ଝାରପୋଖରିଆରେ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ
__________________
ସାରସକଣା,(୮/୯/୨୬)(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍କକ ଝାରପୋଖରିଆ ଥାନା ଅଧିନସ୍ଥ ଝାରପୋଖରିଆ ପଞ୍ଚାୟତର ଝାଡ଼ବେଡ଼ା,ଝାରପୋଖରିଆ ଓ ଅନ୍ଧାରି ତିନି ଗ୍ରାମର ଯୁବ ଗୋଷ୍ଠୀ ଗଣ କାଳିଚରଣ ପଣ୍ଡା ଙ୍କ ଉଦ୍ୟମରେ ୪୨ ଜଣ ସଦସ୍ୟଙ୍କୁ ନେଇ ଗତ ୨୦୨୫ ମସିହାରେ ଝାରପୋଖରିଆ ଫୁଟବଲ କମିଟି ଗଠନ କରାଯାଇ ପ୍ରତିବର୍ଷ ଫୁଟବଲ ପ୍ରତିଯୋଗିତା କରାଯାଇ ଆସୁଛି । ବର୍ତମାନ ଉକ୍ତ କମିଟିରେ ସଭ୍ୟ ସଂଖ୍ୟା ବୃଦ୍ଧି ହୋଇ ୭୪ ଜଣ ପର୍ଯ୍ୟନ୍ତ ପହଞ୍ଚିଲାଣି । ଏହି ସଦସ୍ୟ ଗଣ ପ୍ରତିବର୍ଷ ଏକ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ କରି ଆସୁଛନ୍ତି ।ଏ ପରିପ୍ରେକ୍ଷୀରେ ଚଳିତ ବର୍ଷ ଗତ ୫ ଓ ୬ ତାରିଖ ଶନି, ରବିବାର ଦୁଇ ଦିନ ଧରି ଝାରପୋଖରିଆ ପଞ୍ଚାୟତ ଉପକଣ୍ଠ ଖେଳପଡ଼ିଆରେ ଆୟୋଜିତ ହୋଯାଇଛି । ଉଦଘାଟିନୀ ଦିବସରେ ଫୁଟବଲ ଟୁର୍ଣ୍ଣାମେଣ୍ଟଟିକୁ ଝାରପୋଖରିଆ ସରପଞ୍ଚ ମାଳତୀ ସିଂ ଫୁଟବଲ କିକ୍ ସଟ ମାରି ଶୁଭ ଉଦଘାଟନ କରିଥିଲେ । ଉକ୍ତ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସହିତ ଓଡ଼ିଶା ରାଜ୍ୟର ମୋଟ ୧୬ ଗୋଟି ବଛାବଛି ଫୁଟବଲ ଦଳକୁ ନେଇ ଟୁର୍ଣ୍ଣାମେଣ୍ଟ କରାଯାଇଥିଲା । ଖେଳର ଫାଇନାଲ ମ୍ୟାଚରେ ଝାଡ଼ଖଣ୍ଡ ରାଜ୍ୟର କୋକ୍ ପଡ଼ା ଫୁଟବଲ ଦଳ ମୟୂରଭଞ୍ଜ ବାରିପଦାର ଜୁଡୁଆ ଏଣ୍ଡ ଜୁଡ଼ୁଆ ଦଳକୁ ଭେଟି ଥିଲେ । ଏଥିରେ କୋକ୍ ପଡ଼ା ଦଳ ବାରିପଦା ଦଳକୁ ୨-0 ଗୋଲରେ ପରାସ୍ତ କରି ଚାମ୍ପିୟାନ ଆଖ୍ୟା ବଜାଇ ରଖିଥିଲେ । ଖେଳ ଗୁଡ଼ିକୁ ରେଫାରୀ ଭାବେ ଗୋବିନ୍ଦ ହାଁସଦା ପରିଚାଳନା କରିଥିବା ବେଳେ ସହକାରୀ ରେଫାରୀ ଭାବେ ସୁନାରାମ ଟୁଡ଼ୁ, ମୋହନ ମୁର୍ମୁ ଓ ଲୋକନାଥ ହେମ୍ବ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଟୁର୍ଣ୍ଣାମେଣ୍ଟର ଧାରା ବିବରଣୀ ଗୁଡ଼ିକୁ ଅର୍ଜୁନ ହାଁସଦା ପ୍ରସାରଣ କରିଥିଲେ । ଉଦ୍ଯାପନୀ ଦିବସର ପୁରସ୍କାର ବିତରଣୀ ଉତ୍ସବରେ ମୟୂରଭଞ୍ଜ ଜିଲ୍ଲା ଅତିରିକ୍ତ-ଜିଲ୍ଲାପାଳ ଈଶ୍ଵର ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ମୁଖ୍ୟବକ୍ତା ଭାବେ ସାରସକଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁମନ ରାଜା ମହାନ୍ତିଙ୍କ ସହିତ ଅନ୍ୟାନ୍ୟ ଅତିଥିଙ୍କ ଗହଣରେ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ଜିଲ୍ଲା ବିଜୁ ଜନତା ଦଳ ଯୁବ ସମ୍ପାଦକ ବିଶ୍ଵଜିତ ମହାନ୍ତି, ମାସା ସଭାପତି ଅର୍ଜୁନ ମୁର୍ମୁ, ବିଜେପି ଯୁବ ମୋର୍ଚ୍ଚା ସଭାପତି ଆନନ୍ଦ ରାମ, ସାରସକଣା ବିଜେଡ଼ି ସଭାପତି ମଣିଶଙ୍କର ବାରିକ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଫୁଟବଲ କମିଟିର ସଭାପତି ଦୀନବନ୍ଧୁ ଦାସଙ୍କ ସଭାପତିତ୍ୱରେ ପୁରସ୍କାର ବିତରଣୀ ସଦ୍ଭା କରାଯାଇଥିଲା । ଏଥିରେ କମିଟିର ସମ୍ପାଦକ କୁବେର ମହାନ୍ତ ବାର୍ଷିକ ବିବରଣୀ ପାଠ କରିଥିଲେ ।ଶେଷରେ ଅତିଥିଗଣ ଚାମ୍ପିୟାନ ଦଳ କୋକ୍ ପଡ଼ାକୁ ୫୦,୦୦୧ ଟଙ୍କା ଓ ଟ୍ରଫି ସହିତ ରର୍ନସ୍ ଜୁଡୁଆ ଏଣ୍ଡ ଜୁଡ଼ୁଆ ଦଳକୁ ୩୦,୦୦୧ ଟଙ୍କାର ଅର୍ଥରାଶି ସହିତ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ । ସର୍ବଶେଷରେ ସୂର୍ଯ୍ୟକାନ୍ତ ମୁର୍ମୁ ଅନ୍ୟବାଦ ଅର୍ପଣ କରିଥିଲେ । ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୁତ ଖବର ।
