*ନୂଆପଡ଼ା ପଞ୍ଚାୟତିରାଜ ସମୀକ୍ଷା: ଅନୁଦାନର ସଦୁପଯୋଗ ସହ ତଦାରଖ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା-୧୧/୦୯:
ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସମ୍ମିଳନୀ କକ୍ଷରେ ବିଭିନ୍ନ ପଞ୍ଚାୟତିରାଜ ଯୋଜନା ଓ ଗ୍ରାମ ପଞ୍ଚାୟତ ସମ୍ପର୍କିତ କାର୍ଯ୍ୟର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିlବୈଠକରେ ନୂଆପଡ଼ା, କୋମନା, ଖରିଆର, ସିନାପାଲି ଓ ବୋଡେନ ବ୍ଲକ୍ର ୧୩୧ଟି ଗ୍ରାମ ପଞ୍ଚାୟତରେ ବିଭିନ୍ନ ଯୋଜନାର ଭୌତିକ (physical) ଓ ଆର୍ଥିକ (financial) ଅଗ୍ରଗତି ସମୀକ୍ଷା କରାଯାଇଥିଲା। ବିଶେଷକରି ୧୫ତମ ଅର୍ଥ କମିଶନ ଅନୁଦାନର ବିନିଯୋଗ, ପଞ୍ଚାୟତର ନିଜସ୍ୱ ଆୟ ବୃଦ୍ଧି, ରାଜସ୍ୱ ସଂଗ୍ରହ ଓ ଗ୍ରାମ ପଞ୍ଚାୟତର ନିରୀକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।ଜିଲ୍ଲାସ୍ତରରେ ମୋଟ ୧,୩୭,୯୩,୪୬୩ ଟଙ୍କା ଦାବି ମଧ୍ୟରୁ ୧,୨୭,୫୫,୮୩୬ ଟଙ୍କା ଆଦାୟ ହୋଇଥିବାବେଳେ ୧୦,୩୭,୬୨୭ ଟଙ୍କା ଅବଶିଷ୍ଟ ରହିଛି। ଗତ ବୈଠକ ଅନୁଯାୟୀ ଆଦାୟ ହାର ୮୯.୨୫ ପ୍ରତିଶତ ଥିବାବେଳେ ୧୧.୦୯.୨୦୨୬ ସୁଦ୍ଧା ଏହା ବୃଦ୍ଧି ପାଇ ୯୨.୪୮ ପ୍ରତିଶତରେ ପହଞ୍ଚିଛି। ସେହିପରି ଜିଲ୍ଲାସ୍ତରରେ ମୋଟ ୭୮,୦୦୦ ଟଙ୍କା ଦାବି ମଧ୍ୟରୁ ସମ୍ପୂର୍ଣ୍ଣ ୭୮,୦୦୦ ଟଙ୍କା ଆଦାୟ ହୋଇଥିବାରୁ ଆଦାୟ ହାର ୧୦୦ ପ୍ରତିଶତ ରହିଛି।
୧୧.୦୯.୨୦୨୬ ସୁଦ୍ଧା ନୂଆପଡ଼ା ଜିଲ୍ଲାର ୫ଟି ବ୍ଲକ୍ରେ ମୋଟ ୭୪୮ଟି ମାର୍କେଟ କମ୍ପ୍ଲେକ୍ସ ୟୁନିଟ୍ ରହିଛି। ସେଥିମଧ୍ୟରୁ ୬୦୦ଟି ୟୁନିଟ୍ ନିଲାମ ପାଇଁ ଦିଆଯାଇଥିବାବେଳେ ୧୪୮ଟି ଅବଶିଷ୍ଟ ରହିଛି। ଗତ ବୈଠକରେ ଆଦାୟ ହାର ୮୦.୭୪ ପ୍ରତିଶତ ଥିବାବେଳେ ୧୧.୦୯.୨୦୨୬ ସୁଦ୍ଧା ଏହା ବୃଦ୍ଧି ପାଇ ୮୩.୭୪ ପ୍ରତିଶତରେ ପହଞ୍ଚିଛି। ତେବେ ମାର୍କେଟ କମ୍ପ୍ଲେକ୍ସର ବକେୟା ଆଦାୟ ଉପରେ ଅଧିକ ଗୁରୁତ୍ୱ ଦେବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା।
ଓଡ଼ିଶା ଗ୍ରାମ ପଞ୍ଚାୟତ ନିୟମାବଳୀରେ ସାର୍ବଜନୀନ ସମ୍ପତ୍ତିର ତାଲିକା ପ୍ରସ୍ତୁତି, ଆୟ ଏବଂ ଲିଜ୍/ନିଲାମ ପ୍ରକ୍ରିୟା ସମ୍ପର୍କରେ ବ୍ୟବସ୍ଥା ରହିଛି। ଜିଲ୍ଲାପାଳ ଯୋଜନାଗୁଡ଼ିକର ସମୟୋଚିତ କାର୍ଯ୍ୟାନ୍ୱୟନ, ଅନୁଦାନର ସଠିକ୍ ବିନିଯୋଗ ଏବଂ ପଞ୍ଚାୟତସ୍ତରରେ ନିୟମିତ ତଦାରଖ ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପୂର୍ବପ୍ରସ୍ତୁତି ଓ ଆବଶ୍ୟକ ପଦକ୍ଷେପ ନେଇ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ।
ବୈଠକରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଜ୍ଞାନ ରଞ୍ଜନ ଭୋଇଙ୍କ ସମେତ ଜିଲ୍ଲାର ସମସ୍ତ ଏବିଡିଓ ଓ ଜିପିଡିଓ ଉପସ୍ଥିତ ଥିଲେl
