ଅନଲାଇନ ଟ୍ରେଡିଙ୍ଗ ହେଲା କାଳ: ରଶିରେ ଝୁଲି ପଡିଲେ ଯୁବକ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ଅନଲାଇନ ଟ୍ରେଡିଙ୍ଗ ହେଲା କାଳ। ଧାର ଟଙ୍କା ମାଗିବାରୁ ଲୋକ ଲଯ୍ୟା ରେ ଆତ୍ମହତ୍ୟା କଲେ ଯୁବକ। ଅନଲାଇନ ଟ୍ରେଡିଂରେ ବ୍ୟାପକ କ୍ଷତି ହେବା ସହ ଋଣର ଭାର ବଢିଯିବାରୁ ଜଣେ ଯୁବକ ଭଡ଼ା ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ବାଲେଶ୍ୱର ଅରଡ଼ ବଜାରର ପ୍ରଭାତ ରଞ୍ଜନ ପାଢ଼ୀ (୪୩) ଗତ ଏକ ବର୍ଷ ଧରି ସୋର ଘୋଡ଼ା ସାହି ସ୍ଥିତ ଦାମୋଦର ସାହୁଙ୍କ ଘରେ ଭଡା ସୂତ୍ରରେ ରହୁଥିଲେ। ସେ ଅନଲାଇନ ଟ୍ରେଡିଂରେ ବ୍ୟାପକ କ୍ଷତି ସହିବା ସହିତ ଧାର କରଜରେ ବୁଡି ରହିଥିବାରୁ ଅନେକ ଲୋକ ତାଙ୍କୁ ବାରମ୍ବାର ଫୋନ କରି ଟଙ୍କା ମାଗୁଥିବାର ଥିବା ତାଙ୍କ ମା କହିଥିଲେ। ଫଳରେ ସେ ମାନସିକ ଦୁଶ୍ଚିନ୍ତାରେ ରହୁଥିବାରୁ ଗତ ଦୁଇଦିନ ତଳେ ତାଙ୍କ ସ୍ତ୍ରୀ ଓ ପିଲାଙ୍କୁ ନେଇ ବାଲେଶ୍ୱରରେ ଛାଡି ଘରେ ଏକାକୀ ରହୁଥିଲେ। ଗତକାଲି ପରିବାର ଲୋକଙ୍କ ସହ କଥା ହୋଇଥିବା ବେଳେ ଅପରାହ୍ନ ପର୍ଯ୍ୟନ୍ତ ପରିବାର ଲୋକଙ୍କ ଫୋନ ଉଠାଇ ନଥିଲେ। ଫଳରେ ପରିବାର ଲୋକେ ଆଜି ସୋରରେ ଥିବା ଭଡାଘର ପହଞ୍ଚି କବାଟ ବନ୍ଧ ଥିବା ଦେଖି ପୋଲିସକୁ ଖବର ଦେଇଥିଲେ, । ପୋଲିସ ଓ ଅଗ୍ନିଶମ ବାହିନୀ ଉପସ୍ଥିତ ରେ ଚାବି ଭାଙ୍ଗି ପ୍ରଭାତଙ୍କୁ ଶୋଇବା ଘର ଫ୍ୟାନରେ ରଶି ଲଗାଇ ଝୁଲିଥିବାର ଦେଖିଥିଲେ। ପରେ ତାଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆସନ୍ତା କାଲି ପୋଷ୍ଟମର୍ଟମ ହେବ ବୋଲି ଜଣାପଡ଼ିଛି। ଏମିତି ଅଘଟଣ କେମିତି ଘଟିଲା ଉପଯୁକ୍ତ ତଦନ୍ତ କଲେ ଜଣାପଡ଼ିବ।
