ପିଲିଅନ୍ ହେଲମେଟ୍ ଜୋରିମାନା ବାତିଲ ସହ ଜନସଚେତନତା ଦାବୀ କଲା ମାନବ ଅଧିକାର ସୁରକ୍ଷା ମଞ୍ଚ
ଲୋକଂକ ଉପରେ ଜୋରିମାନା ବୋଝ ଲଦିବା ବନ୍ଦ କର: ମାନବ ଅଧିକାର ସୁରକ୍ଷା ମଞ୍ଚ
ବ୍ରହ୍ମପୁର, ୦୭.୦୯.୨୦୨୬:
ସଡ଼କ ସୁରକ୍ଷାକୁ ସମର୍ଥନ କରିବା ସହ ପିଲିଅନ୍ ହେଲମେଟ୍ ନ ପିନ୍ଧିବା ପାଇଁ IEMS କ୍ୟାମେରା ମାଧ୍ୟମରେ ଆଦାୟ ହେଉଥିବା ୧୦୦୦ ଟଙ୍କା ଜୋରିମାନା ବାତିଲ ଦାବୀ କରିଛି ମାନବ ଅଧିକାର ସୁରକ୍ଷା ମଞ୍ଚ l ଏ ନେଇ ମଞ୍ଚ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶା ଓ ପରିବହନ କମିଶନରଙ୍କ ଉଦ୍ଦେଶ୍ୟରେ ଉପ-ଜିଲ୍ଲାପାଳ, ବ୍ରହ୍ମପୁରଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ହେଲମେଟ୍ ଜୀବନ ସୁରକ୍ଷା ପାଇଁ ଅତ୍ୟନ୍ତ ଆବଶ୍ୟକ ଏବଂ ଏହାର ବ୍ୟବହାରକୁ ସମସ୍ତେ ସମର୍ଥନ କରୁଛନ୍ତି କିନ୍ତୁ ଓଡ଼ିଶାର ଅଧିକାଂଶ ଗରିବ, କୃଷକ, ଦିନମଜୁରିଆ ଓ ଛାତ୍ରଛାତ୍ରୀଙ୍କ ପାଇଁ ୧୦୦୦ ଟଙ୍କା ଜୋରିମାନା ଅତ୍ୟଧିକ ଆର୍ଥିକ ବୋଝ ସୃଷ୍ଟି କରୁଛି। ରାଜ୍ୟ ସରକାରଙ୍କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଆଗୁଆ କୌଣସି ସୂଚନା ନ ଜଣାଇ ଏକ ପାଖିଆ ଭାବେ ଓଡ଼ିଶା ବାସୀଙ୍କ ଉପରେ ଏଭଳି ଜୋରିମାନା ବୋଝ୍ ଲଦିବା ଆଦୌ ଗ୍ରହଣୀୟ ନୁହଁ ଏବଂ ଏହା ଏକ ଅଗଣତାନ୍ତ୍ରିକ ପଦକ୍ଷେପ ଅଟେ l ପ୍ରକାଶ ଯେ, ଓଡ଼ିଶାର ଭୁବନେଶ୍ଵର, କଟକ ଭଳି ସହରରେ ପିଲିଅନ୍ ଜୋରିମାନା ଆଦାୟ ଭଳି ସମଗ୍ର ରାଜ୍ୟରେ ଏହା କୌଣସି ପୁର୍ବ ସୂଚନା ନଦେଇ ପ୍ରୟୋଗ କରିବା ତୁରନ୍ତ ବାତିଲ ହେବା ଆବଶ୍ୟକ l ଛାତ୍ର, ଯୁବକ ଯେଉଁମାନଙ୍କ କୌଣସି ନିଯୁକ୍ତି ନାହିଁ, ଚାଷୀ, ମୁଲିଆ, ଦିନ ମଜୁରିଆ ଶ୍ରେଣୀର ଜନଗଣ ଗଭୀର ଭାବେ ଏଥି ଦ୍ବାରା ପ୍ରଭାବିତ ହେବେ l ମଞ୍ଚ ଏକ ଉଦାହରଣ ଦେଇ କହିଛି ଯେ, ଗାଡ଼ି ଚାଳକ ହେଲମେଟ୍ ପିନ୍ଧିଥିଲେ ମଧ୍ୟ ପଛରେ ବସିଥିବା ବ୍ୟକ୍ତି ହେଲମେଟ୍ ନ ପିନ୍ଧିବା