ଟ୍ରଲର ଧକ୍କାରେ ବାଇକ୍ ଆରୋହୀ ମୃତ,
ଜାତୀୟ ରାଜପଥ ନିର୍ମାଣ ଓ ମୃତକ ପରିବାରକୁ କ୍ଷତି ପୂରଣ ଦାବିରେ ରାସ୍ତାରୋକ।
:ରେଢ଼ାଖୋଲ (ଭଂଜଦୂତ )ତା ୮/୯/୨୬
ସମ୍ବଲପୁର – କଟକ ୫୫ ନମ୍ବର ଜାତୀୟ ରାଜପଥର ରେଢ଼ାଖୋଲ ସହର କଲେଜ ଛକରେ ମଙ୍ଗଳବାର ୪ ଟା ବେଳେ ଏକ ଟ୍ରଲର ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ବାଇକ୍ ଆରୋହୀ ଜଣଙ୍କ ହେଲେ ରେଢ଼ାଖୋଲ ଥାନା ବଡ଼ବାହାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡ଼କୁଡ଼ା ଗ୍ରାମର କାଳନ୍ଦୀ ପୋଢ଼ (୪୫) । ସେ ଓଡ଼ି ୧୫ ଏ ସି ୦୬୦୫ ବାଇକ୍ ଯୋଗେ ଜାତୀୟ ରାଜପଥ ଦେଇ ରେଢ଼ାଖୋଲରୁ ଅନୁଗୋଳ ଅଭିମୁଖେ ଯାଉ ଥିବା ବେଳେ ପଛ ପଟୁ ଆସୁଥିବା ଥିବା ଏକ ଟ୍ରଲର ତାଙ୍କୁ ପଛରୁ ଧକ୍କା ଦେଇ ଥିଲା । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇ ଥିଲା। ଏପରିକି ତାଙ୍କ ମୃତ ଦେହକୁ ଟ୍ରଲର ଗାଡ଼ି ଘୋଷାଡ଼ି ନେବାରୁ ମୃତ ଦେହ ଖଣ୍ଡ ବିଖଣ୍ଡ ହୋଇ ଯାଇ ଥିଲା। ଦୁର୍ଘଟଣା ପରେ ରେଢ଼ାଖୋଲ ଦେଇ ଯାଇ ଥିବା ୬ କିମି ରାସ୍ତା ନିର୍ମାଣ, ରାସ୍ତା ନିର୍ମାଣର ସ୍ଥାୟୀ ସମାଧାନ , ମୃତକ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ମୃତକ ପରିବାର ଲୋକଙ୍କୁ ସବୁ ଦିନିଆ ପ୍ରତିପୋଷଣ ସହାୟତା ଯୋଗାଇ ଦେବାକୁ ଦାବି କରି ସ୍ଥାନୀୟ ଲୋକେ କଲେଜ ଛକ ଘଟଣା ସ୍ଥଳରେ ରାସ୍ତାରୋକ କରି ଥିଲେ। ଜାତୀୟ ରାଜପଥ ଅଧିକାରୀ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି ଆନ୍ଦୋଳନକାରି ମାନେ ପ୍ରକାଶ କରିଛନ୍ତି। ଘଟଣା ସ୍ଥଳରେ ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହାନ୍ତ, ଅତିରିକ୍ତ ତହସିଲଦାର ପ୍ରଭାତ ରଞ୍ଜନ ବିଶ୍ୱାଳ, ରେଢ଼ାଖୋଲ ଥାନା ଅଧିକାରୀ ସନୟ ନାଏକ ପ୍ରମୁଖ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସମାଧାନ ହୋଇ ପାରି ନ ଥିଲା। ଲୋକେ ଆନ୍ଦୋଳନ ଜାରି ରହି ଥିବା ଜଣା ଯାଇଛି। ଏପରିକି କ୍ରମଶଃ ଘଟଣା ସ୍ଥଳରେ ଉତ୍ତେଜନା ବୃଦ୍ଧି ପାଇଛି। ଏହାକୁ ନେଇ ୫ ଟି ଥାନାର ଆଇଆଇସି ଓ ପୋଲିସ ଫୋର୍ସ ଆଦି ମୁତୟନ କରା ଯାଇଛି।
ଉଲ୍ଲେଖ ଯୋଗ୍ୟ ଯେ ରେଢ଼ାଖୋଲ ସହର ଦେଇ ଯାଇଥିବା କଟକ – ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ରେଢ଼ାଖୋଲ ସହର ୬ କିମି ରାସ୍ତା ଏବେ ଖାଲ ଖମାରେ ଅବସ୍ଥା ଶୋଚନୀୟ ହୋଇ ପଡିଛି। ଏହି ରାସ୍ତାରେ ଦିନକୁ ଦିନ ଦୁର୍ଘଟଣା ହେଉଛି ଯେଉଁ ପ୍ରଯ୍ୟନ୍ତ ୬କିମି ରାସ୍ତା ଓ କ୍ଷତିପୂରଣ NHAI ବିଭାଗ ଲିଖିତ ପ୍ରତିଶୃତି ନଦେଇଛି ସେପର୍ୟ୍ଯ୍ୟନ୍ତ ରାସ୍ତା ରୋକ ହେବ ବୋଲି କହିଛନ୍ତି l
