାସଘାତକତା। ସରକାର ତୁରନ୍ତ ବେତନଟୀରେ ବାଉଁଶ କ୍ଲଷ୍ଟର କାର୍ଯ୍ୟକ୍ଷମ କରିବା ସହ ସବାଇଘାସ ଓ ବନଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ ନକଲେ, ଆଗାମୀ ଦିନରେ ଏହି ଅଞ୍ଚଳର ଅର୍ଥନୀତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବ ଏବଂ ଶ୍ରମିକ ଦାଦନ ଖଟିବାକୁ ବାଧ୍ୟ ହେବେ।