କାରଣରୁ IEMS ଚାଲାଣ ମାଧ୍ୟମରେ ଜୋରିମାନା ହେଉଛି। ଏଭଳି କ୍ଷେତ୍ରରେ ଜୋରିମାନା ପୂର୍ବରୁ ଅଧିକ ଜନସଚେତନତା ଆବଶ୍ୟକ ବୋଲି ମଞ୍ଚ ମତ ପ୍ରକାଶ କରିଛି। ଆଜି ମଞ୍ଚ ପକ୍ଷରୁ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭରେ ସମସ୍ତ ପ୍ରକାର ପରିବହନ ସମ୍ବନ୍ଧୀୟ ନିୟମ ଉଲ୍ଲଂଘନ ପାଇଁ ଜୋରିମାନା ହ୍ରାସ କରାଯାଇ ସର୍ବନିମ୍ନ ୧୦୦ ଟଙ୍କା ଧାର୍ଯ୍ୟ କରାଯାଉ ଏଵଂ ସର୍ବପ୍ରଥମେ ଗାଡ଼ି ମାଲିକଙ୍କୁ ଏଥି ସମ୍ବନ୍ଧରେ ଚେତାବନୀ ଦିଆଯାଉ, ଗ୍ରାମାଞ୍ଚଳ ସମେତ ସମଗ୍ର ରାଜ୍ୟରେ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାପକ ସଚେତନତା ଅଭିଯାନ କରାଯାଉ, ଭୁଲ୍ ଇ-ଚାଲାଣ ଓ ଫଟୋ ସମ୍ବନ୍ଧୀୟ ଅଭିଯୋଗର ସମାଧାନ ପାଇଁ ଅଭିଯୋଗ ସେଲ୍ ଗଠନ କରାଯାଉ, ଗରିବ ଲୋକଙ୍କ ପାଇଁ ଜୋରିମାନା ପରିବର୍ତ୍ତେ କାଉନସେଲିଂ ବ୍ୟବସ୍ଥା କରାଯାଉ ଆଦି ଚାରିଗୋଟି ପ୍ରମୂଖ ଦାବୀ ଉପସ୍ଥାପନ କରାଯାଇଛି l ମାନବ ଅଧିକାର ସୁରକ୍ଷା ମଞ୍ଚ ଆଶା ପ୍ରକାଶ କରିଛି ଯେ, ରାଜ୍ୟ ସରକାର ଜନସାଧାରଣଙ୍କ ଆର୍ଥିକ ସ୍ଥିତି ଓ ସଡ଼କ ସୁରକ୍ଷାର ମୂଳ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ଏହି ନିୟମର ପୁନର୍ବିଚାର କରିବେ। ମଞ୍ଚ ପକ୍ଷରୁ ଆୟୋଜିତ ଆଜିର ବିକ୍ଷୋଭରେ ଆବାହକ ଆଇନଜୀବି ଅବନୀ ଗୟା,ସଭାପତି ଗଗନ ଚାନ୍ଦ ମଲ୍ଲିକ,ସମାଜସେବୀ ମନୋଜ କୁମାର ତରାଇ, ବରିଷ୍ଠ ସାମ୍ବାଦିକ ଜ୍ୟୋତି ରଞ୍ଜନ ଦାସ,ସଂଗଠକ ଗଗନ ଚନ୍ଦ୍ର ପ୍ରଧାନ,ସୁରେନ୍ଦ୍ର ନାଥ ପଣ୍ଡା,ଯୁବ ନେତା କାହ୍ନୁ ଚରଣ ପାତ୍ର,ଆର୍.ସତ୍ୟ ନାରାୟଣ ରାଓ,ବିଜୟ କୁମାର ପାଢୀ, ଗୁଣନିଧି ବେହେରା, ମହେଶ୍ୱର ବାଡତ୍ୟା, ଶିକ୍ଷକ ସଙ୍ଗଠନ ନେତା ଶ୍ୟାମ ସୁନ୍ଦର ଖାଡଙ୍ଗା, ଅଶୋକ କୁମାର ଦଳାଇ, ଆପ୍ ର ନେତା ଆଦିତ୍ୟ ନାରାୟଣ ରଥ, ସାମ୍ୱାଦିକ ଜୟରାମ ମହାରଣା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l
