୫୦ ବର୍ଷର ବସ୍ତି ଉପରେ ଜବର ଦଖଲ ଉଚ୍ଛେଦ ନୋଟିସ୍
ପରଜଙ୍ଗ (ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ ଅନ୍ତର୍ଗତ କୁଆଲୋ ପଞ୍ଚାୟତର ପରହଂସପୁର ଗ୍ରାମରେ ଜମି ଜବର ଦଖଲ ଉଚ୍ଛେଦ ନୋଟିସକୁ ନେଇ ଅସନ୍ତୋଷ ଦେଖାଦେଇଛି। ଗତକାଲି ରାତି ପ୍ରାୟ ୮ଟା ୩୦ ମିନିଟ୍ ସମୟରେ ତହସିଲ ପକ୍ଷରୁ ୧୩ ଜଣଙ୍କୁ ନୋଟିସ୍ ଦିଆଯାଇଥିବା ଗ୍ରାମବାସୀ ଦାବି କରିଛନ୍ତି। ନୋଟିସ୍ରେ ୧୭/୯/୨୬ ଗୁରୁବାର ସୁଦ୍ଧା ଜବରଦଖଲରୁ ଅବସରି ନଗଲେ ୧୮/୯/୨୬ରେ ଉଚ୍ଛେଦ କରାଯିବ ବୋଲି ଉଲ୍ଲେଖ ଥିବା ଜଣାପଡ଼ିଛି।
ରାତି ସମୟରେ ନୋଟିସ୍ ଦେବା ଏବଂ ମାତ୍ର କିଛି ଦିନ ମଧ୍ୟରେ ଜମି ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଘଟଣାକୁ ନେଇ ସମ୍ପୃକ୍ତ ପରିବାରଗୁଡ଼ିକ ଚିନ୍ତାରେ ପଡ଼ିଛନ୍ତି।
ଗ୍ରାମବାସୀଙ୍କ ଦାବି ଅନୁଯାୟୀ, ନୋଟିସ୍ ପାଇଥିବା ପରିବାରଗୁଡ଼ିକ ପ୍ରାୟ ୫୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏହି ସ୍ଥାନରେ ଘରଦ୍ୱାର କରି ପରିବାର ସହ ବସବାସ କରିଆସୁଛନ୍ତି। ଦୀର୍ଘ ବର୍ଷ ଧରି ଏଠାରେ ରହୁଥିବା ପରିବାରଙ୍କୁ ହଠାତ୍ ଜମି ଖାଲି କରିବା ପାଇଁ ନୋଟିସ୍ ମିଳିବା ପରେ ସେମାନଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ପ୍ରକାଶ ପାଇଛି।ପରିବାରଗୁଡ଼ିକଙ୍କ ଆଉ ଏକ ଦାବି ହେଉଛି, ଏଠାରେ ଥିବା କେତେକ ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ତ୍ୟୋଦୟ ଗୃହ ଯୋଜନା ଭଳି ସରକାରୀ ଆବାସ ଯୋଜନାରେ ନିର୍ମାଣ ହୋଇଛି। ଏଭଳି ସ୍ଥିତିରେ ଆସନ୍ତା ୧୮ ତାରିଖରେ ଯଦି ଉଚ୍ଛେଦ ପ୍ରକ୍ରିୟା ହୁଏ, ତେବେ ପରିବାରଗୁଡ଼ିକ କେଉଁଠି ରହିବେ ଏବଂ ସେମାନଙ୍କ ଘର ଓ ଜୀବନଜୀବିକାର କ’ଣ ହେବ—ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ୫୦ ବର୍ଷରୁ ଅଧିକ ସମୟ ଧରି ଏଠାରେ ରହୁଛୁ। ଏବେ ହଠାତ୍ ଜମି ଛାଡ଼ିବାକୁ କୁହାଯାଉଛି। ଯଦି ଘର ଉଚ୍ଛେଦ ହୁଏ, ତେବେ ଆମେ କେଉଁଠି ଯିବୁ?” ବୋଲି ନୋଟିସ୍ ପାଇଥିବା ପରିବାରଗୁଡ଼ିକ ପ୍ରଶ୍ନ କରିଛନ୍ତି।ଗ୍ରାମବାସୀଙ୍କ ଦାବି ହେଉଛି, ୧୮ ତାରିଖରେ ହେବାକୁ ଥିବା ଉଚ୍ଛେଦ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଉ। ପ୍ରଥମେ ଜମିର କିସମ, ରେକର୍ଡ ଅଫ୍ ରାଇଟ୍ସ (RoR), ଜମିର ବର୍ତ୍ତମାନ ସ୍ଥିତି ଓ ସମ୍ପୃକ୍ତ ପରିବାରଙ୍କ ଯୋଗ୍ୟତା ଯାଞ୍ଚ କରାଯାଉ। ଏହାସହ ଯୋଗ୍ୟ ପରିବାରଙ୍କୁ ବସୁନ୍ଧରା ଯୋଜନାରେ ଘରଡିହ ପଟ୍ଟା ପ୍ରଦାନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି ତେବେ ଏବେ ଗ୍ରାମବାସୀଙ୍କ ଦାବି ଓ ୧୮ ତାରିଖର ନିର୍ଦ୍ଧାରିତ ଉଚ୍ଛେଦ ମଧ୍ୟରେ ପ୍ରଶାସନ କି ପଦକ୍ଷେପ ନେଇଛନ୍ତି ତାହା ଦେଖିବାକୁ ବାକି ରହିଲା
